ବିଦା ହେଲେ ଦାମ : ନୂଆଦିଲ୍ଲୀରେ ନିଷ୍ପତ୍ତି ଶୁଣାଇଲେ ନବୀନ, ଶକ୍ତ ବାଣ ପେଷିଥିଲେ ଦାମ, ବୁମେରାଂ ହେଲା

ମହଙ୍ଗା ପଡ଼ିଲା ତୁଣ୍ଡ

ଭୁବନେଶ୍ୱର : ମନ୍ତ୍ରୀ ଥିବା ବେଳେ ବି ସରକାରକୁ ଅଡୁଆରେ ପକାଉଥିଲେ। ଗତ କିଛି ଦିନ ହେଲା ସୀମା ସରହଦ କିଛି ନ ମାନି ଏମିତି ଗର୍ଜୁଥିଲେ ଯେ ସରକାର ଓ ଦଳ ଅଣନିଶ୍ୱାସୀ ହୋଇପଡ଼ିଥିଲା। ଶେଷରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଥାଇ ଆଜି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବିଜେଡି ପକ୍ଷରୁ ସଂପାଦକ ବିଜୟ କୁମାର ନାୟକ ଏକ ତିନି ଧାଡିଆ ପ୍ରେସ ଇସ୍ତାହାର ଜାରି କରି ଏହି ସୂଚନା ଦେଇଛନ୍ତି। ଏହାସହିତ ଡାକ୍ତର ରାଉତଙ୍କ ସହିତ ବିଜେଡି ଆଜି ସବୁ ସଂପର୍କ ଛିନ୍ନ କରିଛି।

ଆଜି ପୂର୍ବାହ୍ନରେ ଦାମୋଦର ରାଉତ ଏକ ଶକ୍ତ ବାଣ ପେଷିଥିଲେ। ଉପରେ ନବୀନଙ୍କୁ ପ୍ରଶଂସା ବୋଲି ଧାରଣା ସୃଷ୍ଟି ହୋଇଥିଲେ ହେଁ, ତାଙ୍କର ନେତୃତ୍ୱ ଦୁର୍ବଳ ହୋଇଗଲାଣି, ସରକାରକୁ ଦୁର୍ନୀତି ଚରିଯାଇଛି, ବିରୋଧୀ ଚୁପ୍‌ ବସିଛନ୍ତି ଓ ସେ କେବଳ ଏହି ସତ କଥା ବଖାଣୁଛନ୍ତି ବୋଲି ଲୋକଙ୍କୁ ବାର୍ତା ଛାଡ଼ିଥିଲେ। ଏହାକୁ ନେଇ ବିଜେଡିର ଶୀର୍ଷ ମହଲ ବିଚଳିତ ହୋଇପଡ଼ିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଏସଂପର୍କରେ ଜାଣିବା ପରେ ଭୀଷଣ ବିରକ୍ତ ହୋଇଥିଲେ। ଏଥିସହିତ ଦାମଙ୍କ ବହିଷ୍କାର ଚାପକୁ ଆଉ ଟାଳିବା ଲାଗି ଆଗ୍ରହ ଦେଖାଇନଥିଲେ ନବୀନ। ତୁରନ୍ତ ଦାମଙ୍କୁ ବିଜେଡିରୁ ବିଦା କରିବା ଲାଗି ଆଦେଶ ମିଳିଥିଲା।

ଦାମଙ୍କ ଏଭଳି ବହିଷ୍କାର ନିଷ୍ପତ୍ତି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ସରକାରରେ ମନ୍ତ୍ରୀ ଥିବା ବେଳେ ନିଜ ତୁଣ୍ଡକୁ ନିୟନ୍ତ୍ରଣରେ ରଖିପାରୁନଥିଲେ ବୋଲି ଏକାଧିକ ଥର ତାଙ୍କର ପଦ ଯାଇଥିଲା। ଶେଷଥର ମଧ୍ୟ ବ୍ରାହ୍ମଣଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ସେ ମନ୍ତ୍ରୀ ଓ ଦଳୀୟ ପଦବି ହରାଇଥିଲେ। ତଥାପି ଦଳ ଭିତରେ ରହି ସରକାର ଓ ବିଜେଡି ବିରୋଧରେ ଗଣମାଧ୍ୟମରେ ବିଷୋଦ୍‌ଗାର କରିବାରୁ ନିଜକୁ ନିବୃତ୍ତ କରାଇପାରିନଥିଲେ ଦାମୋଦର। ବରଂ ହଟଚମଟ କରି ନିଜର ନେତୃତ୍ୱକୁ ପ୍ରତିଷ୍ଠା କରିବା ଲାଗି ଜୋରଦାର ଉଦ୍ୟମ ଚଳାଇଥିଲେ।

ଗତ ୧୦ ତାରିଖରେ ବିଜେଡି ଜିଲ୍ଲା ସଭାପତି ଓ ବାଲିକୁଦା ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ନବୀନଙ୍କୁ ଭେଟି ଦାମଙ୍କ ଦଳ ବିରୋଧୀ ଓ ଅପରାଧ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ। ସେବେଠାରୁ ସଙ୍କେତ ମିଳିଥିଲା, ଯେ କୌଣସି ମୁହୂର୍ତରେ ଦାମଙ୍କୁ ବିଜେଡି କବାଟ କିଳିଦେଇପାରେ। ଦାମ ବିଦା ହେବେ ବୋଲି ‘ସମ୍ବାଦ’ରେ ଗତକାଲି ଖବର ପ୍ରକାଶ ପାଇଥିଲା। ଏପଟେ ଗତକାଲି ନବୀନ ନୂଆଦିଲ୍ଲୀ ଯିବା ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ ଓ ଶହ ଶହ ବିଜେଡି କର୍ମୀ ଦାମଙ୍କ ଦଳ ବିରୋଧୀ କାର୍ଯ୍ୟ ନେଇ ଫେରାଦ ହୋଇଥିଲେ। ତଥାପି ନବୀନଙ୍କ ଭରସା ତୁଟିନଥିଲା ଦାମଙ୍କ ଉପରୁ। ଦାମଙ୍କ ବିରୋଧରେ ଆଖିବୁଜା କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ସେ ଆଶ୍ୱାସନା ଦେଇଥିଲେ ଯେ ଅଭିଯୋଗର ଅନୁଧ୍ୟାନ କରାଯିବ। ଏଥିସହିତ ଦାମଙ୍କ ବିଦା ନିଷ୍ପତ୍ତିକୁ ଟାଳି ଦେଇଥିଲେ।

ଦାମଙ୍କ ଉପରେ କିନ୍ତୁ ଏହାର ସାମାନ୍ୟତମ ପ୍ରଭାବ ପଡିନଥିଲା। ଆଜି ପ୍ରଶଂସା ଆଳରେ ଦାମ ନବୀନଙ୍କ ନେତୃତ୍ୱ ଓ ସରକାର ସଂପର୍କରେ ଯେଉଁ ବାଣ ପେଷିଲେ, ତାହା ଶେଷରେ ବୁମେରାଂ ହୋଇଛି। ବିଜୁଙ୍କ ନାମରେ ଗଠିତ ବିଜେଡି-ଦାମଙ୍କ ପାଖାପାଖି ଦୁଇ ଦଶନ୍ଧିର ସଂପର୍କରେ ପୂର୍ଣ୍ଣଛେଦ ଟାଣିଛନ୍ତି ନବୀନ।

ଯଦିଓ ବିଜେଡି ଗଠନ ବେଳେ ଦାମ ଗେଣ୍ଡା ଦଳ ବୋଲି କଟାକ୍ଷ କରିଥିଲେ, ପରେ କିନ୍ତୁ ସେହି ବିଜେଡିରେ ଯୋଗଦେଇଥିଲେ ଓ ଚାରି ଥର ଶଙ୍ଖ ଚିହ୍ନରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏକାଧିକବାର ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ। ନବୀନ ତାଙ୍କୁ ଦଳର ମହାସଚିବ ନିଯୁକ୍ତି ଦେଇଥିଲେ ଓ ଉପସଭାପତି ଭଳି ଶୀର୍ଷ ପଦବିରେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା। ହେଲେ ଏସବୁ କ୍ଷମତାକୁ ତାଙ୍କ ତୁଣ୍ଡ ହିଁ ଗିଳି ଦେଇଥିଲା।

ତାସତ୍ତ୍ୱେ ନବୀନଙ୍କ କରୁଣା ଦାମଙ୍କ ପାଇଁ ଊଣା ନଥିଲା। ସେ ନିକଟରେ ଦାମଙ୍କ ଉତ୍ତରାଧିକାରୀଙ୍କୁ ବିଜେଡିରେ ସ୍ୱୀକୃତି ଦେବାକୁ ଯାଇ ପୁଅ ସମ୍ବିତ ରାଉତଙ୍କୁ ସଂଗଠନରେ ସଂପାଦକ ଭାବେ ନିଯୁକ୍ତି ଦେଇଥିଲେ। ଏହା ପୂର୍ବରୁ ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ବିଜେଡି ଟିକେଟ୍‌ ମିଳିଥିଲା ଓ ସେ ଏବେ ଭୁବନେଶ୍ୱରରେ ବିଜେଡିର କର୍ପୋରେଟର ଅଛନ୍ତି।

