କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ‌ଲେଖିଲେ ନବୀନ : ଓଡ଼ିଶାର ଦୁଇଟି ପର୍ଯ୍ୟଟନସ୍ଥଳୀକୁ ସାମିଲ୍‌ କର

୫ଟି ପର୍ଯ୍ୟଟନସ୍ଥଳୀର ତାଲିକା ଦେଲେ, ସ୍ବଦେଶ ଦର୍ଶନ ଯୋଜନାରେ ମହେନ୍ଦ୍ରଗିରି ଶୃଙ୍ଗ ସାମିଲ୍‌କୁ ସ୍ବାଗତ

ଭୁବନେଶ୍ବର : କେନ୍ଦ୍ର ସରକାର ୧୭ଟି ପର୍ଯ୍ୟଟନସ୍ଥଳୀକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିବାବେଳେ ଏହାକୁ ବିଶ୍ବଶ୍ରେଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଏହି ୧୭ଟି ପର୍ଯ୍ୟଟନସ୍ଥଳୀରେ ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀ ନରହିବା ଚକିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରାଜ୍ୟର ୫ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅତିକମ୍‌ରେ ଦୁଇଟିକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ରାଜ୍ୟର ଜିଡିପିକୁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ୧୩% ଅବଦାନ ରହୁଛି। ଏହାର ଯୋଜନାବଦ୍ଧ ଭାବେ ଉନ୍ନତିକରଣ ହେବା ଦରକାର। ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଗୁରୁତ୍ବକୁ ଦେଖି କେନ୍ଦ୍ର ସରକାର କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ, ଭିତରକନିକା ଜାତୀୟ ଉଦ୍ୟାନ, ଶିମିଳିପାଳ ଜାତୀୟ ଉଦ୍ୟାନ, ‌ରତ୍ନଗିରି-ଲଳିତଗିରି-ଉଦୟଗିରିକୁ ନେଇ ଥିବା ହୀରକ ତ୍ରିଭୁଜ ବୌଦ୍ଧ ସର୍କିଟ ମଧ୍ୟରୁ କୌଣସି ଦୁଇଟିକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ୍‌ କରନ୍ତୁ।

ସେହିପରି ସ୍ବଦେଶ ଦର୍ଶନ ଯୋଜନାରେ ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ଶୃଙ୍ଗ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିକୁ ସାମିଲ୍‌ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ବାଗତ କରିଛନ୍ତି। କେନ୍ଦ୍ର ସରକାର ଏହି ଯୋଜନାରେ ୧୫ଟି ଥିମ୍‌ ଭିତ୍ତିକ ପର୍ଯ୍ୟଟନସ୍ଥଳୀକୁ ନେଇ ‘ରାମାୟଣ ସର୍କିଟ୍’ କରିଛନ୍ତି। ରାମାୟଣର କଥାବସ୍ତୁ ଅନୁଯାୟୀ ଏହି ୧୫ଟି ସ୍ଥାନକୁ ଉନ୍ନତିକରଣ କରାଯିବ।

ସମ୍ବନ୍ଧିତ ଖବର