ନବୀନ କହିଲେ, ନୂଆ ରାଜଧାନୀ ଏକ୍ସପ୍ରେସ୍‌ ଦିଅ

ଟ୍ରେନ୍‌ ରାଜନୀତି

ଭୁବନେଶ୍ୱର : ସମ୍ବଲପୁର ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଚଳାଚଳ କରିବ ବୋଲି ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କିନ୍ତୁ ଏହି ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ପତ୍ର ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି। ନୂଆ ରାଜଧାନୀ ଏକ୍ସପ୍ରେସ୍‌ ପାଇଁ ଦାବି କରାଯାଇଥିଲା ବେଳେ ପ୍ରଚଳିତ ଟ୍ରେନ୍‌ରୁ ସପ୍ତାହକୁ ଗୋଟିଏ ଦିନ ରୁଟ୍‌ ବଦଳାଇ ସମ୍ବଲପୁର ଦେଇ ଚଳାଚଳ କରାଇବା ନିଷ୍ପତ୍ତି ଠିକ୍‌ ହେଲାନି ବୋଲି ନବୀନ ଜଣାଇଛନ୍ତି।

ନବୀନଙ୍କ ଏହି ପତ୍ରକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର୍‌ ଧରିଛି। ସମ୍ବଲପୁର ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଚଳାଚଳ ଏବେ ରାଜନୈତିକ ଛକାପଞ୍ଝାରେ ଫସିଯାଇଛି। ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ୍‌ ଚଳାଚଳ କରିବାକୁ ଦାବି କରିଥିଲେ। ଏହାର ସପ୍ତାହକ ପରେ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ସେ ଜଣାଇଥିଲେ ଯେ ୨୦୧୬ ଅକ୍ଟୋବର, ୨୦୧୭ ଏପ୍ରିଲ୍‌ ଓ ଜୁନ୍‌ ମାସରେ ଶ୍ରୀ ପ୍ରଧାନ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି ସମ୍ବଲପୁର ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଚଳାଚଳ କରାଇବାକୁ ଅନୁରୋଧ କରିଥିଲେ। ଶ୍ରୀ ପ୍ରଧାନଙ୍କ ଚିଠି ଭିତ୍ତିରେ ରେଳ ମନ୍ତ୍ରଣାଳୟ ସମ୍ବଲପୁର ଦେଇ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ସଂଯୋଗବଶତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇଥିଲେ। ଶ୍ରୀ ପ୍ରଧାନଙ୍କ ଚିଠି ଭିତ୍ତିରେ ନିଷ୍ପତ୍ତି ନିଆଯାଇଥିବା ନେଇ ଶ୍ରୀ ଗୋଏଲ୍‌ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଧର୍ମେନ୍ଦ୍ରଙ୍କୁ ଶ୍ରୀ ଗୋଏଲ୍‌ଙ୍କ ଚିଠି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ୍‌ର ଶ୍ରେୟ କାହାକୁ ଯିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ଆଜି ଚିଠି ଲେଖି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛନ୍ତି। କେନ୍ଦ୍ରର ନିଷ୍ପତ୍ତିରେ ସେ ଆଦୌ ଖୁସି ନାହାନ୍ତି ବୋଲି ଜଣାଇଦେଇଛନ୍ତି। ଏହା ସହ ପ୍ରସ୍ତାବିତ ଷ୍ଟପେଜ୍‌କୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଓଡ଼ିଶା ରେଳବାଇକୁ ବହୁ ପରିମାଣର ରାଜସ୍ୱ ଦେଉଥିଲେ ବି ଓଡ଼ିଶାକୁ ତା’ର ହକ୍‌ ମିଳୁ ନାହିଁ। ବିଶେଷ କରି ପଶ୍ଚିମ ଓଡ଼ିଶା ଅଧିକ ଅବହେଳିତ ହୋଇ ରହିଛି। ଗତ ୨୭ ତାରିଖରେ ରେଳଭବନରେ ସାକ୍ଷାତ ସମୟରେ ସମ୍ବଲପୁର ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ କରିବାକୁ ମୁଁ କହିଥିଲି। ଦୀର୍ଘ ଦିନର ଦାବି ପରେ ରେଳବାଇ ଏଥିରେ ରାଜି ହୋଇଥିଲା। ଆଲୋଚନା ସମୟରେ ମଧ୍ୟ ରେଳ ମନ୍ତ୍ରୀ ଏ ନେଇ ନିଶ୍ଚିତ କରିଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ନୂଆ ଟ୍ରେନ୍‌ ପରିବର୍ତ୍ତେ ପ୍ରଚଳିତ ଟ୍ରେନ୍‌ରୁ ଗୋଟିଏ ସପ୍ତାହକୁ ଥରେ ରୁଟ୍‌ ବଦଳାଇ ସମ୍ବଲପୁର ଦେଇ ଯିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ଦୁର୍ଭାଗ୍ୟଜନକ। ଏହା ଦ୍ୱାରା ବର୍ତ୍ତମାନ ରୁଟ୍‌ରେ ରାଜଧାନୀ ଏକ୍ସପ୍ରେସ୍‌ ସେବା ହ୍ରାସ ପାଇବ। ମୁଖ୍ୟମନ୍ତ୍ରୀ ଆହୁରି ଅସନ୍ତୋଷ ପ୍ରକାଶ କରିଛନ୍ତି, ସମ୍ବଲପୁର ଦେଇ ଯିବାକୁ ଥିବା ରାଜଧାନୀ ଏକ୍ସପ୍ରେସ୍‌ର ଯେଉଁ ବିଜ୍ଞପ୍ତି ରେଳବାଇ ପ୍ରକାଶ କରିଛି, ତାହାର ରୁଟ୍‌ ମଧ୍ୟ ଠିକ୍‌ ଭାବେ ଯୋଜନା କରାଯାଇନାହିଁ। ବର୍ତ୍ତମାନ ରାଜଧାନୀ ଏକ୍ସପ୍ରେସ୍‌ ବାଲେଶ୍ୱର ଓ ଭଦ୍ରକ ଦେଇ ଯାଉଛି ଏବଂ ସେଠାରେ ଜିଲ୍ଲା ମୁଖ୍ୟ ଷ୍ଟେସନ୍‌ରେ ଷ୍ଟପେଜ୍‌ କରୁଛି। କିନ୍ତୁ ସମ୍ବଲପୁର ଦେଇ ଯିବାକୁ ଥିବା ରାଜଧାନୀ ଏକ୍ସପ୍ରେସ୍‌ର ଷ୍ଟପେଜ୍‌ ଢେଙ୍କାନାଳ ଓ ଅନୁଗୁଳରେ ରଖାଯାଇ ନାହିଁ। ଫଳରେ ସେହି ସବୁ ଅଞ୍ଚଳର ଲୋକମାନଙ୍କ ଆଶା ପୂରଣ ହୋଇପାରିବ ନାହିଁ। ତେଣୁ ନିଷ୍ପତ୍ତିକୁ ପୁନର୍ବିଚାର କରି ନୂଆ ଟ୍ରେନ୍‌ ଚଳାଚଳ କରିବା ସହ ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନ୍‌ରେ ଷ୍ଟପେଜ୍‌ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର