ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ ଉତ୍ତରଦାୟୀ କର: ନବୀନ

ଭୁବନେଶ୍ୱର : କେବଳ ମନ୍ତ୍ରୀ ପରିଷଦ ନୁହେଁ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଭାଗର ସଚିବମାନଙ୍କର ଏକ ବୈଠକ ଡାକି ପ୍ରଶାସନକୁ ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ ହେବାକୁ ନିର୍ଦେଶ ଦେଇଛନ୍ତି। ଆଜି ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଦକ୍ଷତା ବିକାଶ ମିସନର ଅଧ୍ୟକ୍ଷ, ମୁଖ୍ୟଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ନେଇଥିଲେ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବୈଠକରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ତଥା ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ମତାମତ ଦେବାକୁ ସଚିବମାନଙ୍କୁ କହିଥିଲେ। କହିଥିଲେ, ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଏବଂ ସେମାନଙ୍କର ପ୍ରଶାସନିକ ଅଭିଜ୍ଞତା ଓ ଅନୁଭୂତିକୁ ଆଧାର କରି ସେମାନେ ପ୍ରସ୍ତାବ ଦିଅନ୍ତୁ।

ତଦନୁସାରେ ବିଭିନ୍ନ ବିଭାଗର ସଚିବମାନେ ପ୍ରଶାସନର ବିଭିନ୍ନ ଦିଗ, ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତଥା ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନକୁ ଦୃଷ୍ଟିରେ ରଖି ମତାମତ ଉପସ୍ଥାପନ କରିଥିଲେ। ଏଥିରେ ଆସିଥିବା ନୂଆ ପ୍ରସ୍ତାବର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଏସବୁକୁ ମୁଖ୍ୟଶାସନ ସଚିବଙ୍କୁ ଦେବାକୁ ପରାମର୍ଶ ଦେଇଥିଲେ। କହିଥିଲେ, ସରକାର ଖୁବ୍‌ ଶୀଘ୍ର ଏହାକୁ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବେ। ସଚିବମାନଙ୍କ ସହିତ ଏଭଳି ଆଲୋଚନା ନିୟମିତ ଭାବେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର