ଉଦ୍‌ଘାଟନ ହେଲା ‘କୃଷି ଭବନ’ : ମାସକ ପରେ ଆସିବ ତିନି ନିର୍ଦ୍ଦେଶାଳୟ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ତିନିଟି ନିର୍ଦ୍ଦେଶାଳୟ ଗୋଟିଏ କୋଠାରେ କାର୍ଯ୍ୟ କରିବ। ଏଥିପାଇଁ ନିର୍ମାଣ ହୋଇଥିବା ‘କୃଷି ଭବନ’କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ସମ୍ବଲପୁରୀ ଇକ୍କତ ଡିଜାଇନରେ ନିର୍ମାଣ ହୋଇଥିବା ଏହି କୋଠାଟି କୃଷି ସମ୍ପର୍କିତ ଲୋକକଥା ଉପରେ ଆଧାରିତ।
ପ୍ରାୟ ୮୦ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ଏହି କୃଷି ଭବନ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଆହୁରି ମାସେରୁ ଦେଢ଼ ମାସ ଲାଗିବ ବୋଲି ଜଣାପଡ଼ିଛି। ଏଠାକୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ମୂର୍ତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ ଏବଂ ଜଳ ବିଭିଜିକା ଉନ୍ନୟନ ମିସନ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ। ଏହି ତିନିଟି ନିର୍ଦ୍ଦେଶାଳୟ ସ୍ଥାନାନ୍ତର ହେବାକୁ ପ୍ରାୟ ଦେଢ଼ ମାସ ଲାଗିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ‘କୃଷି ଭବନ’କୁ ଉଦ୍‌ଘାଟନ କରି କହିଲେ ଯେ, ଓଡ଼ିଶା କୃଷି କ୍ଷେତ୍ରରେ ବହୁତ ଆଗେଇଛି। ୨୦୦୦ ମସିହାରେ ଖାଦ୍ୟ ନିରାପତ୍ତା ପାଇଁ ପଞ୍ଜାବ ଓ ହରିୟାନାରୁ ଟ୍ରେନ୍‌ ର‍୍ୟାକ୍‌ ଜରିଆରେ ଓଡ଼ିଶାକୁ ଖାଦ୍ୟ ଶସ୍ୟ ଆସୁଥିଲା। ଆଜି ଏଥିରେ ବହୁତ ପରିବର୍ତ୍ତନ ଆସିଛି। ଓଡ଼ିଶା ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି। ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ତୃତୀୟ ସର୍ବାଧିକ ଅଂଶୀଦାର ରାଜ୍ୟ ପାଲଟିଛି। ୧୮ବର୍ଷରେ ସ୍ଥିତି ବହୁତ ସୁଧୁରିଛି। ରାଜ୍ୟ ସରକାର ୨୦୧୧ ମସିହାରୁ ବର୍ତ୍ତମାନ ସୁଦ୍ଧା ୪ଥର କୃଷି କର୍ମଣ ପୁରସ୍କାର ପାଇଥିବାବେଳେ ଏହା ବାବଦକୁ ମିଳିଥିବା ୧୭କୋଟି ଟଙ୍କା ଏହି ଭବନ ନିର୍ମାଣରେ ବିନିଯୋଗ ହୋଇଛି। ଏହି ଭବନ ଚାଷୀ ଭାଇଭଉଣୀଙ୍କ ସଶକ୍ତୀକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଭବିଷ୍ୟତରେ କୃଷି ବିଭାଗ ଚାଷୀମାନଙ୍କୁ ଅଧିକ ଦକ୍ଷତାର ସହ ସେବା ଯୋଗାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏଥିରେ ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଉଛନ୍ତି। ଚାଷୀର କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ଜଳସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ ଯେ, ଜଳସମ୍ପଦ କ୍ଷେତ୍ରରେ ରାଜ୍ୟ ସରକାର ବହୁ ଆଖିଦୃଶିଆ ପଦକ୍ଷେପ ନେଇଛନ୍ତି। ଏବେ ସୁଦ୍ଧା ୧୬ଲକ୍ଷ ୧୦ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇଛି। ୨୦୧୪ରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏବେ ସୁଦ୍ଧା ୭ଲକ୍ଷ ହେକ୍ଟର ଜମିରେ ଜଳସେଚନ ସରିଲାଣି। ଖୁବ୍‌ ଶୀଘ୍ର ଲକ୍ଷ୍ୟ ହାସଲ ହେବ ବୋଲି ମନ୍ତ୍ରୀ କହିଥିଲେ।

ଏଥିରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉପସ୍ଥିତ ଥିଲେ। ବିଭାଗୀୟ ସଚିବ ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଲଡିଂର ଡିଜାଇନ୍‌ ପ୍ରସ୍ତୁତ କରିଥିବା ସଂସ୍ଥା ଷ୍ଟୁଡିଓ ଲୋଟସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମରିଶ ଆରୋରା ଏବଂ ଅନ୍ୟ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର