ବରପାଲିରେ ମୁଖ୍ୟମନ୍ତ୍ରୀ : ଭେଟି ଦେଲେ ୨୦ ପ୍ରକଳ୍ପ

ବରଗଡ଼/ବରପାଲି : ସୋମବାର ଅପରାହ୍ନରେ ବରପାଲି ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପନିର୍ବାଚନ ବିଜୟ ପାଇଁ ନିର୍ବାଚନ ମଣ୍ଡଳୀର ଜନତାଙ୍କୁ ‘ଜୁହାର୍‌ ଭେଟ୍‌’ ଜଣାଇଛନ୍ତି। ଏହା ସହିତ ନିର୍ବାଚନ ମଣ୍ଡଳୀ ପାଇଁ ୨୦ଟି ପ୍ରକଳ୍ପ ଭେଟି ଦେଇଛନ୍ତି। ପାରମ୍ପରିକ ଢାଞ୍ଚା ଠାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଅଲଗା ଥିଲା। ଭାଷଣରେ କୃତଜ୍ଞତା, ସମବେଦନା ଏବଂ ଶକ୍ତିର ଫେଣ୍ଟାଫେଣ୍ଟି ଝଲକ ଦେଖିବାକୁ ମିଳିଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୟ ପାଇଁ ସମଗ୍ର ନିର୍ବାଚନ ମଣ୍ଡଳୀର ଭୋଟର୍‌ଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ସେ ବରଗଡ଼ ଜିଲ୍ଲାର ଆତିଥ୍ୟକୁ ମନେ ପକାଇଥିଲେ। ଗତ ପ୍ରଚାର ସଭା ଗୁଡ଼ିକରେ ମୁଖ୍ୟମନ୍ତ୍ରୀ କୁମ୍ଭାରୀ ପ୍ରସଂଗ ନେଇ ପଦୁଟିଏ କହିନଥିଲେ। ହେଲେ ଆଜି ପରୋକ୍ଷରେ ଏନେଇ ମୁହଁ ଖୋଲିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଦୁଃଖଦ ଘଟଣା ଘଟିଥିଲା। ବିଭିନ୍ନ ସ୍ଥାନରେ ବିରୋଧୀ ହିଂସା ଭିଆଇଥିଲେ ବୋଲି ସେ କହିବା ସହ ବନାବିରା ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ଡିଲେଶ୍ୱର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାବାଦ ନିର୍ବାଚନ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଦିଆଯାଇଥିବା ପ୍ରତିଟି ପ୍ରତିଶ୍ରୁତି ପୂରଣ କରାଯିବ। ଏଠାକାର ବିକାଶ କଥା ମୁଁ ବ୍ୟକ୍ତିଗତ ଭାବେ ବୁଝିବି ଏବଂ ପରିଚାଳନା କରିବି। ଏହି ଅଭିଯାନ ଆଜିଠୁ ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ସାରା ବିଜେପୁର ନିର୍ବାଚନ ମଣ୍ଡଳୀକୁ ବିଦ୍ୟୁତ ସଂଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଓଡ଼ିଶାକୁ ନଂ ୧ ରାଜ୍ୟରେ ପରିଣତ କରିବା ତାଙ୍କ ସରକାରର ଆଗାଭୀ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ବରପାଲିର ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଭାର ଅଧ୍ୟକ୍ଷତା କରିଥିବା ବେଳେ ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ଅନଙ୍ଗ ଉଦୟ ସିଂଦେଓ, ଡ.ପ୍ରଭାସ ସିଂହ, ରୋହିତ ପୂଜାରୀ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ପ୍ରଶାନ୍ତ ନନ୍ଦ, ଅଶୋକ ପଣ୍ଡା, ଦେବେଶ ଆଚାର୍ଯ୍ୟ ପ୍ରମୁଖ ମଂଚାସୀନ ଥିଲେ।

ବିଜୁ ଏକ୍ସପ୍ରେସ ଓ୍ଵ ଲୋକାର୍ପିତ

ଝାରସୁଗୁଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଠାରେ ବିଜୁ ପଟ୍ଟନାୟକ ଏକ୍ସପ୍ରେସ ଓ୍ଵର ସମ୍ବଲପୁର-ରାଉରକେଲା ୧୬୩ କିମି ରାସ୍ତାକୁ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ରାସ୍ତା ଓଡ଼ିଶାର ନିଜସ୍ୱ ଅର୍ଥରେ ନିର୍ମାଣ କରାଯାଇଛି। ଏହା ରାଜ୍ୟ ବିକାଶରେ ଏକ ନୂଆଁ ଫର୍ଦ୍ଦ ଯୋଡ଼ି ହେବା ସହିତ ପଶ୍ଚିମ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାକୁ ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଯୋଡ଼ି ପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନୀ ଉତ୍ସବରେ ମତବ୍ୟକ୍ତ କରିଛନ୍ତି। ଏଥିପାଇଁ ୩ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା ବେଳେ ୬୫୦ କିମି ରାସ୍ତାକୁ ଚାରି ଲାଇନ୍‌ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ସମ୍ବଲପୁର-ରାଉରକେଲା ରାସ୍ତାର ଉନ୍ନତୀକରଣ ବିଜୁ ପଟ୍ଟନାୟକ ପ୍ରଥମେ ଆରମ୍ଭ କରିଥିଲେ। ବିକାଶର କଥା ଉଠିଲେ ବିଜୁ ବାବୁଙ୍କ କଥା ମନେ ପଡ଼େ। ତେଣୁ ଏହି ରାସ୍ତାକୁ ତାଙ୍କ ନାମରେ ନାମିତ କରାଗଲା ବୋଲି ସେ କହିଥିଲେ। ପ୍ରଥମ ପଯ୍ୟାର୍ୟ ରାଉରକେଲା ଠାରୁ ସମ୍ବଲପୁର ପଯ୍ୟର୍ନ୍ତ ୨୦୧୭ ଡ଼ିସେମ୍ବର ସୁଦ୍ଧା ଓ ଦ୍ୱିତୀୟ ପଯ୍ୟର୍ାୟ ରାସ୍ତା ୨୦୧୯ରେ ସଂପୂର୍ଣ୍ଣ ହେବ। ରାଉରକେଲା ଠାରୁ ନୂଆପଡ଼ା ଦେଇ ଜଗଦଲପୁରର ଚନ୍ଦଲି ପଯ୍ୟର୍ନ୍ତ ଉନ୍ନତୀକରଣ ହେବ। ସମ୍ବଲପୁର ଠାରୁ ରାଉରକେଲା ୧୬୩ କିମି ରାସ୍ତା ପାଇଁ ୧୨ ଶହ ୯୨ କୋଟି ଟଙ୍କା ପିପିପି ମୋଡ଼ରେ ବିନିଯୋଗ ହୋଇଛି।

ସମ୍ବନ୍ଧିତ ଖବର