ନବୀନଙ୍କ ‘ଥ୍ରୀ ଡି’ ମନ୍ତ୍ର : ଉତ୍ସର୍ଗ, ସଂକଳ୍ପ ଓ ନିଷ୍ଠା

ଦଶଟି ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପରିଷଦ ବୈଠକରେ ୪ବର୍ଷ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ସମ୍ମାନ ଦେଇ ତିନିଟି ‘ଡି’ ବା ଥ୍ରୀ ଡି ଅର୍ଥାତ୍‌ ଉତ୍ସର୍ଗୀକୃତ ମନୋଭାବ (ଡେଡିକେସନ୍‌), ଦୃଢ ସଂକଳ୍ପ (ଡିଟର୍‌ମିନେସନ୍‌) ଓ ନିଷ୍ଠା (ଡିଭୋସନ୍‌)ର ସହିତ ପ୍ରତି ମିନିଟ୍‌ କଠିନ ପରିଶ୍ରମ କରିବାକୁ ପଡିବ। ଆସନ୍ତୁ, ଏଥିପାଇଁ ଆମେ ସମସ୍ତେ ଶପଥ ନେବା।

ତାଙ୍କ ସରକାରଙ୍କ ଚତୁର୍ଥ ପାଳିର ପଞ୍ଚମବର୍ଷର ପ୍ରଥମ ଦିନରେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଆହ୍ଵାନ ଦେଇଛନ୍ତି। କହିଛନ୍ତି, ଏକ ସଶକ୍ତ ଓଡ଼ିଶା ଗଠନ ଦିଗରେ ଆମର ପ୍ରତିଶ୍ରୁତି ଓ ଦକ୍ଷତା ଉପରେ ସାଢେ ଚାରିକୋଟି ଓଡ଼ିଶାବାସୀ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି, ସେଥିପାଇଁ ମୁଁ ଋଣୀ।

୨୦୧୪ ମେ’ ୨୧ ତାରିଖ, ଅର୍ଥାତ୍‌ ଆଜି ଦିନରେ ବିଜେଡି ସରକାର ଦାୟିତ୍ୱ ଗ୍ରହଣ କରିଥିଲା। ଶପଥ ଗ୍ରହଣ ପରେ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନୀ ଇସ୍ତାହାରକୁ ସରକାରଙ୍କ ନୀତି ଭାବେ ଗ୍ରହଣ କରାଯାଇଥିଲା। ଚାରି ବର୍ଷ ପୂର୍ତ୍ତି ଅବସରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପରିଷଦର ବୈଠକ ଡାକି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେ ମଧ୍ୟରୁ କଣ ହାସଲ କରିଛନ୍ତି, ସେ ସଂପର୍କରେ ତର୍ଜମା କରିଥିଲେ।

ପରେ ମନ୍ତ୍ରୀ ପରିଷଦର ନିଷ୍ପତ୍ତି ସଂପର୍କରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଥିଲା ଆଶ୍ରୟ ନିରାପତ୍ତା। ଅର୍ଥାତ୍‌ ସବୁ କଚ୍ଚା ଘରକୁ ପକ୍କା ଘର କରାଯିବ। ଗତ ୪ବର୍ଷ ମଧ୍ୟରେ ୧୭ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି। ବାକି ୭ଲକ୍ଷ ଘର ଆସନ୍ତା ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜୟନ୍ତୀ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହା ବିଜୁ ବାବୁଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ହେବ। କାରଣ ବିଜୁ ବାବୁଙ୍କ ଭାଷାରେ, ‘‘ମୁଁ ଚାହେଁ ମୋ ରାଜ୍ୟର ସବୁ ପରିବାରର ମୁଣ୍ଡ ଉପରେ ସୁନ୍ଦର ଛାତ ଘରଟିଏ ଥାଉ। ପ୍ରତି ପରିବାର ପାଇଁ ଭଲ ପିଇବା ପାଣି ଏବଂ ଖରାବର୍ଷା ଆଦିରୁ ସୁରକ୍ଷା।’’

ସହରାଞ୍ଚଳ ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ଜମି ଓ ସଂପତ୍ତି ଅଧିକାର ଦେବା ନିଷ୍ପତ୍ତିକୁ ଐତିହାସିକ ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାୟ ୧୦ଲକ୍ଷ ଗରିବ ଲୋକଙ୍କୁ ସଶକ୍ତୀକରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସାରା ବିଶ୍ୱରେ ଏହା ଅଦ୍ଭୂତପୂର୍ବ।

କୃଷି ଓ ଜଳସେଚନ ସଂପର୍କରେ ସରକାରଙ୍କ ସଫଳତାର ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ବର୍ତମାନ ସୁଦ୍ଧା ଆମେ ୭ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧାର ବିକାଶ କରିଛୁ। ୨୦୧୯ ଏପ୍ରିଲ ସୁଦ୍ଧା ସମ୍ପୂର୍ଣ୍ଣ ଲକ୍ଷ୍ୟ ହାସଲ ହେବ। ସେହିପରି ଖାଦ୍ୟଶସ୍ୟ ଉତ୍ପାଦନ ୧୧୭ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିସାରିଛି ଓ ଏହା ସର୍ବକାଳୀନ ରେକର୍ଡ। ଭାଗଚାଷୀଙ୍କୁ ଫସଲ ଋଣ ପ୍ରଦାନ କରାଯିବା, ଚାଷୀମାନଙ୍କୁ ମିଲେଟ୍‌ ମିସନ ଜରିଆରେ ଶସ୍ୟର ଉପଯୁକ୍ତ ମୂଲ୍ୟ ପ୍ରଦାନ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଯୋଗାଯୋଗ କ୍ଷେତ୍ରରେ ସରକାରଙ୍କ ସଫଳତାର ପରିସଂଖ୍ୟାନ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ଏ କ୍ଷେତ୍ରଟିକୁ ପ୍ରାଥମିକତା ଦେଇ ଆସିଛନ୍ତି। ଗତ ୪ ବର୍ଷରେ ୨୨ ହଜାର ୫୦୦ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ ଓଡ଼ିଶା ସାରା ଦେଶରେ ଆଗରେ ରହିଛି। ସେହିଭଳି ବିଜୁ ସେତୁ ଯୋଜନାରେ ୬୦୦ ସେତୁ ନିର୍ମିତ ହୋଇଛି। ଅନ୍ୟପକ୍ଷରେ କୋରାପୁଟ, ବାରିପଦା, ବାଲେଶ୍ୱର ଓ ବଲାଙ୍ଗୀରରେ ୪ଟି ନୂଆ ସରକାର ମେଡିକାଲ କଲେଜ ଆରମ୍ଭ ହୋଇସାରିଲାଣି। ଆଉ ୫ଟି ସରକାରୀ ମେଡିକାଲ କଲେଜ ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଶିଶୁମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି ଓ ଜାତୀୟ ହାର ଠାରୁ ଓଡ଼ିଶା ଭଲ ସ୍ଥିତିରେ ଅଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ କରିବା ହେଉଛି ଆମର ଲକ୍ଷ୍ୟ। ବିଭିନ୍ନ ଜନଜାତି ଗୋଷ୍ଠୀ ଗୁଡିକର ସାଂସ୍କୃତିକ ସ୍ୱତନ୍ତ୍ରତାର ସୁରକ୍ଷା ଓ ସଂରକ୍ଷଣକୁ ଦୃଷ୍ଟିରେ ରଖି ୯ଟି ଜନଜାତି ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଛି। ଏହି ପରିଷଦରେ ସବୁ ଜନଜାତି ଗୋଷ୍ଠୀ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ଏବଂ ପୁରୀରେ ୨୦୧୭ ଡିସେମ୍ବର ୨୬ରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ୍‌ରେ ମାତୃଭାଷାର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ହୋଇଛି।

କ୍ରୀ଼ଡା କ୍ଷେତ୍ରରେ ସଫଳତା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ୱରରେ ୨୨ତମ ଏସିଆନ୍‌ ଆଥଲେଟିକ୍ସ ଚମ୍ପିଆନ୍‌ସିପ୍‌କୁ ରେକର୍ଡ ୯୦ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଛି। ହକି କ୍ଷେତ୍ରରେ ଟିମ୍‌ ଇଣ୍ଡିଆ ଓଡ଼ିଶା ଜର୍ସି ଓ ଲୋଗୋ ସହିତ ଖେଳପ଼ଡିଆକୁ ଓହ୍ଲାଇବା ଦ୍ୱାରା ଓଡ଼ିଶା ଗର୍ବିତ ଅନୁଭବ କରୁଛି।

ଅମଲାଙ୍କ ଉଦ୍ଦେଶ୍ୟରେ ଗତବର୍ଷ ଆଜିର ଦିନରେ ଯେଉଁ ତିିନିଟି ‘ଟି’ ମନ୍ତ୍ର ‘‘ଟିମ୍‌ ଓ୍ଵାର୍କ (ସାମୂହିକ ଉଦ୍‌ଯୋଗ), ଟ୍ରାନ୍ସପାରେନ୍ସି (ସ୍ୱଚ୍ଛତା) ଓ ଟେକ୍ନୋଲୋଜି ( ବୈଷୟିକ) ’’ମୁଖ୍ୟମନ୍ତ୍ରୀ ଫୁଙ୍କିଥିଲେ, ଆଜି ମଧ୍ୟ ତାହାକୁ ଦୋହରାଇଥିଲେ।

ଉଲ୍ଲେଖଥାଉକି, ପାଖାପାଖି ଦେଢ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନିଜ ନିଜ ବିଭାଗର ଗୋଟିଏ ଗୋଟିଏ ସଫଳତା ସଂପର୍କରେ କହିବା ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର