ମାଲକାନଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ଆସି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଶୁଭାରମ୍ଭ କରିଛନ୍ତି। ସେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡର ବଣ୍ଟନ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନରେ ଏଥିଲାଗି ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି।

ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ପ୍ରମୁଖ ଯୋଗ ଦେଇଛନ୍ତି।

ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ନବୀନ କହିଛନ୍ତି, ୨୦୧୮ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା। ସେତେବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ମମତା ପଡିଆମୀ ପ୍ରସ୍ତାବ ଦେଇଥିଲେ। ସେତେବେଳେ ତାଙ୍କ ପ୍ରସ୍ତାବ ମୋତେ ବହୁତ ଭଲ ଲାଗିଥିଲା। ତାପରେ ମହିଳାଙ୍କ ଚିକତ୍ସା ପାଇଁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିଥିଲୁ। ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ। ସେପ୍ଟେମ୍ବର ପହିଲାରୁ ଏହି କାର୍ଡ ଲାଗୁ ହେବ। ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡ଼ିବନି। କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ।  ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ। ଏଭଳି ସୁବିଧା ଯୋଗାଇ ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ।

ସ୍ବାସ୍ଥ୍ୟ ସହିତ ଅର୍ଥନୀତିର ନିବିଡ ସଂପର୍କ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ । ତେଣୁ ପରିବାରରେ କେହି ଅସୁସ୍ଥ ହୋଇପଡ଼ିଲେ, ଆମର ଚିନ୍ତା ବଢିଯାଇଥାଏ । ସବଠୁ ବଡ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା । ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ। କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରିଦେଇଥାନ୍ତି । କେହି କେହି ମଧ୍ୟ ଧାର କରଜ କରିଥାନ୍ତି ।

“ ଏ ଖବର ମୁଁ ଯେତେବେଳେ ଶୁଣେ, ମୋତେ ବହୁତ ଦୁଃଖ ଲାଗେ। ଆମର ଏହି ସ୍ମାର୍ଟ ହେଲଥ କାର୍ଡ ଆପଣଙ୍କର ଏ ଦୁଃଖ ଲାଘବ କରିବ। ଚିକିତ୍ସା ବୋଝ କମ୍‌ କରିବାରେ ସାହାଯ୍ୟ କରିବ । ଆପଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ତେଣୁ ଏ ବାବଦ ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ। ନିଜ ପିଲାଙ୍କ ପାଠପଢା ପାଇଁ, ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ ।”

ରାଜ୍ୟର ସବୁ ସରକାରୀ ହସ୍‌ପିଟାଲଗୁଡିକରେ ସମସ୍ତ ସ୍ବାସ୍ଥ୍ୟ ସେବା ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍‌ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଆମର ସରକାରୀ ହସ୍‌ପିଟାଲରେ ଡ଼ାଇଲିସିସ୍‌ ଠାରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ, ଏମଆରଆଇ, ବିଭିନ୍ନ ପାଥୋଲୋଜି ଟେଷ୍ଟ ସୁବିଧା ମିଳୁଛି। ମୁଁ ବହୁତ ଖୁସି ଯେ ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍‌ପିଟାଲରେ ଏ ସୁବିଧା ନେଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିକାଶ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି। ଏଥିରେ ସାଂସଦ ରମେଶ ମାଝି ସ୍ଵାଗତ ଭାଷଣ ଦେଇଥିଲେ ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଧନ୍ୟବାଦ ଜଣାଇଥିଲେ ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ମମତା ପତିଆମୀ ମଧ୍ୟ ସଭାରେ ଯୋଗଦେଇ ତାଙ୍କ ମତାମତ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ।

ଏହାପରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀମାନେ ମାଲକାନଗିରିରେ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଏଥିପାଇଁ ସମସ୍ତ ସରକାରୀ କଳକୁ ମଧ୍ୟ ଲଗାଯାଇଛି। ସରକାରୀ ଅଧିକାରୀମାନେ ମଧ୍ୟ କିଏ କେଉଁ ଜାଗାରେ ରହିବେ ତାର ତାଲିକା ପ୍ରସ୍ତୁତ କରାଯାଇଛି। ମାଲକାନଗିରି ଜିଲ୍ଲାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ପଦ୍ମନାଭ ବେହେରା, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ତୁଷାର କାନ୍ତି ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର