ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନ ପାଇଁ ୫ମ ଥର ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ନ ୯ଟା୪୫ରେ ତାରାତାରିଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଏହାପରେ ଛତ୍ରପୁର ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଛତ୍ରପୁର ଷ୍ଟାଡିୟମ ନିକଟରେ ଏକ ଅସ୍ଥାୟୀ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଥିଲା। ସେଠରେ ଓହ୍ଲାଇବା ପରେ ସେ ସର୍କିଟ ହାଉସ ଯାଇଥିଲେ। ଏବଂ, ସେଠାରେ ସେ କିଛି ସମୟ ପାଇଁ ରହିଥିଲେ। ଏହାପରେ ସେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସିଧାସଳଖ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କ ପାଖରେ ଦଳୀୟ ଟିକେଟ ସଂଲଗ୍ନ ୪ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ପ୍ରାର୍ଥିପତ୍ରରେ ସୁରେନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପାତ୍ର, ସାରସ ସ୍ବାଇଁ ଏବ˚ ବୈଜୟନ୍ତୀମାଳା ପଟ୍ଟନାୟକ ପ୍ରସ୍ତାବକ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦସ୍ତାବିଜକୁ ଆଇନଜୀବୀ ବି.ଶ୍ରୀନିବାସ ରାଓ ଏବ˚ ମନୋଜ କୁମାର ବେହେରା ତଦାରଖ କରିଥିଲେ।
ବିଜେଡିର ବ୍ରହ୍ମପର ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରାର୍ଥୀ ପ୍ରମିଳା ବିଷୋୟୀ, ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ତା, ଗୋପାଳପୁର ବିଧାୟକ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା, ଆସିକା ବିଧାନସଭା ଆସନ ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁ, ସୋରଡ଼ା ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, କବିସୂର୍ଯ୍ୟନଗର ପ୍ରାର୍ଥୀ ଲତିକା ପ୍ରଧାନ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ˚ଘମିତ୍ରା ଦଳେଇ, ବିଜେଡି ନେତା ବନମାଳୀ ସେଠୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।
ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ନିକଟରେ ଚନ୍ଦ୍ରଶେଖର ଓ ପ୍ରମିଳା ଉପସ୍ଥିତ ଥିଲେ।