ଏକ ଟ୍ରିଲିଅନ୍ ଡଲାର୍‌ ଅର୍ଥନୀତିର ସାମର୍ଥ୍ୟ ରଖିଛି ଓଡ଼ିଶା

ଭିଜନ ରିପୋର୍ଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଜବର : ଓଡ଼ିଶାରେ ଏକ ଟ୍ରିଲିଅନ୍ ଡଲାର୍‌ର ଅର୍ଥନୀତିର ସମ୍ଭବ ହୋଇପାରିବ। ଏ ନେଇ ଓଡ଼ିଶାରେ ସାମର୍ଥ୍ୟ ରଖିଛି। କେବଳ ସୁଯୋଗକୁ ବ୍ୟବହାର କଲେ ଲକ୍ଷ୍ୟ ପୂରଣ ହୋଇପାରିବ। ଏଥି ପାଇଁ ଏକ ଭିଜନ୍ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉ‌େନ୍ମାଚନ କରିଛନ୍ତି। ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓ ପିଡବ୍ଲ୍ୟୁସି ଇଣ୍ଡିଆ ଏହି ଭିଜନ ରିପୋର୍ଟକୁ ପ୍ରସ୍ତୁତ କରିଛନ୍ତି।

ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶାରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି। ପୁଞ୍ଜିନିବେଶ ଅନୁକୂଳ ନୀତି, ଭିତ୍ତିଭୂମି ସଂଯୋଗ ଓ ଦକ୍ଷ ମାନବସମ୍ବଳ ମାଧ୍ୟମରେ ରାଜ୍ୟ ଏକ ଟ୍ରିଲିଅନ୍‌ ଡଲାର୍‌ ଅର୍ଥନୀତିର ଲକ୍ଷ୍ୟ ହାସଲ କରିପାରିବ। ଏକ ଉତ୍ପାଦନ କେନ୍ଦ୍ର ଭାବେ ଜାତୀୟ ଅଭିବୃଦ୍ଧିରେ ଓଡ଼ିଶା ମୁଖ୍ୟ ଭୂମିକା ଗ୍ରହଣ କରିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଗତ ତିନି ଦଶନ୍ଧି ମଧ୍ୟରେ ବିଶ୍ବ ଅର୍ଥନୀତି ତିନି ଗୁଣା ବୃଦ୍ଧି ପାଇଛି। ୨୦୫୦ ସୁଦ୍ଧା ଏହାର ଆକାର ଦୁଇ ଗୁଣା ହେବ ବୋଲି ଆକଳନ କରାଯାଉଛି। ଖଣି ଭିତ୍ତିକ ଶିଳ୍ପ ସହ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସୃଜନଶୀଳ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ମହିଳା ଉଦ୍ୟୋଗ ଆଦି ଓଡ଼ିଶାର ଏକ ଟ୍ରିଲିଅନ୍ ଅର୍ଥନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଜେଏସ୍‌ଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଥି‌େଲ, ଦେଶର ୧୦ ଟ୍ରିଲିଅନ୍ ଡଲାର୍ ଅର୍ଥନୀତିର ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଞ୍ଚଳିକ ଅର୍ଥନୀତିର ମୁଖ୍ୟ ଭୂମିକା ରହିବ। ଓଡ଼ିଶା ହେଉଛି ଭାରତର ଏକ ଲୁକ୍କାୟିତ ମଣି ସଦୃଶ। ଏଠାରେ ଏକ ଟ୍ରିଲିଅନ୍ ଡଲାର୍ ଅର୍ଥନୀତି ପାଇଁ ସମସ୍ତ ପ୍ରକାର ସମ୍ଭାବନା ରହିଛି।

ଭିଜନ୍ ରିପୋର୍ଟ ଉନ୍ମୋଚନ ଉତ୍ସବରେ ପିଡବ୍ଲ୍ୟୁସି ଇଣ୍ଡିଆର ମୁୁଖ୍ୟ ରାନେନ୍ ବାନାର୍ଜୀଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର