ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ବିଜେଡି ସରକାରର ୨୦ ବର୍ଷ ପୂର୍ତ୍ତି ସମାରୋହ : ବିଶ୍ୱସ୍ତରୀୟ ଏସ୍‌ସିବି ପାଇଁ ହଜାରେ କୋଟିର ପ୍ରକଳ୍ପ

ଶିଖରପୁର-ଚହଟା ଛଅ ଲେନ୍ ରାସ୍ତାର ଶିଳାନ୍ୟାସ
ଓଡ଼ିଶାର ବିକାଶରେ ନୂଆ ଅଧ୍ୟାୟ ଯୋଡ଼ି ହେଲା: ମୁଖ୍ୟମନ୍ତ୍ରୀ

କଟକ : କଟକର ଏସ୍‌ସିବି ମେଡିକାଲ୍‌ କଲେଜ ଏବ˚ ହସ୍‌ପିଟାଲ୍‌ ହେବ ବିଶ୍ବସ୍ତରୀୟ ହସ୍ପିଟାଲ। ଏହିଠାରେ ସାଧାରଣ ଲୋକଙ୍କୁ ମିଳିବ ବିଶ୍ବସ୍ତରର ଚିକିତ୍ସା ସୁବିଧା। କଟକର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିବା ସହିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ବିକାଶ ପାଇଁ ୧ ‌ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଏହାସହିତ କଟକର ଶିଖରପୁରରୁ ଚହଟା ପର୍ଯ୍ୟନ୍ତ ମହାନଦୀ ରିଂ’ ବନ୍ଧ ରାସ୍ତାକୁ ଛଅ ଥାକିଆ ବିଶିଷ୍ଟ କରିବା ପାଇଁ ଆରମ୍ଭ ହେବାକୁ ଥିବା କାର୍ଯ୍ୟର ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସସିବି ହେଉଛି ସାଧାରଣ ଲୋକଙ୍କ ଆଶା ଓ ଭରସାର କେନ୍ଦ୍ର। ରାଜ୍ୟ ବାହାରୁ ବହୁ ଲୋକ ଚିକିତ୍ସା ପାଇଁ ଏଠାକୁ ଆସିଥା’ନ୍ତି। ତେଣୁ ଏସ୍‌ସିବି ଭିତ୍ତିଭୂମିର ବିକାଶ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି। ଏସ୍‌ସିବିକୁ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବେ ବିକାଶ କରି ସାଧାରଣ ଲୋକଙ୍କୁ ଓଡ଼ିଶାରେ ହିଁ ବିଶ୍ବସ୍ତରୀୟ ଚିକିତ୍ସା ଯୋଗାଇ ଦେବା ହେଉଛି ସରକାରର ଲକ୍ଷ୍ୟ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର କଟକ ସହର ସହ ନିବିଡ଼ ସମ୍ପର୍କ ଥିଲା। ଏହି କଟକ ମାଟିରେ ସେ ବଡ଼ ହୋଇଥିଲେ। ବ୍ରିଟିଶ ପୁଲିସ ବିରୋଧରେ ଲଢେ଼ଇ କରିଥିଲେ। ଏହି କଟକରୁ ସେ ପେଶଵାରକୁ ସାଇକେଲ୍‌ରେ ଯାଇଥିଲେ। କଟକ ସହିତ ଆମ ପରିବାରର ସମ୍ପର୍କ ସ୍ବତନ୍ତ୍ର। ଖୁସିର କଥା ଯେ ଆଜି ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଏସ୍‌ସିବି ମେଡିକାଲ୍‌ କଲେଜ ଏବ˚ ହସ୍‌ପିଟାଲ୍‌କୁ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବେ ଗଢ଼ିବା ପାଇଁ କାମ ଆରମ୍ଭ କରାଗଲା। ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା। ଆଜି ସରକାର ଲୋକଙ୍କ ସେବାରେ ୨୦ ବର୍ଷ ପୂରଣ କଲା। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲପାଇବା ପାଇଁ ସେ ସେମାନଙ୍କ ନିକଟରେ ଋଣୀ। ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ହେଉଛି ଆମର ଲକ୍ଷ୍ୟ। ଏହି ମହାନ ଲକ୍ଷ୍ୟକୁ ସଫଳ କରିବା ଦିଗରେ ସମସ୍ତଙ୍କର ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାସ୍ଥ୍ୟ ଏବ˚ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶ୍ରୀ ଦାସ କହିଥିଲେ ଯେ ଆଜି ସାରାବିଶ୍ବରେ ଏଭଳି କେଉଁ ରାଜ୍ୟ ଅଛି ଯେଉଁଠି ମାଗଣା ଔଷଧ, ମାଗଣା ଚିକିତ୍ସା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଯୋଡ଼ି ହୋଇଛନ୍ତି? ଓଡ଼ିଶାବାସୀ ଯାହା ଚାହୁଁଥିଲେ ତାହା ଆଜି ସଫଳ ହୋଇପାରିଛି।

