ନବୀନଙ୍କ ପ୍ୟାକେଜ୍‌ ଫମ୍ପା: ପ୍ରସାଦ

ଭୁବନେଶ୍ୱର : ନବୀନ ସରକାରଙ୍କ କ୍ୟାବିନେଟ୍‌ ବୈଠକ ପୁରୀରେ ବସିଲା। ତା’ ସାଙ୍ଗକୁ ବିଜେଡିର ୨୦ ବର୍ଷ ପୂର୍ତି ପାଳନ। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ସରକାର ଯେଉଁ ପ୍ୟାକେଜ୍‌ ଦେଇଛନ୍ତି, ସେଥିରେ ଥିବା ନିଷ୍ପତ୍ତି କିଛି ନୂଆ ନୁହେଁ, ସବୁ ଫମ୍ପା। ବରଂ ୧୭ ବର୍ଷ ଧରି ସରକାର ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିଥିଲେ। ଏଥର ସେମାନଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ପ୍ରତାରିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତିି। ଆଜି ସନ୍ଧ୍ୟାରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ ସରକାରଙ୍କ ଓଡ଼ିଆ ଭାଷା ସଂପର୍କିତ ନିଷ୍ପତ୍ତିଗୁଡ଼ିକୁ କଠୋର ସମାଲୋଚନା କରିଥିଲେ। ଏ ନେଇ ସେ ୨୦୦୨ରେ ସରକାର ପ୍ରଣୟନ କରିଥିବା ଓଡ଼ିଶା ସାଧାରଣ ପାଠାଗାର ଆଇନ, ୧୯୮୫ରେ କଂଗ୍ରେସ ସରକାର ସମୟରେ ପ୍ରଣୀତ ଓଡ଼ିଆ ଭାଷା ଆଇନର ନିୟମାବଳୀ ପାଳନ, ୧୯୯୭ରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଓଡ଼ିଆ ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଥିବା, ୧୭ ବର୍ଷ ତଳେ ଶ୍ରମ ବିଭାଗର ନିୟମାବଳୀ ଜରିଆରେ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ନାମଫଳକ ଓଡ଼ିଆରେ ଲେଖାଯିବା ଆଦି ଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ।

ଭାଷା ପାଇଁ ଭୋଟ ନୁହେଁ, ବରଂ ଭୋଟ ପାଇଁ ଭାଷା କଥା ସରକାରଙ୍କ ମନେ ପଡ଼ିଲା। କେବଳ ଭାଷା ନୁହେଁ, ରାଜ୍ୟ ପ୍ରତି ନବୀନ ସରକାର ଘୋର ଅବହେଳା କରିଛନ୍ତି। ରାଜ୍ୟର ୯୭ ପ୍ରତିଶତ ଘରକୁ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ହୋଇପାରିନଥିବା, ବହୁସଂଖ୍ୟକ ଗାଁକୁ ବିଜୁଳି, ସଡ଼କ ନାହିଁ। ଏସବୁ ଅବହେଳା ଅପରାଧିକ ଦର୍ଶାଇ ପ୍ରସିଦ୍ଧ ଔପନ୍ୟାସିକ ମାରିଓ ପୁଜୋଙ୍କ ‘ଗଡ୍‌ଫାଦର’ର ସ୍ମରଣୀୟ ଉଧୃତି ‘ସଫଳତା ପଛରେ ଅପରାଧ’ ଲୁଚି ରହିଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର