୯୫ ସହର ପାଇଁ ୫୦୦ ଜଳ ପ୍ରକଳ୍ପ ଲୋକାର୍ପିତ

ଖୋର୍ଧା/ଜଟଣୀ : ୨୦୧୯ ମସିହା ମାର୍ଚ୍ଚ ‌ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଅଧିକ ଅର୍ଥ ବିନିଯୋଗ କରାଯାଉଛି। ସରକାର ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ୨୦୧୪ ମସିହାରେ ୧୯୦ କୋଟି ଟଙ୍କା ବିନିଯୋଗ କରିଥିବା ବେଳେ ୨୦୧୮ରେ ୩ ,୫୯୬କୋଟି ବିନିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀଠାରେ ସରକାରୀ ଓ ଘରୋଇ ସହଭାଗିତାରେ ସମ୍ପୂର୍ଣ୍ଣ ହୋଇଥିବା ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ଏବଂ ମୁଣ୍ଡୁଳି ସ୍ଥିତ ୮୩ ନିୟୁତ ଲିଟର କ୍ଷମତା ସମ୍ପନ୍ନ ଜଳ ବିଶୋଧନାଗାର ସମେତ ରାଜ୍ୟର ୯୫ଟି ସହର ପାଇଁ ୫୦୦ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି।

ସୂଚନା ଥାଉ କି, ୧୮୭ କୋଟି ଟଙ୍କା ବିନିମୟରେ ପ୍ରସ୍ତୁତ ଜଟଣୀ ପ୍ରକଳ୍ପ ଜାତୀୟସ୍ତରରେ ପ୍ରଥମ ସମନ୍ୱିତ ପାନୀୟ ଜଳ ପ୍ରକଳ୍ପ ହୋଇଥିବା ବେଳେ ଏଥିରେ ଜଳ ସଂଗ୍ରହ, ବିଶୋଧନ ସହ ବିଶୁଦ୍ଧ ଜଳ ବିତରଣର ବ୍ୟବସ୍ଥା ରହିଛି। ଏହା ଦ୍ୱାରା ଆଇଆଇଟି, ନାଇଜର, ଇଡକୋ ଅଧୀନ ଶିଳ୍ପାଞ୍ଚଳ ସମେତ ଖୋର୍ଧା ଓ ଜଟଣୀ ପୌରାଞ୍ଚଳବାସୀଙ୍କ ପାନୀୟ ଜଳର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନ୍ୟ ସବୁ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ଲୋକର୍ପିତ କରିଥିଲେ।

ସୂଚନାଯୋଗ୍ୟ, ୨୦୧୭ ଅକ୍ଟୋବର ୨୦ରେ ବସୁଧା ଯୋଜନା ମାଧ୍ୟମରେ ୫୫୫ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ସେଥିରୁ ୪୦୮କୋଟି ଟଙ୍କା ବିନିମୟରେ ୫୦୦ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ତାହା ଦ୍ବାରା ରାଜ୍ୟର ପ୍ରାୟ ୩୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଆଜିର ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୁଝାରୀ, ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ, ଖୋର୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ , ଆଇଆଇଟି ନିର୍ଦେଶକ ଡ. ଆର ବି ରାଜକୁମାର ଏବଂ ନାଇଜରର ରେଜିଷ୍ଟ୍ରାର ଡ.ଅଭୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷେ, ସଭା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଖୋର୍ଧା- ଜଟଣୀ ବାଇପାସରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସଭାସ୍ଥଳୀକୁ ପାଛୋଟି ନିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଜଟଣୀ ବ୍ଳକ ଛକଠାରେ ବିଜେପି ନେତା ସୁଦୀପ୍ତ ରାୟଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପୁଲିସ ଶ୍ରୀ ରାୟଙ୍କ ସମେତ ପ୍ରାୟ ୨୦ ଜଣ କର୍ମୀଙ୍କୁ ଜଟଣୀ ଥାନାରେ ଅଟକ ରଖି ପରେ ଛାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର