ଗହଳିକୁ ଯାଅନି କି ଗହଳି କରନି, ବୈଷୟିକ ସହାୟତା ନିଅ
ପ୍ରତି ଗାଁରେ ଥିବା ଦଳୀୟ କର୍ମୀ ସ୍ବେଚ୍ଛାସେବୀ ହେବା ଉଚିତ
ଭୁବନେଶ୍ବର : ‘‘କରୋନା ଯୁଦ୍ଧରେ ଆପଣମାନଙ୍କର ବଡ ଭୂମିକା ରହିଛି। ଆପଣଙ୍କ ନେତୃତ୍ବ ଉପରେ ଲୋକଙ୍କର ଭରସା ଓ ବିଶ୍ବାସ ରହିଛି । ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ପଦକ୍ଷେପରେ ଆପଣ କୋଭିଡ ଗାଇଡ୍ ଲାଇନ୍ସ ପାଳନ କରି ଆମର କର୍ମୀ ମାନଙ୍କୁ ପ୍ରେରଣା ଦିଅନ୍ତୁ। ଲୋକମାନଙ୍କୁ ପ୍ରେରଣା ଦିଅନ୍ତୁ। ଏ ସଙ୍କଟ ସମୟରେ ସେମାନେ ଯେପରି ନିଜର ଓ ନିଜ ପରିବାରର ଉପଯୁକ୍ତ ଯତ୍ନ ନେଇପାରିବେ, ସେଥିପାଇଁ ପ୍ରେରଣା ଦିଅନ୍ତୁ।’’
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ବିଧାୟକମାନଙ୍କୁ ଏଭଳି ପରାମର୍ଶ ଦେବା ସହିତ ୮ସୂତ୍ରୀ ମନ୍ତ୍ର ଦେଇଛନ୍ତି। କହିଛନ୍ତି, ବିଧାୟକ ଭାବରେ ଆପଣ, ଆପଣଙ୍କ ଅଞ୍ଚଳରେ ଅନେକ ବିକାଶ କାମ କରିଥାଇପାରନ୍ତି। କିନ୍ତୁ, ଏ କରୋନା ମହାମାରୀ ଆପଣଙ୍କ ସାଧାରଣ ଜୀବନରେ ବର୍ତ୍ତମାନ ସବୁଠାରୁ ବଡ ଆହ୍ବାନ ଭାବରେ ଦେଖାଦେଇଛି। ଲୋକଙ୍କ ଜୀବନ ଓ ମୃତ୍ୟୁ ସହିତ ଏ ଆହ୍ବାନ ରହିଛି। ଏହି ମହାମାରୀ ଲୋକଙ୍କ ସେବା କରିବା ପାଇଁ ତଥା ସେମାନଙ୍କ ଜୀବନକୁ ନିରାପଦ କରିବା ପାଇଁ ଆଗ ଅପେକ୍ଷା ଆପଣଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି।
ଏଣୁ ବିଜେଡି ବିଧାୟକମାନେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଦରକାର। ପ୍ରତି ଗାଁରେ ଥିବା ଆମ ଦଳର ସବୁ କର୍ମୀମାନେ କୋଭିଡ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିବା ଉଚିତ୍। ବୟସ୍କ ଲୋକଙ୍କ ପାଇଁ ଏହି ସମୟରେ ଅଧିକ ବିପଦ ରହିଛି। ତେଣୁ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ସହିତ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ଲୋକଙ୍କୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗହଳିକୁ ଯିବା ନାହିଁ କିମ୍ବା ଗହଳି କରିବା ନାହିଁ । କିନ୍ତୁ ଲୋକଙ୍କ ସହ ଯୋଡି ହେବା ପାଇଁ ଆମେ ବୈଷୟିକ ସହାୟତାର ସଦୁପଯୋଗ କରିପାରିବା। ୱାର୍ଡ ସ୍ତରରେ ଗଢାଯାଇଥିବା ୫୦ ହଜାର କୋଭିଡ କେୟାର କମିଟି ଗୁଡିକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯାଇଛି। ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ବି ରହିବ। ଏଥିପାଇଁ ୫୦ ହଜାର ଟଙ୍କା ମଂଜୁର କରାଯାଇଛି। ଜୀବନଜୀବିକା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବା ଲାଗି ନବୀନ ନିର୍ଦେଶ ଦେଇଛନ୍ତି।
ମହାପ୍ରଭୁଙ୍କର ପବିତ୍ର ବାହୁଡା ଯାତ୍ରା ଅବସରରେ ଆଜି ସନ୍ଧ୍ୟାରେ ବିଧାୟକମାନଙ୍କ ସହିତ ଆେଲାଚନା କରି ଶ୍ରୀ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିବା ସହିତ କହିଛନ୍ତି, ବର୍ତ୍ତମାନ ମାନବ ଜାତି ଏକ ଅଭୂତପୂର୍ବ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ଓଡିଶା କୋଭିଡ ଯୁଦ୍ଧରେ ଅନ୍ୟ ମାନଙ୍କ ଠାରୁ ଭଲ ସ୍ଥିତିରେ ଅଛି । ସାରା ଦେଶରେ ଓଡିଶାର ସୁସ୍ଥତା ହାର ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମ। ସେହିପରି ମୃତ୍ୟୁହାର ମଧ୍ୟ ସବୁଠାରୁ କମ୍ ଅଛି। ତଥାପି ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି ଏବଂ ବର୍ତ୍ତମାନ କରୋନା ବିରୋଧରେ ଚାଲିଥିବା ଯୁଦ୍ଧର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଆମେ ପହଞ୍ଚିଛୁ। ଲକ୍ଡାଉନ୍ ପରେ ପ୍ରାୟ ୭ ଲକ୍ଷ ଲୋକ ଓଡିଶା ଫେରିଛନ୍ତି। ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରି ନୂଆ ଚିନ୍ତାଧାରା କରୋନା ଯୁଦ୍ଧରେ ବହୁତ ସାହାଯ୍ୟ କରିଛି।
କୋଭିଡ଼୍ ମୁକାବିଲା ପାଇଁ ରାଜ୍ୟ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ସେ ସଂପର୍କରେ ନବୀନ ଆଜି ବିଧାୟକମାନଙ୍କୁ ଅବଗତ କରିଛନ୍ତି। କହିଛନ୍ତି, ଓଡିଶା ଫେରିଥିବା ପ୍ରବାସୀ ମାନଙ୍କର ଟ୍ରେନ ଭଡା ଏବଂ ସଫଳ ଭାବରେ ସଙ୍ଗରୋଧ ଶେଷ କରିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦୦୦ ଟଙ୍କା ଲେଖାଏ ଦିଆଯାଇଛି। ଏହାସହିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ଦିନ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ମାଗଣାରେ ଯୋଗାଇ ଦିଆଯାଇଛି। ଦେଶର ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଓଡିଶା ହେଉଛି ଅନ୍ୟତମ ରାଜ୍ୟ, ଯିଏ କି ସମସ୍ତ ଖର୍ଚ୍ଚ ଯେମିତିକି ପରୀକ୍ଷା, ଡାକ୍ତରଖାନାରେ ରହିବା, ଚିକିତ୍ସା ଖର୍ଚ୍ଚ, ଔଷଧ ଖର୍ଚ୍ଚ ଓ ଯିବାଆସିବା ଖର୍ଚ୍ଚ ଆଦି ସବୁକିଛି ରାଜ୍ୟ ସରକାର ବହନ କରିଛନ୍ତି। ଏହି ସୁବିଧା ରାଜ୍ୟର ସବୁ ଜନସାଧାରଣ ପାଇଛନ୍ତି। ଏହାବ୍ୟତୀତ ସରକାର ସାମାଜିକ ଓ ଖାଦ୍ୟ ନିରାପତ୍ତା ପାଇଁ ୪ ମାସର ରାସନ, ବିଭିନ୍ନ ଭତ୍ତା ଆଗୁଆ ପ୍ରଦାନ କରିଛନ୍ତି। ମିସନ ଶକ୍ତି ୨.୫ କୋଟି ମିଲ୍ ଯୋଗାଇ ଦେଇଛନ୍ତି। ସଚେତନ ସରପଞ୍ଚ ଏବଂ ଅନୁଷ୍ଠାନ, କୋଭିଡ ଯୋଦ୍ଧା ମାନଙ୍କର ଉତ୍ସର୍ଗୀକୃତ କଠିନ ପରିଶ୍ରମ ଏବଂ ସାଢେ ଚାରି କୋଟି ଓଡିଆଙ୍କ ତ୍ୟାଗ ଆଜି କୋଭିଡ ରୋଗ ପରିଚାଳନାରେ ଓଡିଶାକୁ ଏକ ଆଦର୍ଶ ରାଜ୍ୟ କରିପାରିଛି। ଏବେ ଆମେ ସବୁଠାରୁ ଅଧିକ ଜଟିଳ ପରିସ୍ଥିତି ଦେଇ ଗତି କରୁଛୁ। ତେଣୁ ଆମକୁ ଆହୁରି ଅଧିକ କାମ କରିବାକୁ ହେବ ବୋଲି ନବୀନ ସତର୍କ କରାଇଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ପ୍ରତିଦିନ ୧୦ ହଜାର ଲୋକ ବିଭିନ୍ନ ହଟ୍ସ୍ପଟ୍ ନଗର ମାନଙ୍କରୁ ଓଡିଶା ଆସୁଛନ୍ତି। ଆମର ତଦାରଖ ବ୍ୟବସ୍ଥାକୁ ଆହୁରି ବିକେନ୍ଦ୍ରୀକରଣ ଵାର୍ଡସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିଛୁ। ବିଧାୟକମାନେ ନେତୃତ୍ବ ନେଉଛନ୍ତି। ନିଜ ନିଜ ଅଞ୍ଚଳରେ ବିଶେଷ ଖାତିର ରହିଛି। ଏହି ସଂକଟ ସମୟରେ ଲୋକମାନେ ଅନେକ କିଛି ଆଶା ରଖନ୍ତି ବୋଲି ନବୀନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କରୋନା ମୁକାବିଲା ପ୍ରକ୍ରିୟା ଆରମ୍ଭ ଦିନ ବିଧାନସଭାରେ ନବୀନ ଦଳମତ ନିର୍ବିଶେଷରେ ବିଧାୟକମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିଥିଲେ। ଆଜି ପ୍ରଥମ ଥର ପାଇଁ କରୋନା ମୁକାବିଲା ପ୍ରକ୍ରିୟା ଦଳୀୟ ବିଧାୟକମାନଙ୍କୁ ସାମିଲ କରିଛନ୍ତି। ଏହା ପୂର୍ବରୁ ସରପଞ୍ଚମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ।