ବରିଷ୍ଠ ଅଧିକାରୀଙ୍କୁ ଗୁରୁ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ନିଯୁକ୍ତି, ମୂଲ୍ୟଯୁକ୍ତ ସଂପଦକୁ ପଞ୍ଚମ ପାଳିର ସରକାରଙ୍କ ଗୁରୁତ୍ବ

ସେବା ପାଇବାରେ ଲୋକେ କେତେ ସନ୍ତୁଷ୍ଟ!
ଓଡ଼ିଶାର ନୀତିକୁ ଦେଶର ଶ୍ରେଷ୍ଠ ନୀତି କର
ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା କଲେ ସିଙ୍ଗାପୁର ସହ ସମକକ୍ଷ ହେବ ଓଡ଼ିଶା

ଭୁବନେଶ୍ବର : ‘ମୁଁ ଆପଣମାନଙ୍କର ଦକ୍ଷତା ଆକଳନ ରିପୋର୍ଟ ଲେଖୁଛି। ଲୋକେ ମୋ ଦକ୍ଷତା ରିପୋର୍ଟ ଲେଖୁଛନ୍ତି। ଏହି ଦୁଇଟି ଭିତରେ ସଂପର୍କ ରହିବା ମୁଁ ଚାହେଁ। ଆମ ସମସ୍ତଙ୍କୁ ଉତ୍ତରଦାୟୀ ରହିବାକୁ ହେବ। ଆନ୍ତରିକତା ସହ ମୁଁ ଏହା ଚାହେଁ’ ଦର୍ଶାଇ ବରିଷ୍ଠ ଅଧିକାରୀମାନଙ୍କ ସାମ୍ନାରେ ଗମ୍ଭୀର ପ୍ରସଙ୍ଗମାନ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ବରିଷ୍ଠ ଅଧିକାରୀମାନଙ୍କୁ ଏଭଳି ମର୍ମରେ ଗୁରୁ ମନ୍ତ୍ର ଦେଇଥିଲେ। ସେଥିରେ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ସେମାନଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ, ଗୋଟିଏ ସରକାର ଯେଉଁ ଭଲ କାମ କରେ ସେଥିପାଇଁ ଲୋକଙ୍କର ବିଶ୍ବାସ ଜିତିଥାଏ। ନିରନ୍ତର ଭାବେ ଭଲ କାମ କଲେ, ସରକାର ବାରମ୍ବାର ଲୋକଙ୍କ ବିଶ୍ବାସ ହାସଲ କରିବାରେ ସଫଳ ହୋଇଥାଏ। ବର୍ତମାନ ରାଜ୍ୟ ସରକାର ବିକାଶ ଓ ପ୍ରଶାସନର ଏକ ନିର୍ଦିଷ୍ଟ ସ୍ତରରେ ପହଞ୍ଚି ସାରିଛି। ପରବର୍ତୀ ପର୍ଯ୍ୟାୟକୁ ଯିବାକୁ ହେଲେ କାମ କରିବାକୁ ହେବ। ଲୋକମାନଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ନିମ‌େନ୍ତ ସେବା ଯୋଗାଇ ଦେବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପଞ୍ଚମ ପାଳିର ସରକାରଙ୍କ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ସଂପର୍କରେ ସେ ନିର୍ଦିଷ୍ଟ ଭାବେ କହିଥିଲେ। ନିଯୁକ୍ତି, ସଂପଦକୁ ମୂଲ୍ୟଯୁକ୍ତ କରିବା ଦିଗରେ ସେ ଗୁରୁତ୍ବ ଦେଉଥିବା କହିଥିଲେ। ଓଡ଼ିଶାରେ ଶିଳ୍ପାୟନ ଓ ଭିତ୍ତିଭୂମି, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର କ୍ଲଷ୍ଟର, ଷ୍ଟାର୍ଟ-ଅପ୍‌, ହବ୍‌ ଆଦି ବିଶ୍ବସ୍ତରୀୟ କରିବା ଦିଗରେ ଉଦ୍ୟମ କରିବାକୁ ହେବ। ଫଳରେ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ଦେଶମାନଙ୍କ ସମକକ୍ଷ ହୋଇପାରିବ ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଏଥିପାଇଁ ରାଜ୍ୟ ସରକାରଙ୍କ ନୀତିକୁ ଦେଶର ଶ୍ରେଷ୍ଠ ନୀତି କରିବାକୁ ହେବାର ଆବଶ୍ୟକତା ରହିଥିବା ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ। ଏ ଦିଗରେ ରାଜ୍ୟର ବିପୁଳ ସାମର୍ଥ୍ୟ ରହିଛି। ଦେଶର ଯେଉଁ ଶ୍ରେଷ୍ଠ ରାଜ୍ୟ ଯେଉଁ ପରିମାଣରେ ସୁବିଧା ଦେଉଛି, ଓଡ଼ିଶାକୁ ତା’ଠାରୁ ଅଧିକ ସୁବିଧା ଦେବାକୁ ହେବ। ଏଥିପାଇଁ ଅନୁକୂଳ ପରିବେଶ ରହିଛି।

ସରକାରୀ ସେବା ଯୋଗାଇବା କ୍ଷେତ୍ରରେ ବଡ଼ ପରିବର୍ତନ ଆଣିବା ପାଇଁ ୫-ଟି କୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିପାଇଁ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସେବା ଓ ପ୍ରକ୍ରିୟା ଚିହ୍ନଟ କଲେ ସେସବୁ କ୍ଷେତ୍ରରେ ୫-ଟି କୁ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏସବୁ କାର୍ଯ୍ୟକୁ ସିଧାସଳଖ ତଦାରଖ କରିବ। ଭଲ ପ୍ରଶାସନର ମାନଦଣ୍ଡ ହେଉଛି ଲୋକଙ୍କ ସନ୍ତୋଷ। ଏ ଦିଗରେ କାର୍ଯ୍ୟ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏ ନେଇ ଉଦାହରଣ ଜରିଆରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ, ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ପ୍ରତିକ୍ରିୟା ସ୍ବାସ୍ଥ୍ୟ ବିଭାଗ ନେଉଛି କି? ରୋଗୀମାନେ ସନ୍ତୁଷ୍ଟ କି? ଯେଉଁ ଯୁବକ ଯୁବତୀମାନେ ପରିବହନ ବିଭାଗରୁ ଲାଇସେନ୍ସ ନେଉଛନ୍ତି, ସେମାନଙ୍କ ପ୍ରତିକ୍ରିୟା ନେଇ ବିଭାଗ କେତେଦୂର ସଚେତନ? ତହସିଲ, ଉନ୍ନୟନ କର୍ତୃପକ୍ଷକୁ ଯାଉଥିବା ହଜାର ହଜାର ଲୋକଙ୍କ ଅନୁଭୂତି କିପରି? ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ହିତାଧିକାରୀଙ୍କ ମତାମତ ସଂପର୍କରେ ବରିଷ୍ଠ ଅଧିକାରୀମାନେ ଅବଗତ ଅଛନ୍ତି କି?

ଏ ନେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସମସ୍ତ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଲୋକଙ୍କ ଟଙ୍କାରେ ଚାଲୁଛି। ସେହି କା‌ର୍ଯ୍ୟାଳୟର କାର୍ଯ୍ୟରେ ଲୋକେ କେତେ ସନ୍ତୁଷ୍ଟ ଏବଂ ସାଧାରଣ ଲୋକଙ୍କ ଦୃଷ୍ଟିରେ ଏସବୁ ସେବା ସଂପର୍କରେ ମତାମତ ମୁଖ୍ୟମନ୍ତ୍ରୀ ନିଜେ ଜାଣିବାକୁ ଚାହୁଥିବା କହିଥିଲେ। ଏହା ସଂପୂର୍ଣ୍ଣ ଭାବେ ନାଗରିକ କେନ୍ଦ୍ରିତ ‌ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର