ଦୁନିଆ ସାରା ଓଡ଼ିଆ ଭାଷା: ମୁଖ୍ୟମନ୍ତ୍ରୀ

ଓଡ଼ିଆ ଭର୍ଚୁଆଲ୍‌ ଏକାଡେମିର ୱେବ୍‌ ପୋର୍ଟାଲ୍‌ ଉନ୍ମୋଚିତ: ୧୭୦ଟି ପ୍ରାଚୀନ ସାହିତ୍ୟ ସ୍ଥାନ ପାଇଲା

ଭୁବନେଶ୍ବର : ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭର୍ଚୁଆଲ୍‌ ଏକାଡେମିର ୱେବ୍‌ ପୋର୍ଟାଲ୍‌ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ୍‌ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ବା ଫକୀରମୋହନ ସେନାପତିଙ୍କ ରେବତୀ ଭଳି ୧୭୦ଟି ପ୍ରାଚୀନ ତଥା ଲୋକପ୍ରିୟ ସାହିତ୍ୟ ଡିଜିଟାଇଜ୍‌ ରୂପରେ ସ୍ଥାନ ପାଇଛି। ଏହା ଫଳରେ ପ୍ରତି ଓଡ଼ିଆଙ୍କ ନିକଟରେ ଓଡ଼ିଆ ଭାଷାରେ ଶାସ୍ତ୍ରୀୟ ସାହିତ୍ୟ ବର୍ତମାନ ଉପଲବ୍ଧ। ଏହା ଦ୍ବାରା ବିଶ୍ବ ଦରବାରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ୱେବ୍‌ ପୋର୍ଟାଲ୍‌ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଖୁସିର କଥା ଯେ ଓଡ଼ିଆ ଭର୍ଚୁଆଲ୍‌ ଏକାଡେମିର ନୂଆ ୱେବ୍‌ ପୋର୍ଟାଲ୍‌ (www.ova.gov.in)କୁ ଆଜି ଉର୍ତ୍ସଗ କରାଗଲା। ଓଡ଼ିଆ ଭାଷା ବହୁତ ସମୃଦ୍ଧ। ଏହା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମଧ୍ୟ ପାଇଛି। ମଧ୍ୟ ଯୁଗଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ବହୁତ ଭଲ ଭଲ ସାହିତ୍ୟ ସୃଷ୍ଟି ହୋଇଛି। ସେଗୁଡ଼ିକର ଡିଜିଟାଇଜେସନ, ସଂରକ୍ଷଣ ଓ ପ୍ରଚାରର ଦାୟିତ୍ବ ଭର୍ଚୁଆଲ୍‌ ଏକାଡେମି ହାତକୁ ନେଇଛି। ଏହା ଫଳରେ ବିଶ୍ବ ଦରବାର ବିଶେଷ କରି ବିଶ୍ବର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହେବ ବୋଲି ସେ କହିଥିଲେ।

ଡିଜିଟାଇଜେସନ୍‌ ପ୍ରକ୍ରିୟାରେ ଅଧିକ ସଂଖ୍ୟକ ସାହିତ୍ୟ ସୃଷ୍ଟିକୁ ପୋର୍ଟାଲ୍‌ରେ ସ୍ଥାନୀତ କରାଯିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଥିଲେ। ସାହିତ୍ୟରେ ଭବିଷ୍ୟତର ଭାଷା ଡିଜିଟାଲ୍‌ ବୋଲି କହିଥିଲେ ଭର୍ଚୁଆଲ୍‌ ଏକାଡେମି ଅଧ୍ୟକ୍ଷ ତଥା ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ। ଏହି ଅବସରରେ ଭର୍ଚୁଆଲ୍‌ ଏକାଡେମିର କାର୍ଯ୍ୟକ୍ରମ ସମ୍ବଳିତ ୫ ମିନିଟ୍‌ ଅବଧିର ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ସହିତ ଏହାକୁ ଲୋକପ୍ରିୟ କରିବା ପରିପ୍ରେକ୍ଷୀରେ ଭର୍ଚୁଆଲ୍‌ ଏକାଡେମି ସଂପାଦକ ସଂଗ୍ରାମ କେଶରୀ ମହାପାତ୍ର, ଚିକାଗୋ ବିଶ୍ବବିଦ୍ୟାଳୟ ପାଠାଗାରର ଜେମ୍‌ସ ନାଇ ଏବଂ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ସେହିପରି ଏକାଡେମିର ସଂପାଦକ ସି-ଡାକ୍‌ର ବରିଷ୍ଠ ନିର୍ଦେଶକ ଭି.କେ.ଶର୍ମା ଏବଂ ସେଣ୍ଟର ଫର୍‌ ଇଣ୍ଟରନେଟ୍‌ ସୋସାଇଟି ନିର୍ଦେଶକ ସୁମନ୍ଦ୍ରୋ ଚଟ୍ଟୋପାଧ୍ୟାୟଙ୍କ ସହିତ ଆହୁରି ୨ଟି ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ଚିକାଗୋ ବିଶ୍ବବିଦ୍ୟାଳୟର ଜେମ୍‌ସ ନାଇ ଏକାଡେମିର ଭୂମିକାକୁ ପ୍ରଶଂସା କରି ଏହା ସହଭାଗିତାର ଆରମ୍ଭ ମାତ୍ର ବୋଲି କହିଥିଲେ।

ଶେଷରେ ଧନ୍ୟବାଦ ଜରିଆରେ ବିଶିଷ୍ଟ ସାହିତ୍ୟିକ କାଳିନ୍ଦୀଚରଣ ପାଣିଗ୍ରାହୀ, ଗୋପୀନାଥ ମହାନ୍ତି ପ୍ରମୁଖଙ୍କ ସ୍ମୃତିଚାରଣ କରିଥିଲେ ଏକାଡେମି ସଂପାଦକ ଶ୍ରୀ ମହାପାତ୍ର। ଏହି କାର୍ଯ୍ୟକ୍ରମରେ ସାଂସଦ ତଥାଗତ ସତପଥୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଓଁକାର ନାଥ ମହାନ୍ତି, ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର