କେନ୍ଦ୍ର ପ୍ରତି ଆଭିମୁଖ୍ୟ ସ୍ପଷ୍ଟ କଲେ ନବୀନ : ଗଠନମୂଳକ ସହଯୋଗ

ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ, ସଶକ୍ତ ଓ ସମଷ୍ଟିଗତ ଓଡ଼ିଶା ହିଁ ଲକ୍ଷ୍ୟ, ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଆଗେଇନେବୁ

ଭୁବନେଶ୍ବର : ରାଜ୍ୟର ବିକାଶ େହଉଛି ଆମର ଏକମାତ୍ର ଲକ୍ଷ୍ୟ। ୪.୫ କୋଟି ରାଜ୍ୟବାସୀଙ୍କ କଲ୍ୟାଣ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଏ େକ୍ଷତ୍ରରେ କେନ୍ଦ୍ର ସରକାରଙ୍କ ସହିତ ଗଠନମୂଳକ ସହଯୋଗ ନୀତି ଆପଣାଇବୁ। ଏକଥା ନିର୍ବାଚନୀ ଇସ୍ତାହାରରେ ସୂଚିତ କରାଯାଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ରଖି ରାଜ୍ୟ-କେନ୍ଦ୍ର ନୂଆ ସଂପର୍କର ପରିଭାଷାକୁ ସ୍ପଷ୍ଟ କରିଛନ୍ତି। ଗତ କିଛି ଦିନ ରାଜ୍ୟ-କେନ୍ଦ୍ର ମଧ୍ୟରେ ନିବିଡତା ବଢିବା ପରିପ୍ରେକ୍ଷୀରେ ବିେରାଧୀ ସମାେଲାଚନା କରୁଥିଲେ ଓ ରାଜନୈତିକ ମହଲ ପାଇଁ ଏହା ଆେଲାଚନାର େଖାରାକ େଯାଗାଇଥିଲା।

ଆଜି ମୁଖ୍ୟମନ୍ତ୍ରୀ କହିଥିଲେ, ‘ଗଣତନ୍ତ୍ରରେ ଲୋକମାନଙ୍କ ମତ ହିଁ ସବୁଠାରୁ ଶ୍ରେଷ୍ଠ। ଲୋକେ ଆଉ ଥରେ ଆମକୁ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି। ସେମାନଙ୍କର ମତକୁ ମୁଣ୍ଡପାତି ସମ୍ମାନ ଜଣାଉଛୁ। ଏକ ସଶକ୍ତ ଓ ସମଷ୍ଟିଗତ ଓଡ଼ିଶା ଗଠନ ହିଁ ଅ‌ାମର ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶାବାସୀ ଆମକୁ ଆଶୀର୍ବାଦ ଦେଇଛନ୍ତି। ଏହି ଲକ୍ଷ୍ୟ ପୂରଣ ଦିଗରେ ଆମ ସରକାର ସବୁପ୍ରକାର କାର୍ଯ୍ୟ କରିବାକୁ ପ୍ରସ୍ତୁତ।’

