ପୁରୀ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତୃତୀୟ ପର୍ଯ୍ୟାୟରେ ମତଦାନକୁ ଯାଉଥିବା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ଜୋର କରିଛନ୍ତି। ଗୁରୁବାର ନବୀନ ଢ଼େଙ୍କାନାଳ-ଅନୁଗୋଳରେ ନିର୍ବାଚନୀ ସଭା କରିବା ପରେ ବାଙ୍କି ଓ ବଡମ୍ବାରେ ପ୍ରଚାର କରିଥିଲେ।
ଏହାପରେ ନବୀନ ବେଗୁନିଆରୁ ରୋଡ ସୋ’ ଆରମ୍ଭ କରିଥିଲେ। ବେଗୁନିଆରୁ ବାଘମାରୀ ଦେଇ ନବୀନଙ୍କ ହାଇଟେକ ବସ୍ ଖୋର୍ଦ୍ଧା ଆସିଥିଲା। ଖୋର୍ଦ୍ଧାରୁ ନବୀନ ଭୁବନେଶ୍ୱର ଆସିଥିଲେ। ଏହି ରୋଡସୋ’ରେ ବିଜେଡି ସୁପ୍ରିମୋ ଜଟଣୀ, ଭୁବନେଶ୍ୱର ଏକାମ୍ର ଓ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ନବୀନଙ୍କ ରୋଡ ସୋ’ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ସାଲିଆ ସାହିରେ ନବୀନଙ୍କ ରୋଡ୍ ସୋ’ ଶେଷ ହୋଇଥିଲା।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଙ୍କି ଓ ବଡମ୍ବାରେ ନିଜ ଅଭିଭାଷଣରେ ପୁଣି କାଳିଆ ଯୋଜନା କଥା ବଖାଣିଛନ୍ତି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି। ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତିରେ ୧୦ହଜାର ଟଙ୍କା ମିଳିବ।
ଏଥି ସହ ସେ କହିଥିଲେ, କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି। ବିଜୁ ଜନତା ଦଳ ମହିଳାମାନଙ୍କୁ ତାଙ୍କ ହକ୍ ଦେଇଛି। ମିଶନ ଶକ୍ତ ଜରିଆରେ ଆମେ ମା’ମାନଙ୍କ ପାଇଁ ୫ହଜାର କୋଟି ଟଙ୍କାର ବିଜିନେସ ଦେବୁ। ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ୍। ଚାଷୀ, ମହିଳା, ଯୁବକ, ଶ୍ରମିକ, ସାଧାରଣ ଲୋକ ସମସ୍ତେ ବିଜେଡ଼ି ସାଥିରେ ଅଛନ୍ତି। ସମସ୍ତେ ମୋର ପରିବାର। ମୁଁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି। ଆପଣମାନେ ମୋତେ ଆର୍ଶୀବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ । ଥରେ ଏମ୍ଏଲ୍ଏ ପାଇଁ ଥରେ ଏମ୍ପି ପାଇଁ।
ଏବେ ବିଜେପିର ବଡ଼ବଡ଼ ନେତାମାନେ ଡବଲ ଇଞ୍ଜିନ୍ର କଥା କହୁଛନ୍ତି। ଓଡ଼ିଶାବାସୀ ପଚାରୁଛନ୍ତି ଇଞ୍ଜିନ କିଏ? ସେ ବିଷୟରେ ସେମାନେ କିଛି କହି ପାରିବେ କି? ବିଜେପିର ଡବଲ ଇଞ୍ଜିନ୍ରୁ ୫ଟି ଇଞ୍ଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ଏବେ ସିଙ୍ଗଲ ଇଞ୍ଜିନ୍। ଏସବୁ ରାଜ୍ୟରେ ଡବଲ ଇଞ୍ଜିନ୍ ଥିଲା। ବିକାଶ କୁଆଡେ ଗଲା। ଲୋକମାନେ କାହିକିଁ ଡବଲ ଇଞ୍ଜିନ୍କୁ ହଟାଇ ଦେଲେ। ମେ ୨୩ ତାରିଖରେ ବିଜେପିର ମେନ୍ ଇଞ୍ଜିନ୍ ବି ଲାଇନ୍ଚ୍ୟୁତ ହେବାକୁ ଯାଉଛି ବୋଲି କହି ନବୀନ ବିଜେପିକୁ ସମାଲୋଚନା କରିଥିଲେ।