ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଭୟ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି। ଭିଡ଼ିଓ କନଫରେନ୍ସିଂ ଯୋଗେ ହୋଇଥିବା ଏହି ଆଲୋଚନାରେ ପ୍ରବାସୀ ଓଡ଼ିଆଙ୍କ ଫେରିବା ସଂପର୍କ ସ୍ଥାନ ପାଇଥିଲା। ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ।

Advertisment

ଲକ୍‌ଡାଉନ୍ ସମୟରେ ସେଠାରେ ରହୁଥିବା ଓଡ଼ିଆଙ୍କର ଯତ୍ନ ନେଇଥିବାରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିୟୁୁରପ୍ପାଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ। ଓଡ଼ିଶାକୁ ଫେରିବାକୁ ଚାହୁଁଥିବା େଲାକ କିଭଳି ସୁବିଧାରେ ରାଜ୍ୟକୁ ଫେରିଆସିବେ, ସେ ନେଇ ଶ୍ରୀ ୟେଦିୟୁରପ୍ପାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଵାଇ ଏସ୍ ଜଗନ ମୋହନ ରେଡ୍ଡୀଙ୍କୁ ମଧ୍ୟ ସମାନ କଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

ଆଲୋଚନା ସମୟରେ ଉଭୟ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ସେମାନଙ୍କ ରାଜ୍ୟ ସରକାର ଇତିମଧ୍ୟରେ ଅନେକ କାର୍ଯ୍ୟ ଆରମ୍ଭ କରିସାରିଲେଣି। ତେଣୁ ଯେଉଁମାନେ ଚାହିଁବେ ସେମାନେ ସେଠାରେ ରହି କାମ କରିପାରିବେ। ଯେଉଁମାନେ ଓଡ଼ିଶା ଫେରିବାକୁ ଚାହିଁବେ, ସେମାନଙ୍କୁ ସବୁ ପ୍ରକାର ସହଯୋଗ ମିଳିବ।

ଯେଉଁମାନେ ଓଡ଼ିଶା ଫେରିବାକୁ ଆଗ୍ରହୀ ସେମାନଙ୍କୁ ଯେପରି ସେଠାରୁ ଓଡ଼ିଶା ସରକାରଙ୍କ ଅନ୍ ଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ, ସେ ନେଇ ସହଯୋଗ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକମାନଙ୍କର ସ୍କ୍ରିନିଂ, ରେଜିଷ୍ଟ୍ରେସନ୍ ଏବଂ ଯାତ୍ରା ସଂପର୍କିତ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଏକ ବିଧିବଦ୍ଧ ପୋର୍ଟାଲ ପ୍ରସ୍ତୁତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା େହାଇଥିଲା।

ଏହି ଆଲୋଚନାରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।