ସେ କହିଲେ ଯେ ଲୋକେ ଆମ ଉପରେ ଯେଉଁ ବିଶ୍ବାସ ସ୍ଥାପନ କରିଛନ୍ତି, ତାହା ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି। ଲୋକଙ୍କ ଆଶୀର୍ବାଦ ନେଇ ସେମାନଙ୍କୁ ନିର୍ମଳ, ସ୍ବଚ୍ଛ ଓ ନାଗରିକ କୈନ୍ଦ୍ରିକ ଶାସନ ଦେବା ପାଇଁ ଆମେ ଉଦ୍ୟମ ଜାରି ରଖିବୁ। ଗତ ୧୯ ବର୍ଷ ଧରି ଆମେ ଦେଇଥିବା ପ୍ରତିଶ୍ରୁତିମାନ ପାଳନ କରିଆସିଛୁ। ଆମର ସଫଳତା େନଇ ଆମେ ଗର୍ବିତ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ନିକଟରେ ଓଡ଼ିଶା ଭୟଙ୍କର ଝଡ଼ବାତ୍ୟା ଫନିର ସାମ୍ନା କରିଛି। ଏହା ଫଳରେ ପୁରୀ, ଖୋର୍ଧା ଓ ଅନ୍ୟାନ୍ୟ ଜିଲ୍ଲାରେ ଜୀବନ ଓ ସଂପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେ ଫନି ପରିଚାଳନା ଓ ପୁନରୁଦ୍ଧାର କାର୍ଯ୍ୟ ଯେପରି କରିଥିଲୁ, ସେହି ପ୍ରୟାସକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସା କରାଯାଇଛି। ଓଡ଼ିଶାବାସୀଙ୍କ ଏଭଳି ଅଦ୍ୟମ ମନୋଭାବ ଆଗରେ କୃତଜ୍ଞତା ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଲୋକଙ୍କ ସ୍ବାର୍ଥ ବିଶେଷ କରି ଦୁର୍ବଳ ଶ୍ରେଣୀଙ୍କ ବିକାଶ ପ୍ରତି ସରକାର ଅଙ୍ଗୀକାରବଦ୍ଧ। ପଞ୍ଚମ ପାଳିର ସରକାର ଶପଥ ଗ୍ରହଣ କରିବା‌ ପରେ ପରେ ପ୍ରଥମ ମନ୍ତ୍ରିପରିଷଦ ବୈଠକ ଡାକି ଲୋକଙ୍କ ପ୍ରତି ରହିଥିବା ପ୍ରତିବଦ୍ଧତା ଜଣାଇଛୁ। ନିର୍ଦିଷ୍ଟ ସମୟସୀମାରେ ଲୋକଙ୍କୁ ଦେଇଥିବା ନିର୍ବାଚନକାଳୀନ ପ୍ରତିଶ୍ରୁତିମାନ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରଗତିର ମେରୁଦଣ୍ଡ ଭାବେ କୃଷିର ଭୂମିକା ଅପରିବର୍ତିତ ରହିଛି। ପ୍ରତିଶ୍ରୁତି ମୁତାବକ କାଳିଆ ଯୋଜନା ଜାରି ରହିବ। ଜଳସେଚନର ବିକାଶ ପାଇଁ ସରକାରଙ୍କ ପ୍ରୟାସ ମଧ୍ୟ ଜାରି ରହିବ।

ମହିଳାଙ୍କ ସଶକ୍ତୀକରଣ ସୁଶାସନର ପ୍ରମୁଖ ଆବଶ୍ୟକତା। ମହିଳାଙ୍କ ସଶକ୍ତୀକରଣ ପରବର୍ତୀ ସ୍ତରକୁ ନେବା ପାଇଁ ଉଦ୍ୟମ ଜାରି ରଖିବୁ। ମହିଳା ସଂରକ୍ଷଣ ପ୍ରସଙ୍ଗକୁ ରୂପରେଖ ଦେବା ପାଇଁ ଆମ ସରକାର ପ୍ରତ୍ୟେକ ସ୍ତରରେ ଜୋରଦାର କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ଗୁଣାତ୍ମକ ଶିକ୍ଷା ସରକାରଙ୍କ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ୟତମ କ୍ଷେତ୍ର। ରାଜ୍ୟର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯିବ। ସରକାର ଉଭୟ ମେଧା ଓ ସାମାଜିକ-ଅର୍ଥନୈତିକ ମାନଦଣ୍ଡ ଦେଖି ବୃତ୍ତି ପରିଷଦ ସ୍ଥାପନ କରିବେ। ରାଜ୍ୟର ସବୁ କଚାଘରକୁ ପକ୍କାଘରରେ ପରିଣତ କରିବା ପାଇଁ ତ୍ବରିତ ପଦକ୍ଷେପ ନେବେ ସରକାର।

ସରକାରଙ୍କ ମୁଖ୍ୟ କାର୍ଯ୍ୟ ତାଲିକାରେ ଯୁବ ସମାଜ ପାଇଁ ନିଯୁକ୍ତି ସୁଯୋଗ ପ୍ରସ୍ତାବ ରହିଛି। ଏଥିପାଇଁ ୬ଟି ପ୍ରମୁଖ କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଶ୍ବ ଦକ୍ଷତା କେନ୍ଦ୍ର ୧.୫୦ ଲକ୍ଷ ଅତି କୁଶଳୀ ପେସାଦାର ସୃଷ୍ଟି କରିବାରେ ସହାୟକ ହେବ। ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡ଼ା ସୁବିଧା ସୃଷ୍ଟି ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ଫଳରେ ଓଡ଼ିଶା ନିଶ୍ଚିତ ପସନ୍ଦର କ୍ରୀଡ଼ା ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇପାରିବ।

ସମ୍ବନ୍ଧିତ ଖବର