୩ ମାସ ମହଲତ ଦେଲେ ମୁଖ୍ୟମନ୍ତ୍ରୀ : ଧରପଗଡ଼ କୋହଳ

ଗାଡ଼ି କାଗଜପତ୍ର ଠିକ୍ ଠାକ୍ କରିବାକୁ ପରାମର୍ଶ, ବିପଜ୍ଜନକ ଗାଡ଼ି ଚାଳନାରୁ ନିବୃତ୍ତ ରହିବାକୁ କହିଲେ

ଭୁବନେଶ୍ବର : ମୋଟର ଯାନ ଆଇନ ଆଳରେ ଉଭୟ ପୁଲିସ ଓ ରାଜ୍ୟ ପରିବହନ ଅଧିକାରୀ ଗାଡ଼ି ଯାଞ୍ଚ କଡ଼ାକଡି କରିବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସବୁ ମହଲରେ ଏନେଇ ଉଦବେଗ ପ୍ରକାଶ ପାଇବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଛନ୍ତି। ଆସନ୍ତା ତିନି ମାସ ପର୍ଯ୍ୟନ୍ତ ବ୍ୟାପକ ଧରପଗଡ଼ରୁ ଦୂରେଇ ରହିବା ଲାଗି ମୁଖ୍ୟମନ୍ତ୍ରୀ ଆଜି ଉଭୟ ପୁଲିସ ଓ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ତା ସହିତ ଏହା ବି କହିଛନ୍ତି ଯେ ଏହି ସମୟ ମଧ୍ୟରେ ଗାଡ଼ି ଚାଳକମାନେ ନିଜ ନିଜ ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରିବା ଦରକାର। ବେପରୁଆ ବା ବିପଜ୍ଜନକ ଗାଡ଼ି ଚାଳନା ନ କରିବା ପାଇଁ ମଧ୍ୟ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦେଶ ପରେ ଗାଡ଼ି ଚାଳକଙ୍କୁ ବଡ ଧରଣର ଆଶ୍ବସ୍ତି ମିଳିଛି।

ଆଜି ଏସଂକ୍ରାନ୍ତରେ ଜାରି ‌ହୋଇଥିବା ‌ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ସଂଶୋଧିତ ମୋଟର ଯାନ ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ବିଶେଷ କରି ଭୁବନେଶ୍ୱରରେ ଲୋକଙ୍କ ଆକ୍ରୋଶ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ଟ୍ରାଫିକ ଉଲ୍ଲଂଘନ କରୁଥିବା ଲୋକଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିବା ପରିବର୍ତ୍ତେ ସେମାନଙ୍କୁ ସଂଶୋଧିତ ମୋଟର ଯାନର ପ୍ରାବଧାନ ସମ୍ପର୍କରେ ବୁଝାସୁଝା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଅଧିକ ସଂଖ୍ୟକ କାଉଣ୍ଟର ଖୋଲିବା, ଆରଟିଓ କାର୍ଯ୍ୟାଳୟଗୁଡ଼ିକର ସେବା କେନ୍ଦ୍ରକୁ ଅଧିକ ସୁଦୃଢ଼ କରିବା, ସାବର୍ଜନୀନ ପ୍ରତିଷ୍ଠାନଗୁଡ଼ିକରେ ଶିବିର ଆୟୋଜନ କରି ମୋଟରଯାନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇବା ଦିଗରେ ସହଯୋଗ ନିମନ୍ତେ ପରିବହନ ବିଭାଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ େଦଇଛନ୍ତି।

ଆଜି ଛୁଟି ସତ୍ତ୍ବେ ମୁଖ୍ୟମନ୍ତ୍ରୀ ସଚିବାଳୟ ଯାଇଥିଲେ। ପୁଲିସ ଓ ପରିବହନ ବିଭାଗର ଧରପଗଡ଼କୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର ସଂପର୍କରେ ସେ ଅଧିକାରୀମାନଙ୍କ ସହିତ ତନାଘନା କରିଥିଲେ। ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଥିବା ‘ଆମ ଘରର ହାଲଚାଲ’ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅଧିକାରୀମାନେ କହିଥିଲେ ଯେ ଧରପଗଡ଼ ଯୋଗୁଁ ଦୁର୍ଘଟଣା ଓ ମଦବିକ୍ରି କମିଛି। ମୁଖ୍ୟମନ୍ତ୍ରୀ ଏଥିରେ ସନ୍ତୋଷ ପ୍ରକାଶ କରିଥିଲେ। ହେଲେ ଧରପଗଡ଼ ପାଇଁ ଯେଉଁ ତରିକା ଆପଣାଯାଇଛି ତାହାକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଥିଲେ। ଧରପଗଡ଼ କୋହଳ କରିବା ସହିତ ଅଧିକାରୀମାନେ ଭଦ୍ର ଓ ନମ୍ର ଆଚରଣ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲା। ଉଭୟ ପୁଲିସ ଓ ପରିବହନ ବିଭାଗ ଗାଡ଼ି ଯାଞ୍ଚ କଡ଼ାକଡ଼ି କରିବା ପରେ ଏ େନଇ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶନିବାର ଭୁବନେଶ୍ବର ରାଜମହଲ ଛକରେ ଏହି ଘଟଣାକୁ େନଇ ପୁଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ େହାଇଥିଲା। ପୁଲିସ ଓ ପରିବହନ ଅଧିକାରୀ ଏହି ଆଳରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଏହାକୁ ନେଇ ସାଧାରଣ େଲାକଙ୍କ ଅସନ୍ତୋଷ ସରକାର ବିେରାଧରେ ଜନମତ ତୀବ୍ର କରିବାରୁ େଶଷରେ ସରକାର ଏହି ପ୍ରକ୍ରିୟାକୁ ୩ମାସ ପାଇଁ େକାହଳ କରିଛନ୍ତି।

ସମ୍ବନ୍ଧିତ ଖବର