ଉଲ୍ଲେଖଯୋଗ୍ୟ, ସରକାରଙ୍କ ବିରୋଧରେ ଦାମ ଚାରା, ସମବାୟ, ଓମ୍‌ଫେଡ୍‌ ଓ ସ୍ୱାସ୍ଥ୍ୟ କେଳେଙ୍କାରୀ ଅଭିଯୋଗ ଆଣିଥିବା ବେଳେ ଦଳୀୟ କର୍ମୀ ଓ ନେତା ତାଙ୍କ ବିରୋଧରେ ମଧ୍ୟ ସଙ୍ଗିନ୍‌ ଅଭିଯୋଗ କରିଥିଲେ। ଟିଟୋ ଲିଙ୍କ୍‌ରେ ଗିରଫ ହୋଇଥିବା ବାପୁ ପରିଡାଙ୍କ ସହ ଦାମଙ୍କ ଘନିଷ୍ଠତା ଠାରୁ ଆରମ୍ଭ କରି ଜଗତସିଂହପୁରରେ ଦଳ ବିରୋଧୀ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଲମ୍ବା ତାଲିକା ଧରାଇଥିଲେ। ଏପରିକି ଦାମଙ୍କ ବିଜେପି ଓ କଂଗ୍ରେସ ସହିତ ଥିବା ସଂପର୍କ ନେଇ ଅଭିଯୋଗ ଅଣାଯାଇଥିଲା।

ମହଙ୍ଗା ପଡ଼ିଲା ତୁଣ୍ଡ

ଭୁବନେଶ୍ୱର : ପାରାଦୀପ ବିଧାୟକ ଦାମୋଦର ରାଉତ ଆଜି ରାଜ୍ୟ ସରକାରଙ୍କ ବିରୋଧରେ ଶକ୍ତ ବାଣ ପେଷିଥିଲେ। ଉପରକୁ ଏହା ନବୀନଙ୍କ ପାଇଁ ଫୁଲହାର ସଦୃଶ ମନେ ହେଉଥିଲେ ହେଁ, ମୁଖିଆଙ୍କ ନେତୃତ୍ୱ, ସରକାର ଓ ଦଳ ଉପରେ କର୍ତୃତ୍ୱକୁ ପଦାକୁ ଟାଣିଦେଇଥିଲେ ଦାମ। ଡାକ୍ତର ରାଉତଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆଚମ୍ବିତ କରିଥିଲା। ବିଜେଡି ଓ ସରକାରରେ ସମସ୍ତେ କମ୍ପିଥିଲେ।

ଆଜି ଦାମ ବାବୁ ଗଣମାଧ୍ୟମକୁ କହିଥିଲେ, ଦୁର୍ନୀତିର ପର୍ଦ୍ଦାଫାସ କରିବା ହେଉଛି ବିରୋଧୀ ଦଳର କାର୍ଯ୍ୟ, ଯାହା ସେମାନେ କରୁନାହାନ୍ତି। ସେ ନିଜେ ବି ସରକାର କି ଦଳ ବିରୋଧରେ କିଛି କହିନାହାନ୍ତି। ଯାହା କହିଛନ୍ତି, ତାହା କେବଳ ଦୁର୍ନୀତି ପ୍ରସଙ୍ଗରେ।

ନଗ଼ଡାର ଉଦାହରଣ ଛଳରେ ଡାକ୍ତର ରାଉତ ଆଜି ବୁଝାଇଥିଲେ ଯେ ଏକଦା ସେଠାରେ ଅପପୁଷ୍ଟିରେ ପିଲା ମରୁଥିବା ଖବର ଆସିଥିଲା। ଏହି ଘଟଣାରେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନଗଡ଼ାକୁ ୨୪୫ କୋଟି ଟଙ୍କା ଦେଇଛନ୍ତି। ନବୀନ ବାବୁ କ’ଣ ଯାଇକି ଲୋକଙ୍କୁ ଖାଇବାକୁ ଦେଇଥାନ୍ତେ? ଯେଉଁ ଅଫିସର ଓ କର୍ମଚାରୀମାନେ ଦାୟିତ୍ୱରେ ରହୁଛନ୍ତି, ସେମାନେ ହେରାଫେରି କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସମସ୍ତଙ୍କର ଅଭ୍ୟାସ ହୋଇଯାଇଛି।

