ଭୋକିଲାଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଦିଅ

ମୁକାବିଲା ପାଇଁ ବିଜେଡି କର୍ମୀଙ୍କୁ ନିବେଦନ

ରକ୍ତ ଅଭାବ ଦୂର ପାଇଁ ଜାରି ରଖ ଜୀବନବିନ୍ଦୁ
କରୋନା ପାଇଁ ଅଣ୍ଟା ଭିଡ଼ିଲେ ୩ ପ୍ରମୁଖ ଦଳ

ଭୁବନେଶ୍ବର : ନିଜ ଅଞ୍ଚଳରେ ଜଣେ ବି କାହାକୁ ଭୋକିଲା ରହିବାକୁ ଦିଅନି। ପ୍ରତ୍ୟେକ ଭୋକିଲା ଲୋକକୁ ନିଜ ପରିବାରର ସଦସ୍ୟ ଭାବି ଖାଦ୍ୟ ପ୍ରଦାନ କର। କରୋନା ମହାମାରୀ ପ୍ରତିହତ ପାଇଁ ଜାରି ରହିଥିବା ସଂଗ୍ରାମ ସମୟରେ ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ଆଜି ଏପରି ନିବେଦନ କରିଛନ୍ତି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ରାଜ୍ୟରେ ରକ୍ତ ଅଭାବ ଦୂର କରିବା ପାଇଁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ଅଧିକରୁ ଅଧିକ ରକ୍ତ ସଂଗ୍ରହ ପାଇଁ ସେ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଆହ୍ବାନ କରିଛନ୍ତି। ଗୋଟିଏ ପଟେ କୋଭିଡ୍‌-୧୯ ମୁକାବିଲା ପାଇଁ ସରକାରୀସ୍ତରରେ ଉଦ୍ୟମ ଜାରି ରହିଥିବାବେଳେ ଓଡ଼ିଶାରେ ୩ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ସ୍ତରରେ ଲୋକଙ୍କ ସେବା କାର୍ଯ୍ୟରେ ଲାଗିପଡ଼ିଛନ୍ତି।

ବିଜୁ ଜନତା ଦଳର ସାଧାରଣ ସଂପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଜଣାଇଛନ୍ତି, ଓଡ଼ିଶାର ସାଢ଼େ ଚାରିକୋଟି ଜନାସାଧାରଣ ଧୈର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଦଳ ସଭାପତି ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ କର୍ମୀ ଗରିବ ଲୋକମାନଙ୍କ ସେବାରେ କିପରି ନିଜକୁ ସମର୍ପିତ କରିବେ ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ସମସ୍ତ ନିୟମ ଯେପରି ଲୋକମାନେ ଅନୁପାଳନ କରିବେ ସେ ଦିଗରେ କର୍ମୀମାନେ ସଚେତନତା ସୃଷ୍ଟି କରିବେ। ଯଦି କେହି ବ୍ୟକ୍ତି କୌଣସି ଜରୁରୀ କାମରେ ଘରୁ ବାହାରୁଛନ୍ତି ତାହେଲେ ନିଜ ମୁହଁରେ ମାସ୍କ ପିନ୍ଧିବେ। ଏ ନେଇ ସେ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କର ଏହି ଆହ୍ବାନକୁ ନିଜର ସାମାଜିକ ଦାୟିତ୍ବ ଭାବେ ଗ୍ରହଣ କରି ଦଳର ସମସ୍ତ କର୍ମୀମାନେ ଏହାକୁ କିପରି ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବେ ସେଥିପାଇଁ ପରାମର୍ଶ ଦିଆଯାଇଛି। ଖାଲି ସେତିକି ନୁହେଁ, ଏହି ସମୟରେ ଦେଖାଦେଇଥିବା ରକ୍ତ ଅଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ। ସାମାଜିକ ଦୂରତା ରକ୍ଷା କରି କିପରି ରକ୍ତ ସଂଗ୍ରହ ହୋଇପାରିବ ସେଥିପାଇଁ ସାଂସଦ, ବିଧାୟକ, ବ୍ଲକ୍‌ ଅଧ୍ୟକ୍ଷଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ କର୍ମୀମାନଙ୍କୁ ସଭାପତି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ଦାସବର୍ମା କହିଥିଲେ।

ତାଲାବନ୍ଦ ସମୟରେ ବିଜେପି ମଧ୍ୟ ନିଜ ଦଳର କର୍ମୀମାନଙ୍କୁ ସାମାଜିକ କାର୍ଯ୍ୟରେ ଲଗାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମୋଦୀ ଅନ୍ନଦାନ ଯୋଜନାରେ ଦଳର ପ୍ରତ୍ୟେକ କର୍ମୀ ନିଜ ଖର୍ଚ୍ଚରେ ପ୍ରତିଦିନ ଅନ୍ୟୂନ ୫ ଜଣ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି। ଏହାସହିତ ଦଳର ମହିଳା ମୋର୍ଚ୍ଚା ଓ ଅନ୍ୟ କର୍ମୀମାନେ ନିଜ ଘରେ ଥିବା ସିଲାଇ ମେସିନ୍‌ରେ ମାସ୍କ ତିଆରି କରି ନିଜ ସାଇ ପଡ଼ିଶାରେ ମାଗଣାରେ ବଣ୍ଟନ କରୁଛନ୍ତି। ମୋଦୀ କେୟାର୍‌ସ ପାଣ୍ଠି ବାବଦରେ ଜଣେ କର୍ମୀ ନିଜେ ୧୦୦ ଟଙ୍କା ଦେଇ ତାଙ୍କ ଅଞ୍ଚଳର ୪୦ ଜଣ ବ୍ୟକ୍ତିଙ୍କୁ ଏହି ପାଣ୍ଠିରେ ଦାନ କରିବାକୁ ମଧ୍ୟ ପ୍ରବର୍ତ୍ତାଉଛନ୍ତି। ଏତଦ୍‌ବ୍ୟତୀତ କେନ୍ଦ୍ର ସରକାର ଗରିବ, ଦିନ ମଜୁରିଆ ଓ ଖଟିକିଆଙ୍କ ପାଇଁ ଯେଉଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି, ସେସବୁ ଯୋଜନା ଅର୍ଥ ଲୋକଙ୍କ ପାଖରେ ପହଞ୍ଚିଲା କି ନାହିଁ ସେ ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି।

ରାଜ୍ୟ କଂଗ୍ରେସ ମଧ୍ୟ ପଛରେ ରହିନି। ରାଜ୍ୟ ବାହାରେ ଫସିରହିଥିବା ଗରିବ ଶ୍ରମିକମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇବା ପାଇଁ ଦଳ ବ୍ୟବସ୍ଥା କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏଆଇସିସିର ନିର୍ଦ୍ଦେଶକ୍ରମେ ତାଲାବନ୍ଦ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ପିସିସି କାର୍ଯ୍ୟାଳୟ ଓ ୩୩ଟି ସାଂଗଠନିକ ଜିଲ୍ଲାରେ କଣ୍ଟୋଲ୍‌ ରୁମ୍‌ ଖୋଲାଯାଇଛି। ଅନେକ ପ୍ରବାସୀ ଶ୍ରମିକ ଫୋନ୍‌ କରି ସେମାନଙ୍କର ଅସୁବିଧା ସମ୍ପର୍କରେ ଜଣାଉଛନ୍ତି।

ସମ୍ବନ୍ଧିତ ଖବର