ସେହିପରି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ଆଜି ଦେଶରେ ଯେତେବେଳେ ମାନ୍ଦା ଅବସ୍ଥା ଦେଖାଦେଇଛି ଏବ˚ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଛି, ସେହିଭଳି ଅବସ୍ଥା ଭିତରେ ଓଡ଼ିଶାରେ ନୂତନ ଯୋଜନା ଏବ˚ ରଚନାତ୍ମକ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି। ସ୍ବର୍ଗତ ବିଜୁ ପଟ୍ଟନାୟକ ଏଭଳି ଜଣେ ପ୍ରବାଦ ପୁରୁଷ ଥିଲେ, ଯାହାଙ୍କ ମରଶରୀରରେ ତିନୋଟି ଦେଶର ଜାତୀୟ ପତାକା ପଡ଼ିଥିଲା। ଯାହା ଭାରତ ଇତିହାସରେ କାହାର ଭାଗ୍ୟରେ ଆସିବ ନାହିଁ।

ପଞ୍ଚାୟତିରାଜ, ନଗର ଉନ୍ନୟନ ଏବ˚ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ କେବଳ କଟକ ଜିଲ୍ଲା ପାଇଁ ନୁହେଁ ଓଡ଼ିଶାର ଜନସାଧାରଣଙ୍କ ପାଇଁ ବଡ଼ ମେଡିକାଲ୍‌କୁ ଗୋଟିଏ ବିଶ୍ବସ୍ତରୀୟ ହସ୍‌ପିଟାଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁଠାରୁ ବଡ଼ ପଦକ୍ଷେପ ନେଇଛନ୍ତି। ହାଡ଼ିଆ ପଠାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ପଦକ୍ଷେପ ନେଉଛନ୍ତି। ବିଧାୟକ ପ୍ରତାପ ଦେବ କହିଥିଲେ ଯେ, ପ୍ରବାଦ ପୁରୁଷ ବିଜୁ ବାବୁ ଯେଉଁ ସ୍ବପ୍ନ ଦେଖାଇଥିଲେ ଆଜି ଆମେ ତାହାକୁ ଗୋଟିଏ ପାଦ ଆଗକୁ ନେଇପାରିଛୁ। ଆଜି ଗାଁକୁ କାମ ଓ ମାକୁ ସମ୍ମାନ ଆକ୍ଷରିକ ଭାବେ କାର୍ଯ୍ୟରେ ପ୍ରମାଣିତ ହୋଇଛି। ୨୦୦୦ ମସିହା ପୂର୍ବରୁ ଓଡ଼ିଶା ଯେଉଁ ସ୍ଥିତିରେ ଥିଲା, ୨୦ ବର୍ଷର ଯାତ୍ରା ଭିତରେ ଆମେ ଆଗକୁ ବଢ଼ି ପାରିଛୁ ବୋଲି ସେ କହିଛନ୍ତି।

ଯୋଜନା ବୋର୍ଡର ଉପାଧ୍ୟକ୍ଷ ସ˚ଜୟଦାସ ବର୍ମା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆଜି ଭାରତବର୍ଷରେ ଏକ ବିକଶିତ ରାଜ୍ୟ ହୋଇପାରିଛି। ବଡମ୍ବା-ନରସି˚ହପୁର ବିଧାୟକ ଦେବୀ ମିଶ୍ର ସରକାରଙ୍କ ଦ୍ବାରା ପ୍ରଣୀତ ସ୍ବାସ୍ଥ୍ୟ ସେବା ଯୋଗୁଁ ରାଜ୍ୟରେ ଏବେ ଶିଶୁ ମୃତ୍ୟୁ ହାର କମିଛି ବୋଲି କହିଥିଲେ।

ଆଜିର କାର୍ଯ୍ୟକ୍ରମ ଅବସରରେ ସରକାର ଗଠନର ୨୦ ବର୍ଷ ପୂର୍ବରୁ ଓଡ଼ିଶାର ସ୍ଥିତି ଏବ˚ ବର୍ତ୍ତମାନର ବିକାଶ ସମ୍ପର୍କିତ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ୫-ଟି ସଚିବ ଭି.କେ. ପାଣ୍ଡିଆନ, କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ, ଅନନ୍ତ ଦାସ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ପ୍ରମିଳା ବିଶୋଇଙ୍କ ସମେତ ବହୁ ନେତା, ବିଧାୟକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌ଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ଡିଏମ୍‌ଇଟି ପ୍ରଫେସର ସି.ବି.କେ. ମହାନ୍ତି, ଅଧିକ୍ଷକ ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ଡିନ୍‌ ପ୍ରଫେସର ରାଜଶ୍ରୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର