ଭୁବନେଶ୍ୱର (ସୁବ୍ରତ ଦାସ): ପଞ୍ଚମଥର ରାଜ୍ୟର ଶାସନ ଭାର ଗ୍ରହଣ କରିବା ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପୁରୁଣା ଓ ବିଶ୍ୱସ୍ତ ସହଯୋଗୀଙ୍କ ସାଙ୍ଗକୁ କେତେକ ନବାଗତଙ୍କ ଉପରେ ଅଧିକ ଆସ୍ଥା ସ୍ଥାପନ କରିଛନ୍ତି।

Advertisment

ପୂର୍ବତନ ବାଚସ୍ପତି ଓ ଭୂତପୂର୍ବ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନବୀନ ଏଥର ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଅର୍ଥ ଓ ଅବକାରୀ ବିଭାଗ। ସେହିପରି ନିଜର ବିଶ୍ୱସ୍ତ ସହଯୋଗୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ତାଙ୍କର ପୁରୁଣା ବିଭାଗ ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ବିଭାଗ ଦେବା ସାଙ୍ଗକୁ ସ୍ୱରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମଧ୍ୟ ଦେଇଛନ୍ତି। ଅବଶ୍ୟ ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସ୍ୱରାଷ୍ଟ୍ର ବିଭାଗର କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ବିକ୍ରମ କେଶରୀ ଆରୁଖ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ବ୍ୟାପାର ବିଭାଗ ସାଙ୍ଗକୁ ଜଙ୍ଗଲ ଓ ପରିବେଶ ବିଭାଗର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ଦୁଇଟି ବିଭାଗର ଦାୟିତ୍ୱ ଶ୍ରୀ ଆରୁଖ ପୂର୍ବରୁ ସଫଳତାର ସହ ତୁଲାଇଛନ୍ତି।

publive-image

ନବୀନଙ୍କ ପୁରୁଖା ସହଯୋଗୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ଦାୟିତ୍ୱ ଅର୍ପଣ କରିଥିବା ବେଳେ ପ୍ରତାପ ଜେନାଙ୍କୁ ଜୁମ୍ବୋ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସାଙ୍ଗକୁ ଆଇନ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ଦେଇଛନ୍ତି।

ସେହିପରି ଅରୁଣ ସାହୁଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସାଙ୍ଗକୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ଅର୍ପଣ କରାଯାଇଛି। ପୂର୍ବତନ କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପାଇଥିବା ବେଳେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ଏବଂ କଂଗ୍ରେସରୁ ଡେଇଁ ବିଜୁ ଜନତା ଦଳକୁ ଆସିଥିବା ନବକିଶୋର ଦାସଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦିଆଯାଇଛି।

ଏଥର ପ୍ରଥମ ଥର ପାଇଁ ବିଧାୟକ ଓ ମନ୍ତ୍ରୀ ହୋଇଥିବା ରଘୁନନ୍ଦନ ଦାସଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦିଆଯାଇଛି। ଶ୍ରୀ ଦାସ ହେଭିେଓ୍ଵଟ ନେତା ଡାକ୍ତର ଦାମୋଦର ରାଉତଙ୍କୁ ହରାଇ ଦେଇଥିବାରୁ ତାଙ୍କର ରାଜନୈତିକ ଗୁରୁତ୍ୱ ବେଶ୍‌ ବଢ଼ି ଯାଇଛି। ସେହିପରି ଟେକ୍ନୋକ୍ରାଟରୁ ରାଜନୀତିକୁ ଡେଇଁଥିବା ତୁଷାରକାନ୍ତି ବେହେରାଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦାୟିତ୍ୱ ଦିଆଯାଇଛି।

publive-image

ଏଥର ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଥିବା କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ମଧ୍ୟ ପାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଶକ୍ତି, ଭାରୀ, ଶିଳ୍ପ ବିଭାଗ ସାଙ୍ଗକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ। ସମୀର ରଞ୍ଜନ ଦାଶଙ୍କୁ ଦିଆଯାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଗତଥର ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଥିବା ଅଶୋକ ଚନ୍ଦ୍ର ପଣ୍ଡା କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ପାଇ ନଥିବା ବେଳେ ବିଜ୍ଞାନ ଓ କାରିଗରୀ ବିଭାଗ ଏବଂ ସରକାରୀ ଉଦ୍ୟୋଗ ବିଭାଗ ସାଙ୍ଗକୁ ତାଙ୍କୁ ଦିଆଯାଇଛି ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ।

ଏଥର ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ଟୁକୁନି ସାହୁଙ୍କୁ କ୍ୟାବିନେଟ ପାହ୍ୟା ଦିଆଯିବା ସହ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱ ମିଳିଛି। ଏଥର ମହିଳା କାର୍ଡ ସୁଫଳ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି।