ନବୀନ ବିଜେଡିର ସର୍ବମାନ୍ୟ ନେତା, ଅଷ୍ଟମ ଥର ପାଇଁ ବିଜେଡି ରାଜ୍ୟ ସଭାପତି ଦାୟିତ୍ୱ ନେଲେ

ପାଟଖଣ୍ଡୁଆ, ମହାପ୍ରସାଦ, ଜୟ ଜଗନ୍ନାଥରୁ ଇଂନିସ ଆରମ୍ଭ
୮୦ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ବି ଘୋଷଣା କରାଗଲା
ଦଳର ସଦସ୍ୟ କୋଟିଏ ଡେଇଁଲା, ନିର୍ବାଚନ ପ୍ରକ୍ରିୟା ଶେଷ

ଭୁବନେଶ୍ବର : ଅଷ୍ଟମ ଥର ପାଇଁ ବିଜେଡି ରାଜ୍ୟ ସଭାପତି ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ପରିଷଦ ବୈଠକରେ ତାଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଦଳୀୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ସେ ୨୩ ତାରିଖ ଦିନ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ଔପଚାରିକତା କ୍ରମେ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ତାଙ୍କ ନାମ ଘୋଷଣା କରିଛନ୍ତି। ଦଳ ଗଠନ ହେବା ପରଠାରୁ ସେ ହିଁ ସଭାପତି ଭାବେ ରହିଆସିଛନ୍ତି। ଆଜିର ନିର୍ବାଚନ ସଙ୍କେତ ଦେଇଛି ଯେ ବିଜେଡିରେ ସେ ହିଁ ଏକମାତ୍ର ସର୍ବମାନ୍ୟ ନେତା। ତାଙ୍କ ନେତୃତ୍ବକୁ ସେଦିନ ସମସ୍ତେ ଯେମିତି ମାନୁଥିଲେ, ଆଜି ୨୩ ବର୍ଷ ପରେ ବି ସେତିକି ସ୍ବୀକୃତି ତାଙ୍କୁ ମିଳୁଛି। ପୂର୍ବରୁ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ସେ ସୂଚାଇ ଦେଇଥିଲେ, ତେଣିକି ଯେତେ ସଂଖ୍ୟକ ବିଧାୟକ ପଛେ ବଦଳନ୍ତୁ, ସେ ହିଁ ନେତା।

ଏଥିସହିତ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ ହୋଇଥିବା ୮୦ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା। ଏହି ସଦସ୍ୟମାନେ ମଧ୍ୟ ୨୩ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏଥିସହିତ ପ୍ରାୟ ଦୁଇମାସ ଧରି ଚାଲିଥିବା ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।

ସଭାପତି ଦାୟିତ୍ବ ନେବା ପରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଜୟ ଜଗନ୍ନାଥ କହି ସାଢ଼େ ଚାରି କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଲକ୍ଷ ଲକ୍ଷ ଦଳୀୟ କର୍ମକର୍ତାଙ୍କୁ ବି। କହିଥିଲେ ଯେ ନିର୍ବାଚନରେ ଜିତିବା ପାଇଁ ବିଜେଡି ଲଢ଼େଇ କରିନଥିଲା। ଲୋକଙ୍କ ସେବା କରିବା ତଥା ସ୍ନେହ ପାଇବା ପାଇଁ ନିର୍ବାଚନ ଲଢ଼ିଥିଲା।

ଏହି ଅବସରରେ ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଥିଲେ। କହିଥିଲେ, “ବିଜୁ ବାବୁ କହୁଥିଲେ ଯେ ସରକାର ଗଢ଼ିବା ପାଇଁ ଅଧିକ ଚିନ୍ତା କର ନାହିଁ। ଲୋକଙ୍କ ସେବା କରିବାକୁ ସବୁବେଳେ ଚିନ୍ତା କର।” ଏହି ଧାଡିକ ମନ୍ତ୍ର ଦେଇ ନବୀନ ତାଙ୍କ ଭାଷଣ ସାରିଦେଇଥିଲେ।

ରାଜ୍ୟ ପରିଷଦ ବୈଠକ ପ୍ରାରମ୍ଭରେ ଶ୍ରୀ ଦେବ କହିଥିଲେ ଯେ ବିଜେଡି ସଭ୍ୟ ସଂଖ୍ୟା ୧କୋଟି ଅତିକ୍ରମ କରିଛି। ଦଳ ଯେଉଁ ଲକ୍ଷ୍ୟ ନେଇଥିଲା, ତାକୁ ହାସଲ କରି ଦେଖାଇଛି। ସମସ୍ତ ସଦସ୍ୟଙ୍କ ଆଧାର ଓ େଭାଟର କାର୍ଡ ସଂଯୋଗ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ବର ୨୭ରୁ ୧୨ ଜାନୁଆରି ମଧ୍ୟରେ ବିଜେଡି ପଞ୍ଚୟତ ଓ ଵାର୍ଡ ସଭାପତି ମନୋନୟନ ପ୍ରକ୍ରିୟା ସାରିଥିଲା। ପରେ ଜାନୁଆରି ୧୪ରୁ ୩୦ ଯାଏ ବ୍ଲକ ଓ ନଗର ସଭାପତି ଚୟନ କରାଯାଇଥିଲା। ୩୧ ଜାନୁଆରିରୁ ୧୪ ଫେବ୍ରୁଆରି ମଧ୍ୟରେ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିଲା। ଶେଷରେ ୩୫୫ ବିଶିଷ୍ଟ ରାଜ୍ୟ ପରିଷଦ ଗଠନ କରାଯାଇ ୨୩ ତାରିଖରେ ବୈଠକ ହୋଇଥିଲା। ଏଥିରୁ ୮୦ଜଣ ସଦସ୍ୟ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ। ସେହି ସମାନ ସମୟରେ ସଭାପତି ନିର୍ବାଚନ ପ୍ରକ୍ରିୟାର ଅଂଶ ସ୍ବରୂପ ନବୀନ ପଟ୍ଟନାୟକ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଉଲ୍ଲେଖନୀୟ କଥା ଥିଲା, ନବୀନ ସଭାପତିତ୍ବ ସଂପର୍କରେ ଘୋଷଣା ହେବା ପରେ ତାଙ୍କୁ ପ୍ରଥମେ ଶ୍ରୀ ଦେବ ପୁଷ୍ପଗୁଚ୍ଛ ଦେଇଥିଲେ ଓ ମହାପ୍ରଭୁଙ୍କ ଗୀତ ଗୋବିନ୍ଦ ପାଟ ପକାଇଥିଲେ। ଏହାପରେ ମହାପ୍ରଭୁଙ୍କ ମହାପ୍ରସାଦ ତାଙ୍କୁ ଦିଆଯାଇଥିଲା ଏବଂ ତାକୁ ସ୍ପର୍ଶ କରି ତାଙ୍କର ନୂଆ ଇଂନିସ ଆରମ୍ଭ କରିଥିଲେ ନବୀନ। ନିଜର ପ୍ରଥମ ଭାଷଣର ପ୍ରଥମ ଶବ୍ଦ ମଧ୍ୟ ଜୟ ଜଗନ୍ନାଥ ଥିଲା।

ସମ୍ବନ୍ଧିତ ଖବର