ଦାମ ବାବୁ ଆହୁରି କହିଥିଲେ, ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶବ୍ଦଟିଏ ବି କହିନାହିଁ। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଆମ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅଧିକ। ସେ ପୃଥିବୀର ଅନେକ ଦେଶ ଭ୍ରମଣ କରିଛନ୍ତି, ଲେଖକ ହିସାବରେ ବହି ଲେଖିଛନ୍ତି, ଯାହା ସବୁଠାରୁ ଅଧିକ ବିକ୍ରିର ମାନ୍ୟତା ପାଇଛି। ଜଣେ ଚିତ୍ରକର ହିସାବରେ ବି ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ନାଁ ଅଛି। ତାଙ୍କର କିଛି ଦୋଷ ନାହିଁ। ଯେଉଁମାନେ ଅଧସ୍ତନ କର୍ମଚାରୀ, ସେମାନେ ହିଁ ହେରଫେର୍‌ କରୁଛନ୍ତି।

ଦଳ ସଂପର୍କରେ ଡାକ୍ତର ରାଉତଙ୍କ କହିବା କଥା ଥିଲା, ଯେ ପର୍ଯ୍ୟନ୍ତ ଦଳରେ ବିଜୁ ପଟ୍ଟନାୟକ ନାଁ ଅଛି, ସେ ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳରେ ଅଛନ୍ତି। ବର୍ତ୍ତମାନ ଯେଉଁ ବିଜୁ ଜନତା ଦଳ ଅଛି, ସେ ବିଜୁ ଜନତା ଦଳ ଭାବେ ଚାଲୁ ନାହିଁ। କ୍ଷୋଭ ପ୍ରକଟ କରି ଏକଥା ବି ସୂଚାଇଥିଲେ, ଚାରା ଦୁର୍ନୀତି କରିଥିବା ଲୋକକୁ ମୁଁ ନିଲମ୍ବିତ କରିଥିଲି। ତାଙ୍କୁ ପୁନଃ ନିଯୁକ୍ତି ଦିଆଗଲା, ଅଥଚ ମୋତେ ବିଦା କରାଗଲା?

ଦାମଙ୍କ ଏଭଳି ମନ୍ତବ୍ୟକୁ ରାଜନୈତିକ ବିଶେଷଜ୍ଞମାନେ ଗମ୍ଭୀରତାର ସହିତ ବିଚାର କରୁଥିଲେ। ଏହି ମହଲର ଚର୍ଚ୍ଚା ହୋଇଥିଲା ଗଣମାଧ୍ୟମକୁ ବିବୃତି ଦେଇ ଡାକ୍ତର ରାଉତ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହାଦ୍ୱାରା ସେ ନବୀନଙ୍କ ଶ୍ରଦ୍ଧାଭାଜନ ହେବାକୁ ଉଦ୍ୟମ କରିଛନ୍ତି। ନବୀନ ପ୍ରେମୀଙ୍କ ମନରେ ଭରସା ଦେବାକୁ ଚେଷ୍ଟା କରିଛନ୍ତି ଯେ ତାଙ୍କ ବାଣ ନବୀନଙ୍କ ଉଦ୍ଦେଶ୍ୟରେ ନଥିଲା ବା ନାହିଁ।

ହେଲେ ଦାମଙ୍କ ବକ୍ତବ୍ୟର ଦ୍ୱିତୀୟ ଭାଗ ଅର୍ଥାତ୍‌ ଦୁର୍ନୀତି ଓ ଅଫିସରଙ୍କ ସଂପର୍କରେ ମନ୍ତବ୍ୟ ପ୍ରଥମ ଭାଗ ତୁଳନାରେ ଅଧିକ ପ୍ରଭାବୀ। କାରଣ, ଅନ୍ତର୍ଜାତୀୟ ସ୍ତରରେ ଅତ୍ୟନ୍ତ ଖ୍ୟାତିସଂପନ୍ନ ହୋଇଥିଲେ ହେଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଦୁର୍ବଳ ଏକଥା ଦାମ ବାବୁ ପରୋକ୍ଷରେ ଠାରି ଦେଇଛନ୍ତି। ବର୍ତମାନ ଦଳ ଠିକ୍‌ ଚାଲିନାହିଁ ବୋଲି ତାଙ୍କର ମନ୍ତବ୍ୟର ଅନ୍ୟ ଅର୍ଥଟି ହେଲା, ମୁଖିଆ ଅସହାୟ ହୋଇପଡିଛନ୍ତି। କେବଳ ସେତିକି ନୁହେଁ, ଅଫିସରଙ୍କ ହେରାଫେରିର ଭୀଷଣତା ପ୍ରକଟ କରି ଦାମ ବାବୁ ନବୀନ ପଟ୍ଟନାୟକ ସରକାର ଦୁର୍ନୀତିଗ୍ରସ୍ତ ହୋଇଗଲେଣି ବୋଲି ଇଙ୍ଗିତ ଦେବା ସହିତ ଏ ପ୍ରସଙ୍ଗରେ ନିରବ ଥିବା ବିରୋଧୀ ଦଳକୁ ବି ଉସୁକାଇଥିଲେ।

ସମ୍ବନ୍ଧିତ ଖବର