ପୁଣି ୧୦୦ କୋଟିର ପ୍ୟାକେଜ୍ : କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା, ନଡ଼ିଆ ଗଛ ପିଛା ମିଳିବ ୫୦୦ ଟଙ୍କା, କୁକୁଡ଼ା ଚାଷୀଙ୍କୁ ମିଳିବ ୭୫% ରିହାତି

ପୁରୀରେ କ୍ଷତିଗ୍ରସ୍ତଙ୍କୁ ଆଉ ହଜା‌ରେ

ଭୁବନେଶ୍ବର : ‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ ସହରାଞ୍ଚଳର ଉଠା ଦୋକାନୀ, ନଡ଼ିଆ ଚାଷୀ ଓ କୁକୁଡ଼ା ଚାଷୀଙ୍କୁ ସହାୟତାର ହାତ ବଢ଼ାଯାଇଛି। ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୧୬୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଆଜି ଏହି ତିନିଟି କ୍ଷେତ୍ର ପାଇଁ ପ୍ୟାକେଜ୍ ଘୋଷଣା ପରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଓ ରାଜ୍ୟର ନିଜସ୍ବ ସମ୍ବଳରୁ ଏହି ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଆଜି ସନ୍ଧ୍ୟାରେ କ୍ୟାବିନେଟ୍‌ ବୈଠକ ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍ ଘୋଷଣା କରିଥିଲେ। ସେ କହିଥିଲେ, ସହରାଞ୍ଚଳରେ ଉଠା ଦୋକାନୀମାନେ ସବୁଠାରୁ ଦୁର୍ବଳ ବର୍ଗର। ଫନି ପ୍ରଭାବରେ ୧୧ଟି ପୌରାଞ୍ଚଳରେ ପ୍ରାୟ ୩୦ ହଜାର ଉଠାଦୋକାନୀ ଭୀଷଣ ପ୍ରଭାବିତ ହୋଇଛନ୍ତି। ତେଣୁ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ମିଳିବ।

ନଡ଼ିଆ ଚାଷୀଙ୍କୁ ସହାୟତା ଘୋଷଣା କରି ଶ୍ରୀ ପଟ୍ଟନାୟକ କହିଲେ, ଉପକୂଳ ଓଡ଼ିଶାରେ ବହୁ ଲୋକଙ୍କର ଜୀବିକାର ମୁଖ୍ୟ ଉତ୍ସ ନଡ଼ିଆ ଚାଷ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି। ତେଣୁ କ୍ଷତି ହୋଇଥିବା ନଡ଼ିଆ ଗଛ ପିଛା ୫୦୦ ଟଙ୍କା ଲେଖାଏ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ପ୍ରଦାନ କରିବେ। ତେବେ ଜଣେ ନଡ଼ିଆ ଚାଷୀଙ୍କୁ ସର୍ବାଧିକ ୨୫ଟି ନଡ଼ିଆ ଗଛ ପାଇଁ ଏହି ଆର୍ଥିକ ସହାୟତା ମିଳିବ। ପୂର୍ବ ଘୋଷଣା ଅନୁଯାୟୀ ଏହି ଚାଷୀମାନେ କୃଷି ଇନ୍‌ପୁଟ୍‌ ସବ୍‌ସିଡି, ବୃକ୍ଷରୋପଣ ଓ ଚାରା ପାଇଁ ସହାୟତା ପାଇବେ।

ଫନି ପ୍ରଭାବରେ ରାଜ୍ୟରେ ବହୁ ଛୋଟ କୁକୁଡ଼ା ଫାର୍ମ ନଷ୍ଟ ହୋଇଛି। ଏହି କୁକୁଡ଼ା ଫାର୍ମଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ପ୍ରତି ଚାଷୀଙ୍କୁ ୭୫% ରିହାତି ସହାୟତା ଦିଆଯିବ। ୫୦୦ କୁକୁଡ଼ାଙ୍କୁ ନେଇ ହୋଇଥିବା ଗୋଟିଏ ୟୁନିଟ୍‌ ପିଛା ଏହି ସହାୟତା ଏକ ଲକ୍ଷ ଟଙ୍କା ଭିତରେ ସୀମିତ ରହିବ। ଏହା ଦ୍ବାରା ୨୦୦୦ କ୍ଷୁଦ୍ର କୁକୁଡ଼ା ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୧ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୬୦୦ କୋଟି ଟଙ୍କାର ପ୍ୟାକେଜ୍‌ରେ ପାରମ୍ପରିକ କୃଷି କ୍ଷତିଭରଣା ସହିତ ଧାନ, ପନିପରିବା, ଫଳ ଚାଷ, ପଶୁପାଳନ ଓ ମତ୍ସ୍ୟ ଚାଷୀଙ୍କୁ ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା ଉପରେ ଗୁରୁତ୍ବ ଦିଆଯାଇଥିଲା।

ପୁରୀରେ କ୍ଷତିଗ୍ରସ୍ତଙ୍କୁ ଆଉ ହଜା‌ରେ

ଭୁବନେଶ୍ବର : ବାତ୍ୟା କ୍ଷତିଗ୍ରସ୍ତ ପରିବାରକୁ ସରକାର ୨ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଥିଲେ। ତେବେ ପୁରୀରେ ସର୍ବାଧିକ କ୍ଷତି ହୋଇଥିବାରୁ ଏବଂ ଏଯାଏଁ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ଜିଲ୍ଲାର କ୍ଷତିଗ୍ରସ୍ତମାନଙ୍କୁ ସରକାର ଅତିରିକ୍ତ ସହାୟତା ପ୍ରଦାନ କରିବେ। କ୍ଷତିଗ୍ରସ୍ତ ପରିବାରକୁ ଅଧିକ ୧ ହଜାର ଟଙ୍କାର ସହାୟତା ପ୍ରଦାନ କରିବା ପ୍ରସ୍ତାବରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ତୁରନ୍ତ ଏହି ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର