ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଜେଟ୍‌ ଅଧିବେଶନ ପ୍ରାରମ୍ଭରେ ରାଜ୍ୟପାଳ ଅଭିଭାଷଣ ଦେବା ଛଳରେ ରାଜ୍ୟର ବିକାଶର ଗୋଲାପି ଚିତ୍ର ଉପସ୍ଥାପନ କରିଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରାଯାଇଥିଲା। ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଧାରାରେ ଆଉ ପାଦେ ଆଗକୁ ବଢିଛନ୍ତି। ରାଜ୍ୟ ବିକାଶର ସୁନେଲି ସ୍ୱପ୍ନ ଆଙ୍କିଛନ୍ତି, ବିଧାନସଭାରେ। ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ଯୋଜନା ଠାରୁ ଆରମ୍ଭ କରି ଜନଜାତିଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ପର୍ଯ୍ୟନ୍ତ, କୃଷି ପାଇଁ ଜଳସେଚନରୁ ଆରମ୍ଭ କରି କୃଷକଙ୍କ ଆୟ ଦୁଇଗୁଣା କରିବା, ଶିଳ୍ପର ବିକାଶ ପାଇଁ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା ଭଳି ପଦକ୍ଷେପ ସଂପର୍କରେ ସରକାର ଯେତେସବୁ ଭଲ କାମ କରିଛନ୍ତି, ଏସବୁର ତାଲିକା ରଖି ବିରୋଧୀଙ୍କ ମୁହଁ ଚୁପ୍‌ କରିବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଧନ୍ୟବାଦ ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଖୋର୍ଦ୍ଧାରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ୨୦୦ତମ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ବର୍ଷଟି ଇତିହାସର ସବୁଠୁ ଗୌରବମୟ ବର୍ଷ। ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ କେନ୍ଦ୍ରକୁ ତଥ୍ୟଭିତ୍ତିକ ପ୍ରମାଣ ଦିଆଯାଇଛି। ଯଦିଓ ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି, କିନ୍ତୁ ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ। ଏଥିସହିତ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ଗୃହ ପାରିତ କରିଛି।

ଏହି ଅବସରରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ନିଷ୍ଠାର ସହ ପଦକ୍ଷେପ ନିଆଯାଉଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଦେଶର ୬ଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ନେଇ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି । ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ‘ହେରିଟେଜ୍‌ କ୍ୟାବିନେଟ୍‌’ ଗଠନ ହୋଇଛି। ଏସବୁ ଦ୍ୱାରା ଓଡ଼ିଶା ଏବେ ବିକାଶ ପଥରେ ଆଗେଇଛି।

ଗତ କିଛି ବର୍ଷ ଧରି ବିକାଶର ସମସ୍ତ ସଙ୍କେତ ଉର୍ଦ୍ଧ୍ୱମୁଖୀ ହୋଇଥିବାରୁ ରାଜ୍ୟରେ ଖୁବ୍‌ ଶୀଘ୍ର ଉଜ୍ଜ୍ୱଳମୟ ଏବଂ ସମୃଦ୍ଧମୟ ଯୁଗ ଆରମ୍ଭ ହେବ ବୋଲି ସ୍ୱପ୍ନ ଦେଖାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଆମ ରାଜ୍ୟ ଏକ ବଳକା ଖାଦ୍ୟ ରାଜ୍ୟ ପାଲଟିଛି। ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ତୃତୀୟ ସର୍ବାଧିକ ଯୋଗଦାନକାରୀ ରାଜ୍ୟ ହୋଇପାରିଛି। ରାଜ୍ୟର ଗରିବ, ବେସାହରାଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସରକାର ସାମିଲ୍‌ କରିପାରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ଏକ ସୁରକ୍ଷିତ ରାଜ୍ୟ ପାଲଟିଛି। ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପକୁ ରାଜ୍ୟବାସୀ ସମର୍ଥନ କରିଥିବାରୁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

କିମ୍ବଦନ୍ତୀ ନେତା ବିଜୁ ବାବୁ ଗାଣତାନ୍ତ୍ରିକ ବିକେନ୍ଦ୍ରୀକରଣରେ ଚାମ୍ପିଅନ ଥିଲେ ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଧୁନିକ ଓଡ଼ିଶା ଗଠନରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପଞ୍ଚାୟତିରାଜ ଦିବସରେ ସରକାର ‘ଆମ ଗାଁ ଆମ ବିକାଶ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ୱାରା ଗାଁରେ ରହୁଥିବା ଲୋକଙ୍କ ସହିତ ସିଧା ସମ୍ପର୍କ ଯୋଡ଼ାଯିବ। ସେମାନଙ୍କ ସବୁ ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ। ସେହିଭଳି ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେଉଁଠି ଏନ୍‌ଏସି, ମ୍ୟୁନିସପାଲଟିରେ ରହୁଥିବା ଗରିବ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଏବଂ ମହାନଗର ନିଗମରେ ସମ୍ପତ୍ତି ଅଧିକାର ଦେବା ପାଇଁ ନିୟମ ପ୍ରଣୟନ କରାଯାଇଛି। ରାଜ୍ୟର ୯ଟି ଜନଜାତି ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି। ୪.୧୧ଲକ୍ଷ ଲୋକ ଏବଂ ୬ହଜାର କମ୍ୟୁନିଟିକୁ ଜଙ୍ଗଲ ଜମି ଅଧିକାର ସତ୍ତ୍ୱ ପ୍ରଦାନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ପାଲଟିଛି।

କୃଷିକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଣାଇଛନ୍ତି, ରାଜ୍ୟର ୭୦% ଲୋକ ଏହା ଉପରେ ନିର୍ଭର କରୁଛନ୍ତି। ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯେଉଁଠି ଗତ ଦଶନ୍ଧି ମଧ୍ୟରେ କୃଷକର ଆୟ ଦୁଇ ଗୁଣା ହୋଇଛି। ୧% ସୁଧରେ କୃଷି ଋଣ, କୃଷକଙ୍କୁ ଆକାଉଣ୍ଟରେ ସବ୍‌ସିଡି ପ୍ରଦାନ କରିବା, କୃଷକମାନଙ୍କର ଗୋଟିଏ କେନ୍ଦ୍ରରେ ସମସ୍ୟାର ସମାଧାନ ପାଇଁ ପ୍ରାଥମିକ ସମବାୟ ସମିତିଗୁଡ଼ିକର ଉନ୍ନତିକରଣ କରାଯାଇଛି। ସେହିଭଳି ଜଳସେଚନକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ୩ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଶିଶୁ ମୃତ୍ୟୁହାର କମାଇବାରେ ଓଡ଼ିଶା ବିଶେଷ ସଫଳତା ପାଇଛି ବୋଲି ସରକାର ଆଜି ଦାବି କରିଛନ୍ତି। କେବଳ ସେତିକି ନୁହେଁ, ସାମାଜିକ କ୍ଷେତ୍ରର ବିକାଶ ସଂପର୍କରେ ସୂଚାଇ କହିଛନ୍ତି ଯେ ସମସ୍ତଙ୍କୁ ଶସ୍ତା ଓ ନ୍ୟାୟସଂଗତ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବହୁ ପଦକ୍ଷେପ ନିଆଯାଇଛି। ମିସନ୍‌ ଶକ୍ତି କାର୍ଯ୍ୟକ୍ରମରେ ୬ଲକ୍ଷ ଏସ୍‌ଏଚ୍‌ଜି ଦ୍ୱାରା ରାଜ୍ୟର ୬୦ଲକ୍ଷ ମହିଳା ଉପକୃତ ହୋଇଛନ୍ତି। ମମତା ଯୋଜନାରେ ୩୦ଲକ୍ଷ ମା’ ଉପକୃତ ହେଲେଣି। ଏହାଭିନ୍ନ ଗ୍ରାମାଞ୍ଚଳ ଗରିବଙ୍କ ପାଇଁ ୧୫.୫୦ଲକ୍ଷ ପକ୍କା ଘର ନିର୍ମାଣ କରିଛନ୍ତି। ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶା ସହ ସଂଯୋଗ କରିବା ପାଇଁ ବିଜୁ ଏକ୍ସପ୍ରେସ୍‌ େଓ୍ଵ ନିର୍ମାଣ କରାଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ରାଉରକେଲାରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଶେଷ ହୋଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ଶିଳ୍ପର ବିକାଶ ପାଇଁ ସରକାର ‘ଭିଜନ-୨୦୨୫’ ଯୋଜନା କରିଛନ୍ତି। ଏଥିରେ ରାଜ୍ୟରେ ୨.୫ଲକ୍ଷ କୋଟି ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୩୦ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ‘ମେକ୍‌ ଇନ୍‌ ଓଡ଼ିଶା’ର ଆଗାମୀ ସଂସ୍କରଣ ନଭେମ୍ବର-୨୦୧୮ରେ ହେବ। ଯୁବପିଢ଼ିଙ୍କୁ ଉଦ୍ୟୋଗୀ କରିବା ପାଇଁ ଷ୍ଟାର୍ଟ ଅପ୍‌ ନୀତି ପ୍ରସ୍ତୁତ ହୋଇଛି। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି। ଉତ୍ପାଦ କ୍ଷେତ୍ରରେ ପୁଞ୍ଜିନିବେଶରେ ଓଡ଼ିଶା ଶ୍ରେଷ୍ଠ ତିନି ରାଜ୍ୟ ମଧ୍ୟରେ ରହିପାରିଛି।

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ରାଜ୍ୟର ସମସ୍ତ ଜନତାଙ୍କୁ ଏକ ପ୍ରଭାବୀ ଶାସନ ପ୍ରଦାନ କରିବା। ଆମେ ନ୍ୟାୟସଂଗତ ଏବଂ ସମନ୍ଵିତ ବିକାଶ ପଥରେ ଚାଲୁଛୁ। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରୟାସ ଜାରି ରହିବ ସେ ବିଧାନସଭାରେ ଆଶା ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର