ଆସନ୍ତାକାଲି ଶପଥ ନେବ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ : ଅଚାନକ ଆସିଲା ଫୋନ୍, ଜଣକ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଲେ

ଭୁବନେଶ୍ବର: ଆସନ୍ତାକାଲି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବ ବୋଲି ସୂଚନା ରହିଛି। ରାଜଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଆଜି  ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ କୁହାଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜର ଇସ୍ତଫାପତ୍ର ପଠାଇବା ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ଅଧିକାଂଶ ମନ୍ତ୍ରୀ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ନେଇ ଅବଗତ ନ ଥିଲେ। ସେମାନଙ୍କ ନିକଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିବା ପରେ ମନ୍ତ୍ରୀମାନେ ମନ୍ତ୍ରିମଣ୍ଡଳ ପୂର୍ନଗଠନ ହେଉଛି ବୋଲି ସୂଚନା ପାଇଥିଲେ। ଏପରିକି କେତେଜଣଙ୍କ ପାଖକୁ ଇସ୍ତଫା ପତ୍ରର ଡ୍ରାଫ୍ଟ ଆସିଥିବା ମଧ୍ୟ ଜଣାପଡ଼ିଛି। ସେହପରି ଯେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ସେମାନଙ୍କ ପାଖକୁ ମଧ୍ୟ ଫୋନ୍ ଯିବା ଆରମ୍ଭ ହୋଇଛି। ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଭୁବନେଶ୍ବର ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥର ମନ୍ତ୍ରିମଣ୍ଡଳ ପୁର୍ନଗଠନରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଶୈଳୀ ଆପଣାଇଛନ୍ତି। କାରଣ ପୂର୍ବର ୪ ପାଳି ମୁଖ୍ୟମନ୍ତ୍ରିତ୍ବରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ସମୟରେ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ରାଜନୈତିକ ବି‌ଶ୍ଳେଷକମାନେ କହିଛନ୍ତି କି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଫର୍ମୁଲାକୁ ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଗନମୋହନ ଯେମିତି ନିଜର ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଅଚାନକ ଇସ୍ତଫା ଦେବାକୁ ନିର୍ଦେଶ ଦେଇଥିଲେ, ଠିକ୍ ସେହିପରି ନବୀନ ବି ଏଥର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ମାଗିଛନ୍ତି ।

ଜୁନ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟରକୁ ୨୫ ବର୍ଷ ପୂରିଛି। ଏହା ପୂର୍ବରୁ  ମେ’ ୨୯ରେ ନବୀନଙ୍କ ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହୋଇଥିଲା। ଏଥିସହ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଓ ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି। ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏଭଳି ସମୟରେ ନିଜର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିଛନ୍ତି ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରିମଣ୍ଡଳର ସବୁ ସଦସ୍ୟଙ୍କୁ ଇସ୍ତଫା ଦେବା ଲାଗି ନିର୍ଦେଶ ଦିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ମନ୍ତ୍ରିମଣ୍ଡଳ ଗଢ଼ିବେ ବୋଲି ସୂଚନା ରହିଛି। ଖବର ଅନୁସାରେ, ଆସନ୍ତାକାଲି ପୂର୍ବାହ୍ଣ ୧୧.୪୫ ମିନିଟରେ ସମୟରେ ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବାର ସମ୍ଭାବନା ରହିଛି।  ଏଣେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଥିବାର ଖବର ମିଳିଛି।

ସୂଚନାଯୋଗ୍ୟ, ଏପ୍ରିଲ୍ ମାସରେ  ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ ମାଗିଥିଲେ। ଫଳରେ ମନ୍ତ୍ରିମଣ୍ଡଳରେ ଶୀଘ୍ର ଅଦଳବଦଳ ହୋଇପାରେ ବୋଲି କୁହାଯାଉଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହିଭଳି ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ମାଗିବା ସହ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ। ତେଣୁ ଏବେ ସେହି ସମାନ ତରିକା ଆପଣାଇବେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କେତେ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି, ସେମାନଙ୍କ ବିଭାଗର କେଉଁ ଯୋଜନା ଅଧିକ ଫଳପ୍ରଦ ହୋଇଛି, ଆଗାମୀ ଦିନରେ କ’ଣ କରିବାକୁ ଯୋଜନା କରିଛନ୍ତି ସେ ନେଇ ବିସ୍ତୃତ ରିପୋର୍ଟ ଦେଇଥିଲେ। ବିଶେଷ କରି ୧୫ରୁ ଊର୍ଦ୍ଧ୍ବ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦଳର ସୁପ୍ରିମୋ  ନବୀନ ପଟ୍ଟନାୟକ ଓ ଦଳର ମଙ୍ଗୁଆଳମାନଙ୍କୁ ନିରାଶ କରିଥିବାରୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇ ନୂଆମୁହଁଙ୍କୁ ସାମିଲ କରାଯିବ ବୋଲି ପାୱାର କରିଡରରେ ଚର୍ଚ୍ଚା ଚାଲିଛି। କେଉଁ ଜିଲ୍ଲାରୁ କିଏ ବାଦ୍ ପଡ଼ିବେ ଓ କିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାହା ରାଜନୈତିକ ତଥ୍ୟାଭିଜ୍ଞ ମହଲକୁ ଆଲୋଚନାର ଖୋରାକ ଯୋଗାଇଛି।

ସମ୍ବନ୍ଧିତ ଖବର