୨୦୨୨ ସୁଦ୍ଧା ବସ୍ତିବାସିନ୍ଦାଙ୍କୁ ପକ୍କା ଘର

୮୮୯୯ ଜଣଙ୍କୁ ବାଣ୍ଟିଲେ ଆବଣ୍ଟନ ପତ୍ର

ଭୁବନେଶ୍ବର : ରାଜଧାନୀରେ ୧୦ହଜାର ବସ୍ତିବାସିନ୍ଦାଙ୍କ ପାଇଁ ଆବାସ୍‌ ମିସନ୍ ଯୋଜନାରେ ବାସଗୃହ ଆବଣ୍ଟନକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏଥିରେ ମୋଟ୍‌ ୮୮୯୯ଜଣଙ୍କୁ ଆବଣ୍ଟନ ପତ୍ର ବଣ୍ଟା ଯାଇଥିବାବେଳେ ଏଥିରୁ ୧୦୪ଜଣଙ୍କୁ ଚୂଡ଼ାନ୍ତ ଆବଣ୍ଟନ ପତ୍ର, ୧୩୦ଜଣଙ୍କୁ ପ୍ରୋଭିଜିନାଲ ଆବଣ୍ଟନ ପତ୍ର, ୮୬୬୫ଜଣଙ୍କୁ ଏନଟାଇଟେଲମେଣ୍ଟ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି।

ଏହି ଉପଲକ୍ଷେ ଜନତା ମଇଦାନରେ ଆୟୋଜିତ ଏକ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗରିବ ଲୋକଙ୍କ କଲ୍ୟାଣ ତାଙ୍କ ସରକାରର ପ୍ରାଥମିକତା ରହିଆସିଛି। ସେ ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିଚାଲିବେ। ଗରିବ ଲୋକର ଖୁସି ମୋର ସବୁଠାରୁ ବଡ଼ ସନ୍ତୋଷ। ତେଣୁ ୨୦୨୨ ସୁଦ୍ଧା ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କୁ ପକ୍କା ଘର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧୦ହଜାର ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଯୋଗାଇବା ପାଇଁ ଯୋଜନା ହୋଇଥିବାବେଳେ ରାଜ୍ୟ ସରକାର ରାଜଧାନୀରେ ୨ହଜାର ବସ୍ତିବାସିନ୍ଦାଙ୍କୁ ଘର ଆବଣ୍ଟନ କରିସାରିଲେଣି। ରାଜ୍ୟର ସହରାଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଓଡ଼ିଶା ସହରାଞ୍ଚଳ ବାସଗୃହ ମିସନ୍ ମାଧ୍ୟମରେ ପକ୍କା ଘର ଯୋଗାଇବା ପାଇଁ ରାଜ୍ୟ ସରକାର ୨୦୧୫ରେ ଘୋଷଣା କରିଥିବାବେଳେ ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ ବୋଲି କୁହାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ମିସନ ଶକ୍ତିର ମା’ ମାନଙ୍କୁ ରାଜ୍ୟର ବିକାଶରେ ସାରଥି ଭାବେ ବର୍ଣ୍ଣନା କରି କହିଲେ ଯେ, ତାଙ୍କ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରିଛି। ୨୦୧୫ରେ ମିସନ ଶକ୍ତିର ମା’ମାନଙ୍କୁ ୧% ସୁଧରେ ଋଣ ଦିଆଯାଉଥିବାବେଳେ ବର୍ତ୍ତମାନ ବିନା ସୁଧରେ ଋଣ ଦିଆଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗାଡ଼କଣରେ ନିର୍ମାଣ ହୋଇଥିବା ରଙ୍ଗମାଟିଆ ବସ୍ତି ଉନ୍ନତିକରଣ ପ୍ରକଳ୍ପ ଏବଂ ଖାରବେଳନଗରରେ ନିର୍ମାଣ ଶ୍ରମିକଙ୍କ ପାଇଁ ହୋଇଥିବା ନିର୍ମାଣ ଶ୍ରମିକ ରହଣି ସ୍ଥଳକୁ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ବର ଏକାମ୍ର, ମଧ୍ୟ ଏବଂ ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପାଇଁ ରାସ୍ତାଘାଟ, ବିଜୁଳି, ଡ୍ରେନେଜ୍ ଆଦି ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର