ଓଡ଼ିଶା ହଜ୍‌ ଯାତ୍ରୀ ସମ୍ବର୍ଧନା

ଭୁବନେଶ୍ୱର : ହଜ୍‌ ଯାତ୍ରାରେ ଯାଉଥିବା ରାଜ୍ୟର ଯାତ୍ରୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ହଜ୍‌ ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି। ଭୁବନେଶ୍ୱରରେ ଏକ ହଜ୍‌ ଭବନ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଖୁବଶୀଘ୍ର ଏହା ଶେଷ ହେବ। ସେହିପରି ରାଜଧାନୀରେ ଏକ ଏମ୍ବାରକେସନ୍‌ ପଏଣ୍ଟ କରିବା ପାଇଁ ଉଦ୍ୟମ କରାଯାଉଛି। ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରାଯାଉଛି। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠାଗାର, ପରୀକ୍ଷାଗାର ଓ ଅତିରିକ୍ତ ଶ୍ରେଣୀଗୃହର ସୁବିଧା ପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ୬ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି।

ସେହିପରି ସଂଖ୍ୟାଲଘୁ ବର୍ଗର ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ୪ହଜାର ଛାତ୍ରଛାତ୍ରୀଙ୍କ ରହିବା ଭଳି ୪୦ଟି ହଷ୍ଟେଲ ନିର୍ମାଣ କରାଯାଉଛି। ସେମାନଙ୍କ ପାଇଁ ୧୦୦ଟି ବହୁମୁଖୀ କମ୍ୟୁନିଟି ସେଣ୍ଟର୍‌ ମଧ୍ୟ ନିର୍ମାଣ ଚାଲିଛି। ସଂଖ୍ୟାଲଘୁ ବର୍ଗର ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଲେ, ସଂଖ୍ୟାଲଘୁ ବର୍ଗର କଲ୍ୟାଣ ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିଛି। ବିଧାୟକ ଦେବାଶିଷ ସାମନ୍ତରାୟ କହିଲେ, ରାଜ୍ୟରେ ଧର୍ମନିରପେକ୍ଷତାକୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଉଦ୍ୟମ ଜାରି ରଖିଛନ୍ତି। ଭଦ୍ରକରେ ହୋଇଥିବା ସାଂପ୍ରଦାୟିକ ହିଂସା ସମୟରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ଲୋକଙ୍କୁ ସାହସ ଦେଇଥିଲେ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ। ଏହି ଅବସରରେ ହଜ୍‌ ଯାତ୍ରୀଙ୍କୁ ହଜ୍‌ କିଟ୍‌ ପ୍ରଦାନ କରାଯାଇଥିଲା।

ଚଳିତବର୍ଷ ରାଜ୍ୟରେ ୭୩୧ଜଣ ହଜ୍‌ ଯାତ୍ରୀ ଆରବର ମକ୍‌କା ଓ ମେଦିନା ଯାତ୍ରା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତହିଁରୁ ୪୩୩ଜଣ ପୁରୁଷ ଓ ୨୯୮ଜଣ ମହିଳା ଯାତ୍ରୀ ରହିଛନ୍ତି। ହଜ୍‌ ଯାତ୍ରୀଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ୪ଜଣ ସରକାରୀ କର୍ମଚାରୀଙ୍କୁ ଖାଦିମୁଲ-ହୁଜାଜଭାବେ ସାଉଦି ଆରବକୁ ପ୍ରେରଣ କରିବାର ବ୍ୟବସ୍ଥା କରାଯାଇଛି। ହଜ୍‌ ଯାତ୍ରୀଙ୍କୁ ବିନା ମୂଲ୍ୟରେ ହଜ୍‌ ସାମଗ୍ରୀ ଓ ଓଡ଼ିଆ ଭାଷାରେ ମୁଦ୍ରିତ ସରଳ ହଜ୍‌ ଗାଇଡ ପୁସ୍ତକ ଯୋଗାଇ ଦିଆଯାଉଛି। ରାଜ୍ୟର ବିଭିନ୍ନ ସଦର ମହକୁମାରେ ରାଜ୍ୟ ହଜ୍‌ କମିଟି ଆନୁକୂଲ୍ୟରେ ହଜ୍‌ କର୍ମଶାଳା ଅନୁଷ୍ଠିତ କରାଯାଉଛି। ହଜ୍‌ ଯାତ୍ରୀମାନେ ୧୨ଜୁଲାଇରୁ ୨୯ଜୁଲାଇ ମଧ୍ୟରେ କଲିକତାରୁ ହଜ୍‌ ଯାତ୍ରା ଆରମ୍ଭ କରି ଆରବରେ ପ୍ରାୟ ୪୫ଦିନ ରହିବେ। ସପ୍ଟେମ୍ବର ୨ରୁ ୧୨ତାରିଖରେ ମଧ୍ୟରେ ସେମାନେ ସ୍ୱଦେଶ ପରିବର୍ତନ କରିବେ ବୋଲି ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବିଧାୟକ ଆୟୁବ ଖାଁ, କାଜୁ ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ସଚିବ ରଘୁପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର