କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି : ବିଜେଡି ପୁଣି ସରକାର ଗଢ଼ିବ

ରୋଡ୍‌ସୋ’ ବେଳେ କହିଲେ କେନ୍ଦ୍ରାପଡ଼ା ମୋ’ର, ଆପଣମାନେ ଖୁସି ତ?

କେନ୍ଦ୍ରାପଡା/ମହାକାଳପଡ଼ା/ଏରସମା : ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିବାକୁ ଆଉ ଗୋଟିଏ ଦିନ ବାକିଥିଲାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ମାରାଥନ୍‌ ପ୍ରଚାର କରିଛନ୍ତି। ଜଗତ୍‌ସିଂହପୁରର ଏର୍‌ସମାଠାରେ ନିର୍ବାଚନୀ ସଭାରେ ଯୋଗ ଦେଇଥିବାବେଳେ କେନ୍ଦ୍ରାପଡ଼ାରେ ରୋଡ୍‌ସୋ’ କରିଛନ୍ତି। କେନ୍ଦ୍ରାପଡ଼ାକୁ ‘ମୋର’ ବୋଲି କହି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ହେଲିକପ୍ଟର ଯୋଗେ ଏରସମା ବ୍ଲକର ଗୋଡା କଲେଜ ପଡିଆରେ ଅବତରଣ କରିଥିଲେ। ସେଠାରେ ଆୟୋଜିତ ସଭାରେ ଯୋଗ ଦେଇ କହିଥିଲେ ଯେ, ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନାହିଁ। ବିଜେଡି ସରକାରରେ ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦେଉଛି। ଗରିବ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଜନହିତକର ଯୋଜନା କରୁଛି। କିନ୍ତୁ କେନ୍ଦ୍ରର ନେତାମାନେ ବନ୍ୟା ବାତ୍ୟା ମରୁଡି ସମୟରେ ଦେଖା ନଦେଇ କେବଳ ନିବାର୍ଚନ ଆସିଲେ ଦେଖା ଦିଅନ୍ତି ବୋ କହିବା ସହ ଏଥର ବିଜେଡି ପୁଣି ସରକାର ଗଢିବା ନିଶ୍ଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବାଲିକୁଦା-ଏରସମା ନିବାର୍ଚନ ମଣ୍ତଳୀର ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ସପକ୍ଷରେ ମତଦାନ କରିବା ପାଇଁ ନିବେଦନ କରିଥିଲେ।

ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭୁପିନ୍ଦର ସିଂ, ରାଜ୍ୟ ସଂପାଦକ ସାରଦା ପ୍ରସନ୍ନ ଜେନା, ପର୍ଯ୍ୟବେକ୍ଷକ ତନ୍ମୟ ସ୍ବାଇଁ, ଭୀମସେନ ମୁଦୁଲି , ସାଂସଦ କୁଳମଣି ସାମଲ, ଏରସମା ବ୍ଲକ ସଭାପତି ପୀତବାସ ଗଛାୟତ, ବାଲିକୁଦା ବ୍ଲକ ସଭାପତି ରତ୍ନାକର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଦୀପ୍ତିରଂଜନ କୁଅଁର, ସ୍ବର୍ଣ୍ଣଲତା ସେନାପତି, ଗୀତାରାଣି ପାଳ, ଏରସମା ବ୍ଲକ ଅଧକ୍ଷ ପ୍ରଣବ ସ୍ବାଇଁ, ବାଲିକୁଦା ବ୍ଲକ ଅଧକ୍ଷ ମଧୁସ୍ମିତା ସାହୁ, ବବିତା ସ୍ବାଇଁ, ଜୟଶ୍ରୀ ଦର୍ପଦଳିନୀ ମଲ୍ଲିକ, ଶିଶିର ବିଶ୍ବାଳ, ପଦ୍ମପୁର ସରପଂଚ କେଶବ ପାତ୍ର, ସୈାରଭ ଦାସ, ପ୍ରଭାକର ବେହେରା, ସମାଜସେବୀ ମଦନାନନ୍ଦ ଗୋଛାୟତ, ପ୍ରଭାତ ପତି, ମହେନ୍ଦ୍ର ସେନାପତି, ବ୍ଲକ ଉପସଭାପତି ବିଜୟ ପାଳ, ତମିଲ ପ୍ରଧାନ, ନୃସିଂହ ଦାସ, ବଳେଇପୁର ସରପଂଚ ମୁରଲିଧର ମଲ୍ଲିକ, ବ୍ରଜ ପ୍ରଧାନ, ସଂପଦ ବାରିକ, କ‌ିଶୋରୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାରରେ ଆସି କେନ୍ଦ୍ରାପଡ଼ାରେ ରୋଡ ସୋ’ କରିଥିବାବେଳେ ଆସନ୍ତାକାଲି ବି ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ହେଲିକ୍ପଟରରେ ଆସି ମହାକାଳପଡ଼ା ବ୍ଲକ୍ ଖରିନାସୀ ପଂଚାୟତର ହରିଆବାଙ୍କ ମା ଶୀତଳା ମନ୍ଦିର ନିକଟରେ ପହଁଚିବା ପରେ ସ୍ବତନ୍ତ୍ର ବସ୍‌ରେ ରୋଡ ସୋ’ ରେ ବାହାରି ଥିଲେ। ମୁଖ୍ୟମନ୍ତ୍ରୀ ବସ୍‌ ଉପରୁ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଜୟ ଜଗନ୍ନାଥ କହିବା ସହ କେନ୍ଦ୍ରାପଡା ମୋ’ର, ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ସମସ୍ତେ ଖୁସି ତ ବୋଲି ଲୋକଙ୍କୁ ପଚାରି ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ହରିଆବାଙ୍କ, ଛପାଲିଗଡ଼ା, ନନତାରା ଗଡ଼ା, ମଙ୍ଗଳପୁର ଛକରେ ରହି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ଡବଲ ଶଙ୍ଖରେ ମୋହର ମାରି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାନ୍ତୁ ବୋଲି ଅନୁରୋଧ କରିଥିଲେ।

ଖରିନାସୀରୁ ରାମନଗର, ବଉଳକଣି, ବାରଡାଙ୍ଗ, ମଙ୍ଗଳପୁର ଦେଇ ବସ୍‌ ପହଁଚିଥିଲା ମହାକାଳପଡ଼ା ପଂଚାୟତରେ ମୁଖ୍ୟମନ୍ତ୍ରୀ ରୋଡ୍ ସୋରେ ଯିବା ବେଳେ ଜମ୍ବୁ ମାର୍ଶାଘାଇ କେନାଲ ରୋଡ ଉପରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି, ବ୍ରହ୍ମପୁର ଲୋକସଭା ଆସନ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଓ ଅନ୍ୟମାନେ ଏହି ରୋଡ ସୋ’ରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସେଠାରୁ ମାର୍ଶାଘାଇ ବ୍ଲକ୍ ଅଭିମୁଖେ ଯାଇ ଗରଦପୁରରେ ପହଁଚି ଡାକବଙ୍ଗଳରେ ମଧ୍ୟାହ୍ନ ଭୋଜନ କରିବା ସହ ବିଶ୍ରାମ ନେଇଥିଲେ। ପୁଣି ଅପରାହ୍ନରେ କୋରୁଆ ଠାରେ ରୋଡ ସୋ’ରେ ଲୋକଙ୍କୁ ସମ୍ବୋଧିତ କରିଥିଲେ।

ସମ୍ବନ୍ଧିତ ଖବର