୩୬ ଅନୁଗତଙ୍କୁ ମୁଆଁ : ୨୩ ନିଗମରେ ନୂଆ ଅଧ୍ୟକ୍ଷ, ୧୧ ଜଣ ହେଲେ ଉପଦେଷ୍ଟା

ଭୁବନେଶ୍ବର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ୩ ମାସ ପରେ ନବୀନ ପଟ୍ଟନାୟକ ଆଜି ଅନୁଗତମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଗମ ଓ ବୋର୍ଡ ମୁଆଁ ବାଣ୍ଟିଛନ୍ତି। ୨୩ ଜଣଙ୍କୁ ବିଭିନ୍ନ ନିଗମ, କମିସନ୍‌ ଓ ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ଏଥିସହ ପ୍ରଥମଥର ପାଇଁ ୧୧ ଜଣଙ୍କୁ ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟା ଭ‌ାବେ ନିଯୁକ୍ତ କରାଯାଇଛି। ୨୦୧୯ ନିର୍ବାଚନରେ ଟିକଟ ନ ପାଇ ଏମାନଙ୍କ ମଧ୍ୟରୁ ଅନେକ ମନ ଉଣା କରିଥିଲେ। ଉପରେ କହି ପାରୁନଥିଲେ ବି ମନରେ କ୍ଷୋଭ ଥିଲା। ଅନ୍ୟ କେତେକ ନେତା ନିର୍ବାଚନରେ ବେଶ୍‌ ପରିଶ୍ରମ କରିଥିଲେ ବି ଫଳ ଚାଖିବାରୁ ବଞ୍ଚିତ ଥିଲେ। ହେଲେ ଆଜି ସେସବୁ କ୍ଷୋଭ ଓ ଅସନ୍ତୋଷକୁ ସମାପ୍ତ କରିଛନ୍ତି ବିଜେଡି ମୁଖିଆ। ଦଳ ଓ ସରକାର ପାଇଁ ଆନୁଗତ୍ୟ ରଖିଥିବା ୩୬ ନେତାମାନଙ୍କୁ ବିଭିନ୍ନ ପଦ ପଦବିରେ ନିଯୁକ୍ତି ଦେଇ ପୁରସ୍କୃତ କରିଛନ୍ତି।

ନିର୍ବାଚନ ପୂର୍ବରୁ ମହିଳା କମିସନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇ ଲୋପାମୁଦ୍ରା ବକ୍ସିପାତ୍ର ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ବ ନେଇଥିଲେ। ସେବେଠାରୁ ମହିଳା କମିସନ ଅଧ୍ୟକ୍ଷା ପଦବି ଖାଲି ପଡ଼ିଥିଲା। ମହିଳା ବିଜେଡି ସଭାନେତ୍ରୀ ମୀନତି ବେହେରାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି। ୨୦୧୯ ନିର୍ବାଚନରେ ଶ୍ରୀମତି ବେହେରା ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ବି ଶେଷ ମୁହୂର୍ତ୍ତରେ ବିଜେଡି ସୁପ୍ରିମୋ ପୂର୍ବତନ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ଏ‌େବର ବିଧାୟକ ବିଷ୍ଣୁ ଦାସଙ୍କୁ ଦଳୀୟ ଟିକେଟ ଦେଇଥିଲେ। ତଥାପି ଦଳୀୟ ଶୃଙ୍ଖଳାରେ ରହି କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବେହେରାଙ୍କୁ ମହିଳା କମିସନ ଅଧ୍ୟକ୍ଷ‌ା ପରି ଗୁରୁତ୍ବପୂର୍ଣ୍ଣ ପଦବି ପ୍ରଦାନ କରିଛନ୍ତି। ଦଳର ଅନ୍ୟତମ ଟିକଟ ଆଶାୟୀ ଥିଲେ ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ତଥା ବଲାଙ୍ଗୀର ରାଜନୀତିରେ ଜଣାଶୁଣା ଚେହେରା ଶ୍ରୀମୟୀ ମିଶ୍ର। ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି ଶ୍ରୀମୟୀ। ସେହିପରି କଂଗ୍ରେସରୁ ଆସି ବିଜେଡି ମୁଖପାତ୍ର ଓ ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ହୋଇ ଥିବା ସୁଲୋଚନା ଦାସ ୨୦୧୯ ନିର୍ବାଚନରେ ବରୀ ଆସନ ପାଇଁ ଆଶାୟୀ ଥିଲେ। ଶେଷ ମୁହୂର୍ତ୍ତରେ ବିଜେପିରୁ ଆସି ଦଳରେ ସାମିଲ ହୋଇଥିବା ସୁନନ୍ଦା ଦାସଙ୍କୁ ଟିକେଟ୍ ମିଳିଲା। ଟିକଟରୁ ବଞ୍ଚିତ ସୁଲୋଚନାଙ୍କୁ ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଥିବା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିସନ ଶକ୍ତି ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି। ଦଳର ଅନ୍ୟତମ ମୁଖପାତ୍ର କସ୍ତୁରୀ ମହାପାତ୍ରଙ୍କୁ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଥିବା ବେଳେ ପୂର୍ବତନ ସମାଜ ମଙ୍ଗଳ ବୋର୍ଡ଼ ଅଧ୍ୟକ୍ଷା ସୁଲତା ଦେଓଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଦାୟିତ୍ବ ପ୍ରଦାନ କରାଯାଇଛି। ବିଶିଷ୍ଟ ଲେଖିକା ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ପତ୍ନୀ ସୁସ୍ମିତା ବାଗଚୀଙ୍କୁ ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ନିଯୁକ୍ତି କରାଯାଇଛି।

ସେହିପରି ପୂର୍ବତନ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କୁ ଓଡ଼ିଶା ପଣ୍ୟଗାର ନିଗମ ଅଧ୍ୟକ୍ଷ ପଦ ମିଳିଛି। ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ ଭାବେ ଈଶ୍ବର ପାଣିଗ୍ରାହୀ, ଆପିକଲ୍ ଅଧ୍ୟକ୍ଷ ଭାବେ ପ୍ରଭାଦିତ୍ୟ ମିଶ୍ର, ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ଅସିତ ପଟ୍ଟନାୟକ, ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ଭାବେ ଅମରେନ୍ଦ୍ର ଦାସ ଏବଂ ଓଡ଼ିଶା ଗ୍ରାମୀଣ ଆବାସ ନିଗମର ଅଧ୍ୟକ୍ଷ ଭାବେ ଲୁଲୁ ଅମାତଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ୨୦୧୪ରୁ ଛାତ୍ର କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଚିନ୍ମୟ ସାହୁ ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଭାବେ କାର୍ଯ୍ୟ କରିଆସୁଥିଲେ। ଏବେ ତାଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଯୁବ ନେତା ତଥା ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀଙ୍କୁ ପୁଣି ଥରେ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୀର୍ଘ ବର୍ଷ ଧରି ବିଜେଡିର ସାଂଗଠନିକ କାର୍ଯ୍ୟରେ ସହଯୋଗ କରିଥିବା ବିଜୟ ନାୟକଙ୍କୁ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେହିପରି ପୂର୍ବତନ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ୨୦୧୯ ନିର୍ବାଚନରେ ବିଜେଡି ସୁପ୍ରିମୋ ଟିକେଟ୍ ପ୍ରଦାନ କରିନଥିଲେ। ଶ୍ରୀ ମିଶ୍ରଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଓଡ଼ିଶା ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ସୁବାସ ସିଂହ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି ପାଇଥିବାବେଳେ ଖଦୀ ଓ ଗ୍ରାମୋଦ୍ୟୋଗ ଶିଳ୍ପ ବୋ‌ର୍ଡ ଅଧ୍ୟକ୍ଷ ଭାବେ ସଂଗ୍ରାମ ପାଇକରାୟଙ୍କୁ ନିଯୁକ୍ତି ମିଳିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି ସୁଧୀର ଦାସ। ଓଡ଼ିଶା ପର୍ଯ୍ୟଟନ ନିଗମ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀଙ୍କୁ ଓଡ଼ିଶା ହକି ପ୍ରମୋସନ୍ କାଉନସିଲର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ୨୦୧୯ ନିର୍ବାଚନରେ ପୂର୍ବତନ ମାଲକାନଗିରି ବିଧାୟକ ମାନସ ମାଡ଼କାମୀଙ୍କୁ ଟିକେଟ୍ ମିଳିନଥିଲା। ତାଙ୍କୁ ଥଇଥାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମାଲକାନଗିରି ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ସୁନ୍ଦରଗଡ଼ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ବିନୟ ଟପ୍ପୋଙ୍କୁ ନିଯୁକ୍ତି ମିଳିଛି। ୨୦୧୯ ନିର୍ବାଚନରେ ଯାଜପୁର ଜିଲ୍ଲାର ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ଟିକେଟ୍ ମିଳିନଥିଲା। ଏବେ ଶ୍ରୀ ନାୟକଙ୍କୁ ‘ମୋ କଲେଜ୍’ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରଦାନ କରିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ କଳାହାଣ୍ଡି ସାଂସଦ ପ୍ରାର୍ଥୀଭାବେ ନିର୍ବାଚନ ହାରିଥିବା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ନୂଆକରି ଇଲୋକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି। ମୁଜିବୁଲ୍ଲା ଖାନ୍‌ଙ୍କୁ ଏସ୍‌ସିଏସ୍‌ଟି ଓ ସଂଖ୍ୟାଲଘୁ ବିଭାଗର ଉପଦେଷ୍ଟା ନିଯୁକ୍ତ କରାଯାଇଛି।

ରାଜ୍ୟ ଯୋଜନା ବୋର୍ଡ଼ର ପୂର୍ବତନ ଓଏସ୍‌ଡି ସୁଜିତ କୁମାରଙ୍କୁ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଉପଦେଷ୍ଟା ଭାବେ କୃତିବାସ ପାତ୍ର ଓ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ଉପଦେଷ୍ଟା ଭାବେ ଦେବାଶିଷ ମଲ୍ଲିକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଜନା ବୋର୍ଡ଼ର ପୂର୍ବତନ ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କୁ ଓଡ଼ିଶା କୃଷି ବିପଣନ ବୋର୍ଡ଼ ଉପଦେଷ୍ଟା, ଜନ୍ମେଜୟ ଲେଙ୍କାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଓ କେନ୍ଦ୍ରାପଡ଼ାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ଚିଲିକା ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରଦାନ କରିଛନ୍ତି। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଭାବେ ପୁଣି ଥରେ ଲେନିନ୍ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର