୧୨ ବୈଜ୍ଞାନିକଙ୍କୁ ସମ୍ବର୍ଧନା : ରାଜ୍ୟକୁ ନଲେଜ୍‌ ହବ୍‌ରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

ଭୁବନେଶ୍ୱର : ପିଲାମାନଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ପାଇଁ ଉଚ୍ଚଶିକ୍ଷାରେ ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ କ୍ୟାରିୟର ଭାବେ ଗଢ଼ିବାକୁ ଉତ୍ସାହିତ କରାଯାଉଛି। ଏଥିପାଇଁ ଉଚ୍ଚଶିକ୍ଷାରେ ବୃତ୍ତି ଓ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ରାଜ୍ୟକୁ ପୂର୍ବ ଭାରତର ଏକ ନଲେଜ୍‌ ହବ୍‌ରେ ପରିଣତ କରିବା ପାଇଁ ଆହ୍ଵାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଜୟଦେବ ଭବନରେ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଧନା ଓ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିଜ୍ଞାନ ଏକାଡେମିର ସଭାପତି ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ସଭାପତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଅନେକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯାଉଛି। ବିଜ୍ଞାନପ୍ରତି ଆକୃଷ୍ଟ କରିବା ପାଇଁ ଗୋପାଳପୁର, ରାୟଗଡ଼ା ଓ ବାରିପଦାରେ ନୂଆ ପ୍ଲାନେଟାରିୟମ୍‌ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ବିଭାଗ ପକ୍ଷରୁ ଜିଲ୍ଲାସ୍ତରରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ବିଭାଗୀୟ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ବୈଜ୍ଞାନିକ ପ୍ରଫେସର ବିପିନ ବିହାରୀ ସ୍ୱାଇଁ, ପ୍ରଫେସର ଅରୁଣା କୁମାରୀ ମିଶ୍ର, ପ୍ରଫେସର ସୁରେନ୍ଦ୍ର କୁମାର ରାୟ, ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଓ ପ୍ରଫେସର ଶିବ ପ୍ରସାଦ ରଥଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଉମା ଚରଣ ମହାନ୍ତି ଓ ପ୍ରଫେସର ଦେବବ୍ରତ ଦାଶଙ୍କୁ ‘ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କା, ରୌପ୍ୟ ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପ୍ରଫେସର ବିଦ୍ୟୁତ କୁମାର ଦାସ ଓ ପ୍ରଫେସର ଶୁଭାଶିଷ ତ୍ରିପାଠୀଙ୍କୁ ‘ସାମନ୍ତ ଚନ୍ଦ୍ର ଶେଖର ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏ  ବାବଦରେ ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କା, ରୌପ୍ୟ ପଦକ ଓ ମାନପତ୍ର ଦିଆଯାଇଥିଲା। ଶ୍ରାବଣୀ ମିଶ୍ର, ପ୍ରଜ୍ଞାରଂଜନ ରାଉତ ଓ ସବ୍ୟସାଚୀ ମିଶ୍ରଙ୍କୁ ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଏକାଡେମିର ସଂପାଦକ ପ୍ରଫୁଲ୍ଲ କୁମାର ଭଞ୍ଜ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର