ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୬ ପ୍ରମୁଖ ସହରରେ ନିର୍ମିତ ୬ଟି ‘ପରିମଳ ବିଶୋଧନାଗାର’ ଲୋକାର୍ପିତ କରିଛନ୍ତି। ଭୁବନେଶ୍ବର ସ୍ମାର୍ଟ ସିଟି ସମେତ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ, ପୁରୀରେ ନିର୍ମିତ ପରିମଳ ବିଶୋଧନାଗାରକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଲୋକାର୍ପଣ କରି ରାଜ୍ୟକୁ ପ୍ରଦୂଷଣମୁକ୍ତ କରିବାକୁ ଆହ୍ବାନ ଜଣାଇଛନ୍ତି। ଏହିସବୁ ପରିମଳ ବିଶୋଧନାଗାର ପାଇଖାନାରୁ ବାହାରୁଥିବା ମଳକୁ ବିଶୋଧନ କରି ସହରମାନଙ୍କ ଦେଇ ପ୍ରବାହିତ ନଦୀ କିମ୍ବା ଅନ୍ୟାନ୍ୟ ଜଳ ଉତ୍ସକୁ ଛାଡ଼ିବ। ଏହାଫଳରେ ନଦୀଗୁଡ଼ିକ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି।
ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥା ଓଡ଼ିଶା ଜଳଯୋଗାଣ ଓ ପରିମଳ ପରିଷଦ, କେନ୍ଦ୍ର ସରକାରଙ୍କ ‘ଅମୃତ ଯୋଜନା’ ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ହୋଟେଲ୍ ମେ’ ଫେୟାର ସମ୍ମିଳନୀ କକ୍ଷରେ ଆୟୋଜିତ ‘ଫେକାଲ ସ୍ଲଜ୍ ଓ ସେଫ୍ଟେଜ୍ ମ୍ୟାନେଜମେଣ୍ଟ’ ଶୀର୍ଷକ ଦୁଇଦିନିଆ କର୍ମଶାଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଆଉ ୧୧ଟି ବିଶୋଧନାଗାର ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି। କଟକ, ଅନୁଗୁଳ, ବାରିପଦା, ବାଲେଶ୍ବର, ଭଦ୍ରକଠାରେ ୫ଟି ବିଶୋଧନାଗାର ନିର୍ମାଣ ସରିଛି ଏବଂ ଆଉ ୬ଟି ସହରରେ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏସବୁ ବିଶୋଧନାଗାର ନିର୍ମାଣ ଫଳରେ ସହରାଞ୍ଚଳରେ ବସବାସ କରୁଥିବା ୬୦ ପ୍ରତିଶତ ଲୋକେ ଉପକୃତ ହେବେ। ଆଗକୁ ରାଜ୍ୟର ୧୧୪ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସରକାର ଯୋଜନା କରିଛନ୍ତି। ୨୦୧୯ ପୂର୍ବରୁ ରାଜ୍ୟର ସମସ୍ତ ସହରାଞ୍ଚଳକୁ ଏହି ଯୋଜନାରେ ସାମିଲ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାବ୍ୟତୀତ ସରକାର ସହରାଞ୍ଚଳରେ ୮୬ଟି ‘ସେସ୍ପୁଲ୍ ଯାନ’କୁ ପାଇଖାନା ଟାଙ୍କିରୁ ସୁରକ୍ଷିତ ଭାବେ ମଳ ନିଷ୍କାସନ ଓ ପରିବହନ କାର୍ଯ୍ୟରେ ନିୟୋଜନ କରାଯାଇଛି। ବର୍ତ୍ତମାନ ବିଶୋଧନାଗାର ନଥିବା ସହରମାନଙ୍କରେ ଗଭୀର ଗାତ ପ୍ରଣାଳୀରେ ନିରାପଦ ଭାବେ ମଳକୁ ପୋତି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୧୭ ମସିହାରେ ରାଜ୍ୟରେ ଆରମ୍ଭ କରାଯାଇଥିବା ‘ଅର୍ବାନ୍ ସାନିଟେସନ ପଲିସି’ ଜରିଆରେ ରାଜ୍ୟକୁ ପ୍ରଦୂଷଣମୁକ୍ତ କରାଯିବା ସହ ‘ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ସ୍ଲୋଗାନକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ସଚିବ ଡି.ଏସ୍. ମିଶ୍ର, ରାଜ୍ୟ ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥି ଭାଥନନ୍ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ବର କୁଆଖାଇ ନଦୀ ନିକଟରେ ନିର୍ମିତ ‘ପରିମଳ ବିଶୋଧନାଗାର’ ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ପୁରୀ ଲୋକାର୍ପଣ ଉତ୍ସବରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ବ୍ରହ୍ମପୁରରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଢେଙ୍କାନାଳ କାର୍ଯ୍ୟକ୍ରମରେ ବିଧାୟକ ସରୋଜ ସାମଲ, ରାଉରକେଲା କାର୍ଯ୍ୟକ୍ରମରେ ବିଧାୟକ ସୁବ୍ରତ ତରାଇ, ସମ୍ବଲପୁରରେ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପରିମଳ ବିଶୋଧନାଗାର ନିର୍ମାଣ ଫଳରେ ସହରବାସୀ ଉପକୃତ ହୋଇପାରିବେ ବୋଲି ମତ ରଖିଥିଲେ।