‘ଜଗରନଟ୍- ଓଡ଼ିଶା ଅନ୍ ଦି ମୁଭ୍’ ଉନ୍ମୋଚିତ

ଯେପର୍ଯ୍ୟନ୍ତ ଲୋକେ ଖୁସି, ସେ ପର୍ଯ୍ୟନ୍ତ ମୁଁ ଖୁସି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ର କନସଲଟିଂ ଏଡିଟର ରବିଶଙ୍କର ପୁସ୍ତକ ‘ଜଗରନଟ୍- ଓଡ଼ିଶା ଅନ୍ ଦି ମୁଭ୍’କୁ ଆଜି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ମେ ଫେୟାର ହୋଟେଲରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଏହାର ଏଡିଟୋରିଆଲ ଡାଇରେକ୍ଟର ପ୍ରଭୁ ଚାୱଲା ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଚାୱଲା ମୁଖ୍ୟମନ୍ତ୍ରୀଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଜେଡି ସରକାର କରିଥିବା କାର୍ଯ୍ୟ ଦଳକୁ ଆସନ୍ତା ନିର୍ବାଚନରେ ବିଜୟୀ କରିବ। ପୂର୍ବ ନିର୍ବାଚନ ତୁଳନାରେ ଆଗାମୀ ନିର୍ବାଚନରେ ଦଳକୁ ଅଧିକ ସଫଳତା ମିଳିବ ବୋଲି ସେ ଆଶା ରଖିଥିବା କହିଛନ୍ତି।

୨୦ ବର୍ଷ ପୂର୍ବେ ରାଜ୍ୟରେ ବିଜେଡି କ୍ଷମତାକୁ ଆସିବା ପରଠାରୁ ରାଜ୍ୟ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିଚାଲିଛି। ୮ ନିୟୁତ ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖା ଉପରକୁ ଅଣାଯାଇଛି। ଖାଦ୍ୟ ଉତ୍ପାଦନରେ ଓଡ଼ିଶା ନିଅଣ୍ଟିଆ ରାଜ୍ୟରୁ ଏବେ ଖାଦ୍ୟ ରପ୍ତାନିକାରୀ ରାଜ୍ୟରେ ପରିଣତ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ କୃଷକମାନଙ୍କ ଆୟ ଦୁଇ ଗୁଣା ହୋଇଛି। ଏତଦବ୍ୟତୀତ ଭୁବନେଶ୍ବର ଦେଶର ଏକ ନମ୍ବର ସ୍ମାର୍ଟ ସିଟି ହେବା ସହିତ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରବିଶଙ୍କରଙ୍କର ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସେ ତାଙ୍କ କାର୍ଯ୍ୟରୁ ଆନନ୍ଦ ଲାଭ କରୁଛନ୍ତି। ଯେପର୍ଯ୍ୟନ୍ତ ଲୋକମାନେ ଖୁସି ଅଛନ୍ତି, ସେ ପର୍ଯ୍ୟନ୍ତ ସେ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର