ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁଲିସ୍‌ ଅଧିକାରୀ ପୁରସ୍କୃତ

Advertisment

କଟକ : ସମାଜର ସବୁଠୁ ଗରିବ ଲୋକ ଯେପରି ନ୍ୟାୟ ପାଇବ, ପୁଲିସ ପ୍ରତି ଯେପରି ତା’ର ଭରସା ବଢ଼ିବ, ତାହାକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ କାମ କରିବା ଉଚିତ। କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ ଓଡ଼ିଶା ପୁଲିସର ୮୩ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ଅଫିସର ମାନଙ୍କୁ ଏପରି ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିିଥିଲେ ଯେ ଏସ୍‌ପି ଅଫିସରେ ଥିବା ମହିଳା ସେଲ୍‌ ଏବଂ ଥାନା ସ୍ତରରେ ମହିଳା ଓ ଶିଶୁ ଡେସ୍କଗୁଡ଼ିକ ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ। ଥାନାର ଇନ୍‌ସ୍ପେକ୍ଟରମାନେ ଅଭ୍ୟର୍ଥନା ଡେସ୍କଗୁଡ଼ିକୁ ମଧ୍ୟ କ୍ରିୟାଶୀଳ କରିବା ଉପରେ ଧ୍ୟାନ ଦେବା ଉଚିତ।

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର୍‌.ପି. ଶର୍ମା ଉଦବୋଧନ ଦେଇ ବିଭାଗରେ ସ୍ୱଚ୍ଛତା ଏବଂ ସମ୍ବେଦନଶୀଳତା ଉପରେ ଗୁରୁତ୍ୱ ଦେବା ସହ ଜିଲ୍ଲାସ୍ତରରେ ମହିଳା କାଉନ୍‌ସେଲିଂ ସେଣ୍ଟର ସ୍ଥାପନ ଉପରେ ମତ ଦେଇଥିଲେ । ଏହି ଅବସରରେ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୦ ଜଣ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି କଟକ କମିସନରେଟ୍‌ ମଙ୍ଗଳାବାଗ ଥାନା ଇନ୍‌ସ୍ପେକ୍ଟର ଅରୁଣ କୁମାର ସ୍ୱାଇଁ, ଇନ୍‌ସ୍ପେକ୍ଟର ରାଇସେନ୍‌ ମୁର୍ମୁ, ଇନ୍‌ସ୍ପେକ୍ଟର କଳ୍ପନା ସାହୁ, ଏସ୍‌ଓଜିର ସୁବେଦାର ବିଦ୍ୟାଧର ସେଠୀ, ଏସ୍‌ଆଇ ଭବାନୀ ପ୍ରସାଦ ମିଶ୍ର, ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଦଳାଇ, ହାବିଲ୍‌ଦାର ଜେନାମଣି ଭୋଇ, ଟ୍ରାଫିକ କନେଷ୍ଟବଳ ସନ୍ତୋଷ କୁମାର ଛୁଆଳସିଂହ, କନେଷ୍ଟବଳ ଦୁଷ୍ମନ୍ତ କୁମାର ପରିଡ଼ା, ଏପିଆର୍‌ କନେଷ୍ଟବଳ ଜିଓଗ୍ରେ ଲାକ୍ରା।

ସେହିପରି ଅବସରପ୍ରାପ୍ତ ପୁଲିସ ଡିଜିପି ଏଲ୍‌.ସି. ଅମର୍‌ନାଥନ, ଅଜୟ କୁମାର ଷଢ଼ଙ୍ଗୀ ଏବଂ ଆକୁଳି ଚରଣ ପଣ୍ଡାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ କଟକକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା । ପରିବାର ମଙ୍ଗଳ କେନ୍ଦ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ କଟକ ପ୍ରଥମ ସ୍ଥାନ, ଓଏସ୍‌ଏପି ଦ୍ୱିତୀୟ ବାଟାଲିୟନ୍‌ ଝାରସୁଗୁଡ଼ା ଦ୍ୱିତୀୟ ସ୍ଥାନ, କଟକ ତୁଳସୀପୁର କେନ୍ଦ୍ର ତୃତୀୟ ସ୍ଥାନ ରହିଥିବା ବେଳେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ସ୍ୱର୍ଗତ ଭ୍ରମରବର ସାହୁ ସ୍ମାରକୀ ସାହସିକତା ପୁରସ୍କାର ପାଇଁ ସ୍ୱର୍ଗତ କମାଣ୍ଡାଣ୍ଟ ଲକ୍ଷ୍ମୀକାନ୍ତ ଜୈନଙ୍କୁ ଚୟନ କରାଯାଇଥିଲା । ତାଙ୍କ ଦେହାନ୍ତ ଯୋଗୁ ଏହି ପୁରସ୍କାର ସ୍ୱରୂପ ତାଙ୍କ ସ୍ତ୍ରୀ ବନ୍ଦିତା ଜୈନଙ୍କୁ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର କମାଣ୍ଡାଣ୍ଟ ବିଶାଳ ବୋମଜାନ୍‌ଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶୀ ପ୍ରଦାନ କରାଯାଇଥିଲା ।

ସେହିପରି ଡିଜିପି ଡିସ୍କ ମୋଟ ୧୦୦ ଜଣ ପୁଲିସ ଅଫିସର ଏବଂ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ପୁଲିସ ବିଭାଗରେ ସମ୍ପୃକ୍ତ ଅଫିସରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ଆନୁଷ୍ଠାନିକ ପରେଡ୍‌ରେ ଏସ୍‌ଓଜି ଦଳ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବେଳେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଆୟୋଜିତ ପରେଡ୍‌ରେ ମୋଟ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ କମାଣ୍ଡର ଥିଲେ ନବ ନିଯୁକ୍ତ ଆଇପିଏସ୍‌ ଅଧିକାରୀ ସୁଶ୍ରୀ ସାଗରିକା ନାଥ । ଆଇଜି ଅସିତ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।