୨୯୦୧ କୋଟି ପୁଞ୍ଜିନିବେଶ ବାଟ ଖୋଲିଲା : ଦକ୍ଷିଣ ଏସିଆ ନିର୍ମାଣ ଶିଳ୍ପର କେନ୍ଦ୍ର ହେବ ଓଡ଼ିଶା

ଭୁବନେଶ୍ୱର : ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶିଳ୍ପ ସଂସ୍ଥାଗୁଡ଼ିକ ସ୍ଥାପନ ପାଇଁ ତୃତୀୟ ଭୂମିପୂଜା ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯୦୧ କୋଟି ୨୦ ଲକ୍ଷ ଟଙ୍କା ପୁଞ୍ଜିନିବେଶ ପାଇଁ ବାଟ ଖୋଲିଛନ୍ତି। ୨ଟି ଶିଳ୍ପାନୁଷ୍ଠାନ ଓସିଏଲ୍‌ ଇଣ୍ଡିଆର ସିମେଣ୍ଟ ପ୍ଲାଣ୍ଟ ଓ ଇଫ୍‌କୋର ଘରୋଇ ରେଲ ସାଇଡିଂ ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ୧୩ଟି ନିର୍ମାଣ(ମାନୁଫ୍ୟାକ୍‌ଚରିଂ) ଶିଳ୍ପାନୁଷ୍ଠାନର ଭୂମିପୂଜା କରାଯାଇଛି। ଏ ସମସ୍ତ ଶିଳ୍ପାନୁଷ୍ଠାନ ଜରିଆରେ ୩,୦୯୧ଟି କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ୍‌-ଇନ୍‌-ଓଡ଼ିଶା ନିମନ୍ତେ ଜାପାନ ଦେଶୀୟ ସହଯୋଗୀ ଭାବେ ଯୋଗଦେବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ସେହିପରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ବ୍ୟାଙ୍କିଙ୍ଗ ସହଯୋଗୀ ହେବ।

ଉତ୍ସବରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ପୂର୍ବ ଭାରତର ନିର୍ମାଣ ଶିଳ୍ପର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଏହି ରାଜ୍ୟକୁ ଦକ୍ଷିଣ ଏସିଆର ନିର୍ମାଣ ଶିଳ୍ପର କେନ୍ଦ୍ରସ୍ଥଳୀ ଭାବେ ବିକଶିତ କରିବା ଦିଗରେ ଆମେ ପ୍ରୟାସ ଜାରି ରଖିଛୁ। ରାଜ୍ୟ ସରକାର ସ୍ୱଚ୍ଛତା, ବୈଷୟିକ ଜ୍ଞାନକୌଶଳ ଓ ଦଳବଦ୍ଧ କାର୍ଯ୍ୟ ଭଳି ୩ଟି ‘ଟି’ ଉପରେ କାର୍ଯ୍ୟ କରୁଛନ୍ତି। ଶିଳ୍ପ ଅନୁକୂଳ ପରିବେଶ ନିମନ୍ତେ ରାଜ୍ୟ ସରକାର ପ୍ରଗତିଶୀଳ ନୀତି ପ୍ରଣୟନ କରିବା ସହିତ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରିଛନ୍ତି। ସେହିପରି ପୂର୍ବତଟ ଅର୍ଥନୈତିକ କରିଡର୍‌ ସଂଲଗ୍ନ ୩ଟି ଗଭୀର ବନ୍ଦର ଅଞ୍ଚଳରେ ନିର୍ମାଣ ଶିଳ୍ପ ପ୍ରତିଷ୍ଠା ଦିଗରେ ଗୁରୁତ୍ୱ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୧୬ରେ ଅନୁଷ୍ଠିତ ମେକ୍‌-ଇନ୍‌-ଓଡ଼ିଶାର ପ୍ରଥମ ସଂସ୍କରଣ ବିଶେଷ ସଫଳତା ହାସଲ କରିଥିଲା। ଏହି ସମ୍ମିଳନୀ ଜରିଆରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରିଥିଲେ। ଏଥିମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟାନ୍ଵୟନର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି ଅବସରରେ ଆସନ୍ତା ମେକ୍‌-ଇନ୍‌-ଓଡ଼ିଶାର ବ୍ୟାଙ୍କିଙ୍ଗ ସହଯୋଗୀ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ହେବ ବୋଲି ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଥିଲେ।
ଶ୍ରୀ ଚୋପ୍ରା କହିଥିଲେ ଯେ ବର୍ତମାନ ଓଡ଼ିଶାରେ ମୁଖ୍ୟତଃ ଧାତବ ଶିଳ୍ପ ଅଭିବୃଦ୍ଧି ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍‌ ୨୦୨୫ ଅନୁଯାୟୀ ନିର୍ମାଣ ଶିଳ୍ପ ଉପରେ କେନ୍ଦ୍ରୀଭୂତ କରି ୬ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି। ସୂଚନାନୁସାରେ ୨୦୧୭ ନଭେମ୍ବର ମାସରେ ଅନୁଷ୍ଠିତ ଭୂମିପୂଜନ ଉତ୍ସବରେ ୧୧୬୯୦ କୋଟିର ପୁଞ୍ଜିନିବେଶରେ ୧୫ଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇଥିବା ବେଳେ ୮୧୮୭ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ ୨ୟ ଭୂମିପୂଜନ ଉତ୍ସବରେ ୨୬୭୫ କୋଟିର ନିବେଶରେ ୧୨ଟି ଶିଳ୍ପ ସ୍ଥାପନ ହୋଇଥିଲା। ଆଜି ୩ୟ ଭୂମିପୂଜନ ଉତ୍ସବ ସହିତ ରାଜ୍ୟରେ ମୋଟ ୪୯ଟି ନିର୍ମାଣ ଶିଳ୍ପର ଉଦ୍‌ଘାଟନ କିମ୍ବା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଏହି ଅବସରରେ ମେକ୍‌ ଇନ୍‌ ଓଡ଼ିଶା ନିମନ୍ତେ ପ୍ରୋମୋସନାଲ୍‌ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଷ୍ଟେଟ୍‌ ବ୍ୟାଙ୍କର ସିଜିଏମ୍‌, ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର