ଦଶପଲ୍ଲା ସଭାରେ ନବୀନଙ୍କ କଟାକ୍ଷ : ଓଡ଼ିଶାରେ ବିଜେପିର ଇଞ୍ଜିନ୍ କିଏ?

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେଉଁ ନିର୍ବାଚନମଣ୍ଡଳୀରୁ ଲଢୁଛନ୍ତି? ଓଡ଼ିଶାବାସୀ ଏହା ଜାଣିବାକୁ ଚାହାନ୍ତି

ନୟାଗଡ଼/ଦଶପଲ୍ଲା/ତୁମୁଡ଼ିବନ୍ଧ : ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ତାଙ୍କ ନିର୍ବାଚନମଣ୍ଡଳୀ କେଉଁଠି? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି?

ଆଜି ଏମିତି ଭାବେ ରାଜ୍ୟ ବିଜେପି ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ ପ୍ରଶ୍ନ ପଚାରି ବିଜେପିର କେନ୍ଦ୍ର ତଥା ରାଜ୍ୟ ନେତୃବୃନ୍ଦଙ୍କୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଛନ୍ତି। କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲା ବେଳେ ନବୀନ ଶାଣିତ ଭାଷା ବ୍ୟବହାର କରିଛନ୍ତି ବିଜେପି ପ୍ରତି।

କଠୋର ଭାବେ ସମାଲୋଚନା କରି କହିଛନ୍ତି, ନିର୍ବାଚନ ହେଲେ ଦିଲ୍ଲୀ ଇଞ୍ଜିନ ଆଣୁଛି, ଜୋର୍‌ରେ ପାଟି କରୁଛି। ତା’ପରେ ଦିଲ୍ଲୀ ଇଞ୍ଜିନର ଦେଖା ମିଳିବ ନାହିଁ। ବିଜେପିର ଆଉ ଗୋଟିଏ ଇଞ୍ଜିନ କିଏ? ଓଡ଼ିଶାବାସୀ ଏହା ଜାଣିବାକୁ ଚାହୁଁଛନ୍ତି।

ଆଜି ଅପରାହ୍ଣରେ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ‌େ‌ଦଇଥିଲେ ଶ୍ରୀ ପଟ୍ଟନାୟକ। ଏହି ଅବସରରେ କେନ୍ଦ୍ର ସରକାର ତଥା ବିଜେପିକୁ କଟାକ୍ଷ କରି ସେ କହିଥିଲେ ଯେ ଫାଇଲିନ୍ ହେଲା, ଆସିଲେ ନାହିଁ; ହୁଡ୍‌ହୁଡ୍, ବନ୍ୟା, ମରୁଡ଼ି ହେଲା, ଆସିଲେ ନାହିଁ। ତିତ୍‌ଲି ହେଲା, ଦିଲ୍ଲୀ ଇଞ୍ଜିନ ଆସିଲା। କିନ୍ତୁ ଓଡ଼ିଶାକୁ ନୁହେଁ, ଆନ୍ଧ୍ରକୁ ଗଲା। କାଳିଆ ଯୋଜନା‌ରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେନି। ବିଜୁ ଜନତା ଦଳ ସରକାରକୁ ଆସିବାର ପ୍ରଥମ ଦିନ ବାକି ଥିବା ସବୁ ଚାଷୀଙ୍କୁ କାଳିଆ ସହାୟତା ମିଳିବ। ମିସନ ଶକ୍ତି ମୋର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ। ମା’ମାନେ ଏହା ଦ୍ବାର ସଶକ୍ତ ହୋଇଛନ୍ତି। ବି‌ଜେଡି ତା’ର ନିର୍ବାଚନୀ ଇସ୍ତାହା‌ରରେ ମହିଳାଙ୍କ ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟବସାୟ ବ୍ୟବସ୍ଥା କରିବ ବୋଲି ଘୋଷଣା କରିଛି। ଏହା ଆମେ ନିଶ୍ଚୟ କରିବୁ। ସାଢେ ୪ କୋଟି ଓଡ଼ିଆ ମୋର ପରିବାର। ଶେଷ ନିଶ୍ବାସ ଥିବା‌ ପର୍ଯ୍ୟନ୍ତ ମୁଁ ଆପଣଙ୍କ ସେବା କରି ଚାଲିବି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ।

ଏଭଳି କହି ମୁଖ୍ୟମନ୍ତ୍ରୀ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ଦଶପଲ୍ଲ‌ା ବିଧାୟକ ପ୍ରାର୍ଥୀ ରମେଶ ବେହେରାଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ। ଏହି ସଭାରେ ବିଜୁ ଜନତା‌ ଦଳ ନୟାଗଡ଼ ଜିଲ୍ଲା ସଭାପତି ତଥା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ବକ୍ତବ୍ୟ ରଖି କହିଲେ, ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ଥିର ଓ ସୁଶାସନ ଦେଇଛନ୍ତି। ତେଣୁ ପୁଣି ଥରେ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ଡ. ସାମନ୍ତ ନିବେଦନ କରିଥିଲେ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ମିନିଷ୍ଟାଡିୟମରେ ସକାଳେ ହେଲିକେପ୍ଟର ଯୋଗେ ଆସି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ଏବଂ ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ଓ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନିର୍ବାଚନ ଆସିବାରୁ କେନ୍ଦ୍ରର ବଡ଼ ବଡ଼ ବିଜେପି ନେତା ଏବେ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି। ହେଲେ ଅନ୍ୟ ସମୟରେ ଦେଖା ମିଳିବ ନାହିଁ। ମୁଁ ଆପଣଙ୍କ ସହ ସବୁ ସମୟରେ ରହିଛି ଓ ଶେଷ ନିଶ୍ବାସ ପର୍ଯ୍ୟନ୍ତ ରହିବି। ମୁଖ୍ୟମନ୍ତ୍ରୀଙ୍କ ସଭାରେ କଂଗ୍ରେସର କିଛି କର୍ମୀ ଓ ନେତା ବିଜେଡିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର