୧୩୫ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ କର୍ମଶାଳା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ କର୍ମଶାଳା ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବନିଯୁକ୍ତ ଅଧ୍ୟାପକମାନଙ୍କ ପାଇଁ ସଚେତନତା ଶିବିର ଓ ୧୦ଟି ବିଶ୍ବବିଦ୍ୟାଳୟ ଓ ୫୨ଟି ସରକାରୀ ମହାବିଦ୍ୟାଳୟରେ ବୃତ୍ତି ନିୟୋଜନ ପରାମର୍ଶ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେବା ସହିତ ୧୩୫ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ଉଚ୍ଚଶିକ୍ଷା ଓ ‌ଗବେଷଣାର ହବ୍ ପାଲଟିଛି। ବେସରକାରୀ, କେନ୍ଦ୍ରୀୟ ଓ ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଯୁବପିଢ଼ିଙ୍କ ମଧ୍ୟରେ ବିଶ୍ବସ୍ତରୀୟ କ୍ଷମତାର ବିକାଶ ଓ ନୂତନ ଜ୍ଞାନ ସୃଷ୍ଟି କରିବାରେ ସହାୟକ ହୋଇପାରିଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ପ୍ରଖ୍ୟାତ ଶିକ୍ଷାବିତ୍, ପ୍ରଶାସକ ଓ ଶିଳ୍ପପତିମାନେ ଯୋଗ ଦେବା ସହିତ ଉଚ୍ଚଶିକ୍ଷାର ବିକାଶ ଓ ଗବେଷଣା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ଅନେକ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ଉତ୍ତମ ମାନବ ସମ୍ବଳ ଦିଗରେ ଏହା ସହାୟକ ହୋଇପାରିବ। ରାଜ୍ୟରେ ୫ଟି ନୂତନ ବିଶ୍ବବିଦ୍ୟାଳୟ, ୮ଟି ମଡେଲ ଡିଗ୍ରି କଲେଜ ଖୋଲିଥିବା ବେଳେ ଆଗାମୀ ଦିନରେ ଆହୁରି ୬ଟି ମଡେଲ ଡିଗ୍ରି କଲେଜ ଖୋଲିବାକୁ ଯାଉଛି। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଗଠନ ହେବା ସହିତ ୨ଟି ଅତିରିକ୍ତ ଆଞ୍ଚଳିକ ନିର୍ଦେଶାଳୟ ମଧ୍ୟ ଖୋଲାଯାଇଛି। କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ୧ପ୍ରତିଶତ ସୁଧରେ ସହାୟତା ଦିଆଯାଉଛି। ଗବେଷଣା, ବିଭିନ୍ନ କାର୍ଯ୍ୟକ୍ରମର ଆଦାନ ପ୍ରଦାନ ପାଇଁ ରାଜ୍ୟର ବିଶ୍ବବିଦ୍ୟାଳୟ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଷ୍ଠାନ ସହିତ ୧୮୨ଟି ଚୁକ୍ତ ସ୍ବାକ୍ଷରିତ ହୋଇଛି। ନବନିଯୁକ୍ତ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହି‌ଲେ, ପାଠ୍ୟକ୍ରମକୁ ଅନ୍ତର୍ଜାତୀୟସ୍ତରର କରିବା ପାଇଁ ଏଥିରେ ପରବିର୍ତନ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା କିଛିମାସ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। ଏହାସହ ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବିକୁ ପୂରଣ କରାଯାଇଛି। ଆଉ କିଛିଦିନ ବ୍ୟବଧାନରେ ଆହୁରି ୩/୪ଶହଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ଦାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର