ଭୁବନେଶ୍ବର : କ୍ରମାଗତ ଭାବେ ୫ ଦିନ ବିଧାନସଭା ଅଚଳ ହେବା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହାର ସମାଧାନ କରିବା ଦାବିରେ ଭେଟିଛନ୍ତି ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଆଜି ସକାଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ବିଧାୟକ। ନବୀନ ନିବାସର ଗେଟ ବନ୍ଦ ଥିବାରୁ ସେଠାରେ ସେମାନେ ଧାରଣାରେ ବସିଥିଲେ। ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ସେମାନଙ୍କ ନିକଟକୁ ଆସି ଆଲୋଚନା ଲାଗି ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ଓ ବିଜେପି ବିଧାୟକଙ୍କ ସହ ଆଲୋଚନା କରି ଗୃହକୁ ପୁଣି ସ୍ବାଭାବିକ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ନବୀନ ନିବାସରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଛି କହିଛନ୍ତି ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀ ଗୃହକୁ ଆସିବା ସହ ମଣ୍ଡିରୁ ସମସ୍ତ ଧାନ ଉଠିବା ନେଇ ବିଜେପି ଦାବି କରିବା ପରେ ଏଥିରେ ମୁଖ୍ୟମନ୍ତ୍ରୀ ରାଜି ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। କିଭଳି ବିଧାନସଭା ସୁରୁଖୁରୁରେ ଚାଲିବ ସେ ନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମତ ରଖିଛନ୍ତି।
ପ୍ରଦୀପ୍ତ ନାଏକ କହିଛନ୍ତି, ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇ ନଥାନ୍ତୁ । ମୁଖ୍ୟମନ୍ତ୍ରୀ ଡାକିବାରୁ ଆମେ ଭିତରକୁ ଯାଇଥିଲୁ । କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି । ବିଜେପିର ନବୀନ ନିବାସ ଯାତ୍ରାକୁ ନେଇ ପ୍ରତାପ କହିଥିଲେ, ନବୀନ ନିବାସ ହେଉଛି ପବିତ୍ର ସ୍ଥଳ, ଏଠାକୁ ଆସିଲେ ବିରୋଧୀ ଦଳ ନେତାଙ୍କର ପାପ ଧୋଇଯିବ, ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି ।
ତେବେ ବିଜେପି ଟିମ୍ ନବୀନ ନିବାସ ସାମ୍ନାରେ ପହଞ୍ଚିବା ପରେ ଗେଟ୍ ବନ୍ଦ ଥିବା କହି ଧାରଣାରେ ବସିଥିଲେ। ବିଜେଡି ନେତା ହାତଯୋଡ଼ି ନିବେଦନ କରିବା ପରେ ମଧ୍ୟ ଭିତରକୁ ଯିବାକୁ ରାଜି ହୋଇ ନଥିଲେ ବିଜେପି ବିଧାୟକ। ଶେଷରେ ନବୀନ ନିବାସରୁ ନିଜେ ଆସିଥିଲେ ନବୀନ। ଧାରଣାରେ ବସିଥିବା ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ଆଉ ବିରୋଧୀ ଦଳ ନେତାଙ୍କୁ ସାଥୀରେ ନବୀନ ନିବାସ ଭିତରକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ।