ଇକୋ ରିଟ୍ରିଟ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗଦେଲେ ରାଜ୍ୟର ବରିଷ୍ଠ ମନ୍ତ୍ରୀ, ସାଂସଦ ,ବିଧାୟକ

ପ୍ରଥମ ଦିନରେ ୩୦ ତମ୍ବୁ ବୁକିଂ, ଚାଲିବ ୪୯ ଦିନ , ପ୍ରଥମ ସନ୍ଧ୍ୟାରେ ପର୍ଯ୍ୟଟକଙ୍କ ମନ ଜିଣିଲା ‘ୟୁଫୋରିଆ’

କୋଣାର୍କ : କୋଣାର୍କ-ପୁରୀ ପୁରୁଣା ବେଳାମାର୍ଗରେ ପ୍ରଥମ ଥର ପାଇଁ ଆୟୋଜିତ ଇକୋ ରିଟ୍ରିଟ୍ ଉତ୍ସବକୁ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବେଲୁନ ଉଡ଼ାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟାରେ କୋଣାର୍କ ହେଲିପ୍ୟାଡ୍‌ରେ ପହଞ୍ଚିବା ପ‌ରେ ‌ସେଠାରୁ କଡ଼ା ସୁରକ୍ଷାରେ କାରକେଡ୍‌ରେ ଯାଇ ଉତ୍ସବସ୍ଥଳରେ ପହଞ୍ଚିଥିଲେ। ଓଡ଼ିଶାର ଏହି ପ୍ରଥମ ବେଳାମାର୍ଗ ଇକୋ ରିଟ୍ରିଟ ଉତ୍ସବକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟାଟେରି ଚାଳିତ ଗାଡ଼ିରେ ବସି ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ଦେଢ଼ କିମି ବ୍ୟାପୀ ତମ୍ବୁ(ଟେଣ୍ଟ୍) ଗୃହ ବୁଲି ଦେଖିଥିଲେ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ଇକୋ ରିଟ୍ରିଟ୍ ଉତ୍ସବ ଆସନ୍ତା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୪୯ ଦିନ ଧରି ଚାଲିବ। ବେଳାମାର୍ଗରେ ପର୍ଯ୍ୟଟକମାନେ ତମ୍ବୁରେ ରାତ୍ରିଯାପନ କରିବେ। ଏଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆଜି ପ୍ରଥମ ଦିନ‌ରେ ମୋଟ ୫୦ଟି ତମ୍ବୁରୁ ୩୦ଟି ତମ୍ବୁରେ ପର୍ଯ୍ୟଟକ ରହିବେ ବୋଲି ଜଣାପଡ଼ିଛି। ଆଜି ସୁଦ୍ଧ‌ା‌ ବିଭିନ୍ନ ଦିବସ ପାଇଁ ମୋଟ ୨୬୦ଟି ତମ୍ବୁ ବୁକିଂ ‌ସରିଛି।

ସନ୍ଧ୍ୟା ୭ଟାରେ ଜାତୀୟସ୍ତରର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ‘ୟୁଫୋରିଆ’ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଉପସ୍ଥିତ ପର୍ଯ୍ୟଟକ ଓ ଅତିଥିମାନେ ଉପଭୋଗ କରିଥିଲେ। ଆଜିର ଉଦ୍‌ଘାଟନ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ, ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର , ଜଗତସିଂହପୁର ସାଂସଦ ଡ଼ା. ରାଜଶ୍ରୀ ମଲ୍ଲିକ, ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାଶ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର, ପର୍ଯ୍ୟଟନ ସଚିବ ବିଶାଲ ଦେବ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଉମାଶଙ୍କର ଦାଶ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଟିଡିସି ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସେଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକା‌ରୀମାନେ ଉପସ୍ଥିତ ଥିଲେ।
ଆସନ୍ତାକାଲିଠାରୁ ପର୍ଯ୍ୟଟକମାନେ ପାରା ସେଲିଂ, ସାଇକେଲିଂ, ଜଳକ୍ରୀଡ଼ାର ମଜା ନେଇପାରିବେ। ବାଲୁଖଣ୍ଡ ଅଭୟାରଣ୍ୟରେ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନଙ୍କ ପାଇଁ ସୂର୍ଯ୍ୟମନ୍ଦିର ଦର୍ଶନ, ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର ଓ ଲାଇଟ ଆଣ୍ଡ୍‌ ସାଉଣ୍ଡ ସୋ’ ମଧ୍ୟ ଉପଭୋଗ କରିବେ। ଏହି ଉତ୍ସବରେ ହସ୍ତଶିଳ୍ପ ଷ୍ଟଲ ସହିତ ଫୁଡ୍‌ ଷ୍ଟଲ, ସମ୍ବଲପୁରୀ ବସ୍ତ୍ରାଳୟ ଖୋଲାଯାଇଛି।

ଏଠାରେ ପର୍ଯ୍ୟଟକଙ୍କ ରହଣି ପାଇଁ ମୋଟ ୫୦ ଟି ଅତ୍ୟାଧୁନିକ ଟେଣ୍ଟ୍‌ ଗୃହ ନିର୍ମାଣ ହୋଇଛି। ୩୪ଟି ଡିଲକ୍ସ, ୧୨ଟି ପ୍ରିମୟମ ଓ ୨ଟି ଲେଖାଏଁ ରୟାଲ କଟେଜ, ପ୍ରେସିଡେନ୍ସି ଭିଲ୍ଲା ଭଳି ଟେଣ୍ଟ ଗୃହ ରହିଛି। ସମସ୍ତ ୫୦ଟି ଟେଣ୍ଟ୍‌ ଗୃହ ଶୀତତାପ ନିୟନ୍ତ୍ରିତ । ଭିଆଇପି ଲାଉଞ୍ଜ୍ ଓ ରିସେପ୍‌ସନ୍‌ କାଉଣ୍ଟର ସାଙ୍ଗକୁ ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ସମସ୍ତ ବ୍ୟବସ୍ଥା ‌‌ହୋଇଛି। ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଡ. ରତିକାନ୍ତ ପଟ୍ଟନାୟକ, ପିକେ ଚାନ୍ଦ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ପର୍ଯ୍ୟଟନ ବିଭାଗର ପ୍ରୋଜେକ୍ଟ୍‌ ମନିଟରିଂ ୟୁନିଟ୍‌ର ଅଧିକାରୀ ମିତ୍ରଭାନୁ ଚୌଧୁରୀ, ନହର ମହମ୍ମଦ ପ୍ରମୁଖ ଉପସ୍ଥିତ ରହି ସବୁ କାର୍ଯ୍ୟକୁ ତଦାରଖ କରୁଛନ୍ତି।

ସମ୍ବନ୍ଧିତ ଖବର