୨୬୭୫ କୋଟି ନିବେଶ, ୯ ହଜାର ନିଯୁକ୍ତି ସୁଯୋଗ : ସଚିବାଳୟରୁ ୧୨ ପ୍ରକଳ୍ପର ଶିଳାନ୍ୟାସ, ୭ର ଉଦ୍‌ଘାଟନ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ୬ ମାସ ତଳେ ସଚିବାଳୟରେ ଏକାଥରେ ୧୫ ଶିଳ୍ପର ଶୁଭାରମ୍ଭ କରି ସରକାର ଶିଳ୍ପାୟନର ବାର୍ତ୍ତା ଦେଇଥିଲେ। ଆଜି ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେଥିରୁ ୭ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା ବେଳେ ଆଉ ୧୨ଟିରେ ଶିଳାନ୍ୟାସ ହୋଇଛି। ରାଜ୍ୟରେ ଶିଳ୍ପାୟନ ଯେ ଦ୍ରୁତ ଗତିରେ ଜାରି ରହିଛି, ତାହା ଆଜି ସରକାର ପ୍ରଦର୍ଶିତ କରିଛନ୍ତି। ଆଜି ଶିଳାନ୍ୟାସ ଓ ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପରେ ୨୬୭୫ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିଲା ବେେଳେ ୯ ହଜାର ନିଯୁକ୍ତିର ସ୍ୱପ୍ନ ଦେଖାଯାଇଛି।

ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ଦେଶରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସର୍ବାଧିକ ପସନ୍ଦର ସ୍ଥାନ ପାଲଟିଯାଇଛି। ରାଜ୍ୟରେ ଶିଳ୍ପର ବିକାଶ ପାଇଁ ସରକାର ଭିଜନ୍‌-୨୦୨୫ ପ୍ରସ୍ତୁତ କରିଛନ୍ତି। ତେଣୁ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ପୁଞ୍ଜିନିବେଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଆମ୍ଭର ଶିଳ୍ପ ବିକାଶ ଯାତ୍ରାରେ ମେକ୍‌ ଇନ୍‌ ଓଡ଼ିଶା-୨୦୧୬ କନ୍‌କ୍ଲେଭ୍‌ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ ଥିଲା। ଏହା ଖଣି, ମେଟାଲ ଓ ଶକ୍ତି ପରି ପାରମ୍ପରିକ କ୍ଷେତ୍ର ବାଦ୍‌ ଅନ୍ୟ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆଗ୍ରହ ସୃଷ୍ଟିରେ ସହାୟକ ହୋଇଥିଲା। ଏହି କନ୍‌କ୍ଲେଭ୍‌ ସମୟରେ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବକୁ ତତ୍‌କାଳ ବାସ୍ତବ ରୂପ ଦେବା ପାଇଁ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା।

୨୦୧୭ ନଭେମ୍ବର ୧୬ରେ ଶିଳାନ୍ୟାସ ହୋଇଥିବା ୧୪ଟି ପ୍ରକଳ୍ପ ମଧ୍ୟରୁ ୨ଟିକୁ ମୁଖ୍ୟମନ୍ତ୍ରୀ ଆଜି ଉଦ୍‌ଘାଟନ କରିଥିଲେ। ଆସନ୍ତା ୬ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ। ପୁଞ୍ଜିନିବେଶ କାର୍ଯ୍ୟକାରିତା ହାରରେ ଭାରତର ଏକ ନମ୍ବର ରାଜ୍ୟ ଭାବେ ଏହା ପ୍ରମାଣିତ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମକୁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ସଂଯୋଜନା କରିଥିଲେ। ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଶିଳ୍ପାୟନ ସମ୍ପର୍କରେ ସୂଚନା ଦେଇଥିଲେ। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜି ଉଦ୍‌ଘାଟିତ ହୋଇଥିବା ଶିଳ୍ପ ସଂସ୍ଥାଗୁଡ଼ିକ ହେଲା ତୋଷାଳି ସିମେଣ୍ଟ୍‌ସ୍‌, ସାଦିପାଲ୍ଲୀ ସୋଲାର୍‌, ଅପାର ଇଣ୍ଡଷ୍ଟ୍ରିଜ୍‌, ଫାଲକନ୍‌ ମେରାଇନ୍‌, ହିମାଦ୍ରି କେମିକାଲ୍‌ସ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଇଣ୍ଡୋ ନିସିନ୍‌ ଫୁଡ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ବି-ଓ୍ଵାନ୍‌ ବିଜ୍‌ନେସ୍‌ ହାଉସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌। ଶିଳାନ୍ୟାସ ହୋଇଥିବା ଶିଳ୍ପ ସଂସ୍ଥାଗୁଡ଼ିକ ହେଲା ଶ୍ୟାମ୍‌ ମେଟାଲିକ୍ସ ଆଣ୍ଡ୍‌ ଏନର୍ଜି ଲିମିଟେଡ୍‌, ଇମାମି ପେପର୍‌ ମିଲ୍‌ସ୍‌ ଲିମିଟେଡ୍‌, ମନପସନ୍ଦ ବେଭରେଜ୍‌ ଲିମିଟେଡ୍‌, ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ପ୍ରାକୃତିକ କୋଲ୍‌ ଓ୍ଵାସେରି, ସରାଫ୍‌ ଏଜେନ୍ସିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ମିଲ୍କ ମନ୍ତ୍ର ଡାଏରି ପ୍ରାଇଭେଟ୍‌ ଲିମିଟେଡ୍‌, ଶାହି ଏକ୍ସପୋର୍ଟସ୍‌, କର୍ଲ-ଅନ୍‌, ନବରଙ୍ଗପୁର ଷ୍ଟାର୍ଚ ଆଣ୍ଡ୍‌ କେମିକାଲ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ପ୍ରଗତି ମିଲ୍କ ପ୍ରଡକ୍ଟସ୍‌ ଓ ପ୍ରାଇମ୍‌ ଫୁଡ୍‌ ଟେକ୍‌ କମ୍ବାଇନ୍‌ସ୍‌।

ଆଜିର କାର୍ଯ୍ୟକ୍ରମରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଳେଭ୍‌-୨୦୧୮ର ଲୋଗୋକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଗଣମାଧ୍ୟମକୁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ଚୋପ୍ରା କହିଥିଲେ, ଏହି କନ୍‌କ୍ଲେଭ୍‌ ନିର୍ଦ୍ଧାରିତ ସମୟ ନଭେମ୍ବର ୧୧ରୁ ୧୫ ଯାଏଁ ହେବ। ସିଆଇଆଇ ଏହି କାର୍ଯ୍ୟକ୍ରମର ଅଂଶୀଦାର ହେବ କି ନାହିଁ, ସେ ନେଇ କୌଣସି ସୂଚନା ଆମକୁ ମିଳି ନାହିଁ। ସିଆଇଆଇ ସହଯୋଗ ନ କଲେ ବି କାର୍ଯ୍ୟକ୍ରମ ଆୟୋଜନରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ।

ସମ୍ବନ୍ଧିତ ଖବର