ପାଲଟା ଜବାବ ଦେଲେ ନବୀନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋଲା ଆକ୍ରମଣର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡାରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଯୋଗ ଉପରେ ନବୀନ ମଧ୍ୟ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ।

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ,  ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆୟୁଷ୍ମାନ ଯୋଜନା ଠାରୁ ଢେର ଭଲ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫୦ ଲକ୍ଷ ପରିବାରକୁ ଯୋଡା ଯାଇଛି। ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ରାଶି ୭ ଲକ୍ଷ ଟଙ୍କା ରହିଛି। ଏଭଳି ସ୍ଥିତିରେ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା କାହିଁକି ସାମିଲ ହେବ ବୋଲି ନବୀନ ପାଲଟା ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ, ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ ନୂଆ ଲୋକଙ୍କୁ ସାମିଲ କରାଯାଇଥିବା ନେଇ ମଧ୍ୟ ନବୀନ ସୂଚନା ଦେଇଥିଲେ।

ପିସି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ମୋଦୀ ତାଙ୍କ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କହିଥାଇପାରନ୍ତି। ଉଜ୍ଜଳା ଓ ସ୍କିଲ ଇଣ୍ଡିଆ ସ୍କାମ କଥା ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି କି ବୋଲି ନବୀନ ପାଲଟା ପ୍ରଶ୍ନ କରିଥିଲେ। କେବଳ ଉଜ୍ଜଳା ଦୁର୍ନୀତି କଥା ଉଠାଇ ନବୀନ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ନେଇ ମଧ୍ୟ ଠାରିବାକୁ ଭୁଲିନଥିଲେ।

ସେପଟେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ। ସିଧା ସିଧା କହିଥିଲେ, ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ଥରରେ ପହଞ୍ଚିଛି। ସେ ବିଷୟରେ ପ୍ରଧାନମନ୍ତ୍ରୀ କଣ ପାଇଁ କିଛି କହିଲେନି? ତେଲଦର ବୃଦ୍ଧି ଯୋଗୁଁ ଦେଶବାସୀ ହଇରାଣ ହେଉଛନ୍ତି। ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସଙ୍ଗିନ୍‌ ଅଭିଯୋଗ କରିଥିଲେ। ସେହିପରି ରାଜ୍ୟସଭା ଉପାଧ୍ୟକ୍ଷ ପଦବି ବିଜେଡିିକୁ ଯଚା ଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗକୁ ମିଛ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ, ଆମେ ନୀତିଶ କୁମାରଙ୍କୁ ଭୋଟ ଦେଇଛୁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ତାଳଚେର ସାର କାରଖାନା ଶିଳାନ୍ୟାସ ଉତ୍ସବରେ ମୁଁ ଦାବି କରିଥିଲି ଯେ ନୂତନ ବୈଷୟିକ କୌଶଳରେ ପ୍ଲାଣ୍ଟରୁ ୟୁରିଆ ସାର ଉତ୍ପାଦନ କରାଯାଇ ସେଥିରୁ ୫୦ ପ୍ରତିଶତ ସାର ଓଡ଼ିଶାର ଚାଷୀମାନଙ୍କୁ ଦିଆଯାଉ। ସେହିପରି ଝାରସୁଗୁଡ଼ା ଠାରେ ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଯେଉଁ ଅନୁରୋଧ କରିଥିଲି, ପ୍ରଧାନମନ୍ତ୍ରୀ ତାହା ଗ୍ରହଣ କରି ଏହାକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଭାବେ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର