ମନୋଜଙ୍କ ପାଇଁ ହାତ ଖୋଲିଦେଲେ ନବୀନ: ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର, ପୁରସ୍କାର ରାଶି ୧୦ଲକ୍ଷ ଟଙ୍କା

ହାଇସ୍କୁଲସ୍ତରରେ ବି ଆଉ ଏକ ପୁରସ୍କାର, ଜନ୍ମସ୍ଥାନରେ ହେବ ସଂଗ୍ରହାଳୟ ଓ ଲାଇବ୍ରେରି

ଭୁବନେଶ୍ବର: ଦିବଂଗତ ବାଗ୍ମୀ ତଥା ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

କେବଳ ସେତିକି ନୁହେଁ, ଯୁବପିଢିଙ୍କ ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଏଥିଲାଗି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗୋଟିଏ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଏକ ଲଷ ଟଙ୍କା ପ୍ରଦାନ କରାଯିବ। ମନୋଜ ଦାସଙ୍କ ପରିବାର ସଦସ୍ୟ ମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ତାହାକୁ ପ୍ରଥିତଯଶା ଭାତୃଦ୍ବୟ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି ଦୁଇ ଭାଇଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’

ଭାବରେ ଘୋଷଣା କରାଯିବ। ସେଠାରେ ଉଭୟ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ଦ୍ବାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରି ମଧ୍ୟ ସ୍ଥାପନ କରାଯିବ। ବାସଭବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ। ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମି ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ। ଉଲ୍ଲେଖଥାଉକି, ମନୋଜ ଦାସଙ୍କର ବିୟୋଗ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରର ସଦସ୍ୟମାନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇବା ସହିତ ସ୍ବର୍ଗତ ମନୋଜ ଦାସଙ୍କ ସ୍ମୃତି ରକ୍ଷା ସଂପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର