ଏସ୍‌ଟିପି-୨ ନୂତନ ଉଦ୍ୟୋଗୀଙ୍କ ଆବଶ୍ୟକତାକୁ ପୂରଣ କରି

ଜେଏସ୍‌ଏସ୍‌ ସଫ୍ଟେଓ୍ଵର ଟେକ୍‌ନୋଲୋଜି ପାର୍କ-୨ ଉଦ୍‌ଘାଟିତ

ଭୁବନେଶ୍ୱର : ସୂଚନା ପ୍ରଯୁକ୍ତି ଓ ଏହା ଦ୍ୱାରା ହେଉଥିବା ସେବାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଜେଏସ୍‌ଏସ୍‌ ଗ୍ରୁପ୍‌ର ଦ୍ୱିତୀୟ ସଫ୍ଟୱେର ଟେକ୍‌ନୋଲୋଜି ପାର୍କ (ଏସ୍‌ଟିପି) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଜି ଓଡ଼ିଶା ଅର୍ଥ ବ୍ୟବସ୍ଥାରେ ଦେଶର ଏକ ପ୍ରମୁଖ ରାଜ୍ୟ, ଯାହାକି ଖୁବ୍‌ ଶୀଘ୍ର ଆଗକୁ ବଢ଼ିବାରେ ଲାଗିଛି ଏବଂ ପୁଞ୍ଜିଲଗାଣକାରୀ ସଂସ୍ଥାମାନଙ୍କର ପେଣ୍ଠସ୍ଥଳୀ ଭାବେ ପରିଗଣିତ ହେଉଛି। ଆମ ରାଜ୍ୟରେ ବେସରକାରୀ ସଫ୍ଟୱେର ଟେକ୍‌ନୋଲୋଜି ପାର୍କଗୁଡ଼ିକ ଯେପରିକି ଜେଏସ୍‌ଏସ୍‌ ଗ୍ରୁପ୍‌ର ଏସ୍‌ଟିପି-୧ ଏବଂ ଏସ୍‌ଟିପି-୨ ନୂତନ ଉଦ୍ୟୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବା ସହିତ ରାଜ୍ୟ ଓ ଦେଶର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବାରେ ସହାୟକ ହେବ।

ଏସଟିପିଆଇର ଡାଇରେକ୍ଟର ଜେନେରାଲ୍‌ ଓମ୍‌କାର୍‌ ରାଏ ସେ ତାଙ୍କ ବକ୍ତବ୍ୟରେ ଜେଏସ୍‌ଏସ୍‌ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁଙ୍କୁ ନିଜର ଅକ୍ଳାନ୍ତ ଉଦ୍ୟମ ଫଳରେ ଭୁବନେଶ୍ୱରକୁ ଆଇଟିର ଗନ୍ତବ୍ୟସ୍ଥଳ କରିବାର ପ୍ରଚେଷ୍ଟା ପାଇଁ ଅଭନନ୍ଦନ ଜଣାଇଥିଲେ। ସେହିପରି ଇଲୋକ୍ଟେନିକ୍ସ ଏବଂ ଇନଫରମେସନ୍‌ ଟେକ୍‌ନୋଲୋଜିର ପ୍ରମୁଖ ସଚିବ ଅଶୋକ ମୀନା ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ସଫ୍ଟୱେର ଟେକ୍‌ନୋଲୋଜି ପାର୍କ ସ୍ଥାନୀୟ ଆଇଟି ସେଣ୍ଟରମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିବା ବେଳେ ଏହା ମଧ୍ୟ ପୁଞ୍ଜିଲଗାଣକାରୀମାନଙ୍କୁ ଆମନ୍ତ୍ରିତ କରିବ।

ଉତ୍ତର ଭୁବନେଶ୍ୱରର ବିଧାୟକ ପ୍ରିୟଦର୍ଶୀ ମିଶ୍ର ତାଙ୍କ କହିଥିଲେ ଯେ, ଆମ ରାଜ୍ୟକୁ ଆଇଟି କ୍ଷେତ୍ରରେ ଆଗକୁ ନେବାରେ ଜେଏସ୍‌ଏସ୍‌ ସଫ୍ଟୱେର ଟେକ୍‌ନୋଲୋଜି ପାର୍କର ଏଭଳି ପଦକ୍ଷେପ ପ୍ରଶଂସନୀୟ।

ଜେଏସ୍‌ଏସ୍‌ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ନବନିର୍ମିତ ସଫ୍ଟୱେର ଟେକ୍‌ନୋଲୋଜି ପାର୍କ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ସୂଚନା ପ୍ରଯୁକ୍ତିର ଭିତ୍ତି ସଂରଚନାର ସହିତ ପେସାଦାରମାନଙ୍କୁ ବିଭିନ୍ନ ଜ୍ଞାନ ପ୍ରଦାନର କୈାଶଳ ପ୍ରଦାନ କରିବ। ପରିଶେଷରେ ଜେଏସ୍‌ଏସ୍‌ ଗ୍ରୁପ୍‌ର ସିଇଓ ଅରବିନ୍ଦ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଜେଏସ୍‌ଏସ୍‌ ଗ୍ରୁପ୍‌ ଏହାର ନିରବଚ୍ଛିନ୍ନ ସେବା ପାଇଁ ୨୦୦୮ ମସିହାରେ ବେଷ୍ଟ ବିପିଓ ଆୱାର୍ଡ଼, ୨୦୧୪ ମସିହାରେ ବେଷ୍ଟ ଆଇସିଟି ଆୱାର୍ଡ଼ ଏବଂ ୨୦୧୩ ରୁ ୨୦୧୬ ତିନିବର୍ଷ ଧରି ଏସ୍‌.ଟି.ପି.ଆଇ ଆୱାର୍ଡ଼ରେ ପୁରସ୍କୃତ ହୋଇଛି।

ସମ୍ବନ୍ଧିତ ଖବର