ଭୁବନେଶ୍ବର: ଗତ ରବିବାର ଠାରୁ ନବୀନ ଦିଲ୍ଲୀ ଯାଇଛନ୍ତି। ଏହା ତାଙ୍କ ସାତ ଦିନିଆ ଗସ୍ତ ବୋଲି ସୂଚନା ଥିଲା। ସେ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ଯାଇଛନ୍ତି, ତାହା କେହି ସ୍ପଷ୍ଟ କରିନଥିଲେ। ନବୀନ ଦିଲ୍ଲୀରୁ ତାମିଲନାଡ଼ୁ ଯାଇଥିବା ଜଣାପଡ଼ିଛି। ଆଜି ତାଙ୍କୁ କୋଏମ୍ବାଟୁର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେଠାରେ ଥିବା କିଛି ଓଡ଼ିଆ ଲୋକ ବିମାନବନ୍ଦରରେ ତାଙ୍କ ଭିଡିଓ କରି ସେୟାର କରିଛନ୍ତି। ନବୀନଙ୍କ ସହ ଭି କେ ପାଣ୍ଡିଆନ୍ ଓ ଜଣେ ସୁରକ୍ଷା କର୍ମୀ ଥିଲେ। ସେମାନେ ବିମାନବନ୍ଦର ଭିତରକୁ ପଶିଥିଲେ। କିନ୍ତୁ କେଉଁ ଜାଗାରୁ କୋଏମ୍ବାଟୁର ଆସିଲେ ଏବଂ କୋଏମ୍ବାଟୁର ବିମାନବନ୍ଦରରୁ କେଉଁ ସ୍ଥାନକୁ ଗଲେ, ତାହା ଜଣାପଡ଼ିନି। ବିଜେଡିର କୌଣସି ନେତା ଏ ସମ୍ପର୍କରେ ସୁରାକ ପାଇ ନାହାନ୍ତି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନବୀନ ତାଙ୍କର ସ୍ବାସ୍ଥ୍ୟ ଦେଖାଇବାକୁ କୋଚି ଯିବାର ଥିଲା। ସେଠାରେ ଜଣେ ଡାକ୍ତରଙ୍କ ସହ ସାକ୍ଷାତ ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ସେ କେଉଁ ଦିନ କୋଚି ଗଲେ, ତାହା କେହି ଜାଣନ୍ତି ନାହିଁ। ନବୀନଙ୍କ ସହ ପାଣ୍ଡିଆନ୍ ଛାଇ ପରି ରହିଛନ୍ତି। ଯଦି ନବୀନ ସ୍ବାସ୍ଥ୍ୟ ଦେଖାଇବାକୁ ଯାଇଛନ୍ତି, ତେବେ ସେଥିରେ ଲୁଚାଇବାର କିଛି ନାହିଁ। ଏହା ଏକ ସ୍ବାଭାବିକ ଘଟଣା। ଜଣେ ବ୍ୟକ୍ତି ସ୍ବାସ୍ଥ୍ୟ ଦେଖାଇବାକୁ ଯେ କୌଣସି ସ୍ଥାନକୁ ଯାଇପାରିବେ। କିନ୍ତୁ ନବୀନଙ୍କ କ୍ଷେତ୍ରରେ ତାହାକୁ ଯଥାସମ୍ଭବ ଲୁଚାଇବାକୁ କାହିଁକି ଚେଷ୍ଟା କରାଯାଉଛି, ତାହା ଦଳୀୟ ନେତାମାନେ ବୁଝିପାରୁ ନାହାନ୍ତି। ରାଜନୈତିକ ମହଲରେ କହିବା କଥା ନବୀନଙ୍କ ସବୁ ବ୍ୟକ୍ତିଗତ କଥା ପାଣ୍ଡିଆନ୍ ବୁଝୁଥିଲେ ଓ ଏବେ ବି ବୁଝୁଛନ୍ତି। ନବୀନ ତାଙ୍କ ଉପରେ ନିର୍ଭରଶୀଳ। ଏଥିରେ କାହାର କିଛି କହିବାର ନାହିଁ, କାରଣ ଏହା ନବୀନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। କିନ୍ତୁ ନବୀନଙ୍କ ରାଜ୍ୟ ବାହାର ଗସ୍ତକୁ ଗୋପନ ରଖାଯିବା ପଛରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ପୁଣି ଏବେ ବିଧାନସଭା ଅଧିବେଶନ ଚାଲିଛି। ଖୋଦ୍ ବିରୋଧୀ ଦଳ ନେତା ରାଜଧାନୀରେ ନାହାନ୍ତି। ଦଳୀୟ ନେତାମାନେ ଏ ସମ୍ପର୍କରେ ବିନ୍ଦୁବିସର୍ଗ ନଜାଣିବା ଚର୍ଚ୍ଚାର ବିଷୟ ହୋଇଛି।