ସଚେତନତା ରଥକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମିଳିମିଳା ଓ ଜର୍ମାନ ମିଳିମିଳା ଟିକାକରଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ମିଳିମିଳା ଓ ଜର୍ମାନ ମିଳିମିଳା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ସଚେତନତା ପାଇଁ ବାହାରୁଥିବା ରଥକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଲେ, ରାଜ୍ୟରେ ପ୍ରଥମ ଥର ପାଇଁ ଏହି ଟିକାକରଣ କରାଯାଉଛି। ଏହା ଆସନ୍ତା ମାର୍ଚ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ଟିକାକରଣ ଅଭିଯାନରେ ୯ମାସରୁ ୧୫ବର୍ଷ ବୟସ ପର୍ଯ୍ୟନ୍ତ ୧କୋଟି ୧୩ଲକ୍ଷରୁ ଅଧିକ ପିଲାଙ୍କୁ ଏହି ଟିକା ଦିଆଯିବ। ଏହି ଅଭିଯାନ ଶେଷ ହେବା ପରେ ନିୟମିତ ଟିକାକରଣ ଅଭିଯାନରେ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ମିଳିମିଳା ଓ ଜର୍ମାନ ମିଳିମିଳା ହେଉଛି ଭାଇରସ୍‌ ଜନିତ ରୋଗ। ୧୫ବର୍ଷରୁ କମ୍‌ ଶିଶୁଙ୍କ କ୍ଷେତ୍ରରେ ଏହାର ସଂକ୍ରମଣ ମାତ୍ରା ଅଧିକ। ଯାହାକି ଶିଶୁଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ। ଗର୍ଭଧାରଣର ପ୍ରଥମ ଅବସ୍ଥାରେ ଜର୍ମାନ ମିଳିମିଳା ସଂକ୍ରମଣ ହେଲେ ସ୍ୱେଚ୍ଛାପ୍ରବୃତ୍ତ ଗର୍ଭପାତ, ମୃତଶିଶୁ ଜନ୍ମ, ଚକ୍ଷୁ ରୋଗ, ଶ୍ରବଣ ତ୍ରୁଟି ଓ ମାନସିକ ଅନଗ୍ରସରତା ଭଳି ରୋଗ ଦେଖା ଦେଇଥାଏ।

ଏହି ଅଭିଯାନର ପ୍ରଥମ ଦୁଇ ସପ୍ତାହ ସରକାରୀ ଓ ବେସରକାର ବିଦ୍ୟାଳୟରେ ଟିକା ଦିଆଯିବ। ପରେ ଦୁଇ ସପ୍ତାହ ଗୋଷ୍ଠୀଭିତ୍ତିକ ସ୍ତରରେ ପିଲାଙ୍କୁ ଟିକାକରଣ କରାଯିବ। ଶେଷ ସପ୍ତାହରେ ଗୋଷ୍ଠୀସ୍ତରରୁ ଆରମ୍ଭ କରି ବିଦ୍ୟାଳୟମାନଙ୍କରେ, ଯେଉଁ ସବୁ ସ୍ଥାନରେ ସଂପୂର୍ଣ୍ଣ ଟିକାକରଣ ହୋଇ ନ ଥିବ ସେସବୁ ସ୍ଥାନରେ ଟିକାକରଣ କରାଯିବ। ଏହି ଅଭିଯାନର ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଏସ୍‌ସି ଓ ଏସ୍‌ଟି ବିଭାଗ ଓ ପଞ୍ଚାୟତିରାଜ ବିଭାଗର ସହଯୋଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଟିକାକରଣ କରାଯାଉଛି। ଏହାସହ ୟୁନିସେଫ୍‌, ବିଶ୍ୱସ୍ୱାସ୍ଥ୍ୟ ସଂଗଠନ, ୟୁଏନ୍‌ଡିପି ଓ ଆଇଏମ୍‌ଏ, ଆଇଏପି ଓ ଲାୟନ୍‌ସ ଇଣ୍ଟରନାସନାଲ ଭଳି ପେସାଦାର ସଂଗଠନମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିବା ବେଳେ ରାଜ୍ୟ ସରକାର ସଚେତନତା କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ୫ କୋଟି ଟଙ୍କା ‘ସଂପୂର୍ଣ୍ଣା’ ଯୋଜନାରୁ ମଞ୍ଜୁର କରିଛନ୍ତି।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର