୧୪୫ ଓଡ଼ିଶା ସିଭିଲ ସେବା ଅଧିକାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ : ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଥ୍ରି ଡି’ର ମନ୍ତ୍ର

ଭୁବନେଶ୍ୱର : ରାଜ୍ୟରେ ନବନିଯୁକ୍ତ ୧୪୫ଜଣ ଓଡ଼ିଶା ସିଭିଲ ସେବା ଅଧିକାରୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟଦେବ ଭବନରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତି ସିଭିଲ ସେବା ଅଧିକାରୀଙ୍କୁ ଥ୍ରି ଡି’ର ମନ୍ତ୍ର ଦେଇଛନ୍ତି।

ନବନିଯୁକ୍ତ ସିଭିଲ ସେବା ଅଧିକାରୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ତୃଣମୂଳସ୍ତରରେ ସ୍ୱଚ୍ଛତା ସହିତ ଠିକଣା ଢଙ୍ଗରେ ସରକାରୀ ଯୋଜନା ପହଞ୍ଚାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ବ୍ୟବସ୍ଥା କିଭଳି ବିନା କୌଣସି ତ୍ରୁଟିରେ ଆଗକୁ ବଢ଼ିବ ସେଥିପାଇଁ ଏକ ସ୍ଥିର ଓ ଉତ୍ତରଦାୟୀ ପ୍ରଶାସନ ରହିଛି। ଟିମ୍‌ ସ୍ପିରିଟ୍‌ ସହିତ ସ୍ୱଚ୍ଛତା ଓ ଟେକ୍‌ନୋଲୋଜିର ଉପଯୁକ୍ତ ବ୍ୟବହାର କରି ତୃଣମୂଳସ୍ତର ଥିବା ଲୋକଙ୍କୁ ସେବା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବା ଜରୁରୀ। ଏଥିପାଇଁ ଦୃଢ଼ ଇଚ୍ଛାଶକ୍ତି, ଏକାଗ୍ରତା ଓ ଉର୍ତ୍ସଗୀକୃତ ମନୋଭାବ ନେଇ କାମ କରିବା ପାଇଁ ନବନିଯୁକ୍ତ ସିଭିଲ ସେବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଉତ୍ସାହିତ କରିଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ, ରାଜ୍ୟର ପ୍ରଗତିରେ ଓଡ଼ିଶା ସିଭିଲ ସେବା ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ତୃଣମୂଳସ୍ତରରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ନବନିଯୁକ୍ତ ଅଧିକାରୀମାନେ ଯତ୍ନବାନ ହେବେ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ, ସମାଜର ସବୁଠାରୁ ନିମ୍ନସ୍ତରରେ ଥିବା ଲୋକଙ୍କୁ ସରକାରଙ୍କ ଯୋଜନା ପହଞ୍ଚାଇବା ଓଡ଼ିଶା ସିଭିଲ ସେବା ଅଧିକାରୀଙ୍କ ମୁଖ୍ୟଲକ୍ଷ୍ୟ ହେବା ଦରକାର।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଉପସ୍ଥିତ ଥିଲେ। ଆଜି ନିଯୁକ୍ତିପତ୍ର ପାଇଥିବା ୧୪୫ଜଣଙ୍କ ମଧ୍ୟରୁ ଓଏସ୍‌ରେ ୧୦୦ଜଣ, ଓଏଫ୍‌ଏସ୍‌ରେ ୩୭ ଓ ୧୪ଜଣ ଓପିଏସ୍‌ରେ ରହିଛନ୍ତି। ଏଥିରେ ୪୭ଜଣ ମହିଳା ରହିଥିବା ବେଳେ ୩ଜଣ ଭିନ୍ନକ୍ଷମ ଓ ଜଣେ କ୍ରୀଡ଼ାବିତ୍‌ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର