ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ମୟୂରଭଞ୍ଜ : ୩୦୦ କୋଟି ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟିତ, ବାରିପଦା ମନ୍ଦିର ପାଇଁ ୫ କୋଟି ଟଙ୍କାର ପ୍ୟାକେଜ୍‌

ଆଦାନୀ-କିସ୍‌ ଆବାସିକ ଜନଜାତି ବିଦ୍ୟାଳୟ ଉଦ୍‌ଘାଟିତ

ବାରିପଦା : ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ମୟୂରଭଞ୍ଜ। ସାଧାରଣ ନିର୍ବାଚନ ପରେ ପ୍ରଥମ ବାରିପଦା ଗସ୍ତ ଅବସରରେ ଏହାର ଆଭାସ ‌ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜିଉ ମନ୍ଦିର ପାଇଁ ଆଜି ଘୋଷଣା କରିଛନ୍ତି ୫ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍‌। ଏଥିସହ ୨୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୫୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ବୁଧବାର ବାରିପଦା ନିକଟସ୍ଥ ବାଙ୍କିଶୋଳଠାରେ ଆଦାନୀ-କିସ୍‌ ଜନଜାତି ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ ପରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ଏହି ଘୋଷଣା ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଖିଚିଂ ମନ୍ଦିର ସମେତ ଦେବକୁଣ୍ଡ ଭଳି ସମସ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେବେ ବୋଲି ସେ ଘୋଷଣା କରିଥିଲେ। ଏଥିସହିତ, ଲୁହାଶିଳାଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ସମେତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ଇଂ. ବିଶେଶ୍ବର ଟୁଡ଼ୁ, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌, ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, ୫-ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ବିଧାୟକ ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଦେବାଶିଷ ମହାନ୍ତି, କାର୍ଯ୍ୟକାରୀ ସଭାପତି ଦେବାଶିଷ ମାରାଣ୍ଡି, ସାନନ୍ଦ ମାର୍ଣ୍ଡି, ଭାଦବ ହାଁସଦା, ଜିତେନ୍ଦ୍ର ମହାନ୍ତି, କୃଷ୍ଣାନନ୍ଦ ମହାନ୍ତି, ପ୍ରଭ‌ାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆଦାନୀ-କିସ୍‌ ଆବାସିକ ଜନଜାତି ବିଦ୍ୟାଳୟ ଉଦ୍‌ଘାଟିତ

ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତ ଅବସରରେ ବାରିପଦା ନିକଟବର୍ତ୍ତୀ ବାଙ୍କିଶୋଳରେ ଆଦାନୀ ଫାଉଣ୍ଡେସନ୍‌ ସହଯୋଗରେ ପ୍ରତିଷ୍ଠିତ ଆଦାନୀ-କିସ୍‌ ଜନଜାତି ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶିକ୍ଷାର ଗୁରୁତ୍ବ ସମ୍ପର୍କରେ ମତବ୍ୟକ୍ତ କରିବାକୁ ଯାଇ କହିଥିଲେ, ରାଜ୍ୟ ସରକାରଙ୍କ ଜନଜାତି ଶିକ୍ଷା ଯୋଜନାରେ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇ ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌, ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ବିଶେଶ୍ବର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, କିଟ୍‌-କିସ୍‌ ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତ, ଆଦାନୀ ଫାଉଣ୍ଡେସନ୍‌ର ମୁଖ୍ୟ ପ୍ରୀତି ଆଦାନୀ, ଆଦାନୀ ଏସ୍‌ଇଜେଡ୍‌ ସିଇଓ କରନ ଜି ଆଦାନୀ, ୫-ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶିକ୍ଷାନୁଷ୍ଠାନ ପରିସରରେ ଏକ ୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ତଥା ମୟୂରଭଞ୍ଜର ସୁଯୋଗ୍ୟ ସନ୍ତାନ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅବଦାନକୁ ମଧ୍ୟ ଶ୍ରୀ ସାମନ୍ତ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର