ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦ୍ବିତୀୟ ପାଳି ପାଇଁ ଶପଥ ଗ୍ରହଣ କରିବେ। ତାହାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ନବୀନ ଯୋଗ ଦେବେ ନାହିଁ। ଆସନ୍ତାକାଲି ଓଡ଼ିଶା ବିଧାନସଭାରେ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ। ଗୃହର ନେତା ଭାବେ ସେ ସେଠାରେ ଉପସ୍ଥିତ ରହିବେ। ସେଥି ପାଇଁ ନୂଆଦିଲ୍ଲୀରେ ଶପଥ ଗ୍ରହଣ ଉତ୍ସବକୁ ଯିବା ସମ୍ଭବ ନୁହେଁ ବୋଲି କୁହାଯାଇଛି।
ନୂଆ ମନ୍ତ୍ରୀ କାମ ଆରମ୍ଭ କଲେ
ଭୁବନେଶ୍ବର : ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିରେ ମନ୍ତ୍ରିମଣ୍ଡଳ ଓ କ୍ୟାବିନେଟ୍ ଅନୁଷ୍ଠିତ ହେବା ପରେ କିଛି ମନ୍ତ୍ରୀ ସଚିବାଳୟର ନିଜ ନିଜ ବିଭାଗ ଓ ମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଦପ୍ତର ଯାଇ ଅନୌପଚାରିକ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି।
ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ଶପଥ ନେଇଥିବା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କର ପୁରୁଣା ଦପ୍ତର ଯାଇ କିଛି ସମୟ କଟାଇଥିଲେ। କର୍ମଚାରୀମାନେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ସ୍ବାଗତ ସମ୍ବର୍ଧନା ଜଣାଇଥିଲେ। ସେ ନିଜର ପୁରୁଣା ଦପ୍ତରରେ ପୂର୍ବ ଭଳି କାର୍ଯ୍ୟ କରିବେ ଏବଂ ସେଥିରେ କୌଣସି ସୌନ୍ଦଯ୍ୟକରଣ କରିବା ସପକ୍ଷରେ ନଥିବା କହିଥିଲେ।
ନୂତନ ଭାବେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ ଯାଇ ଫନି ବାତ୍ୟା ପରବର୍ତୀ ପୁନରୁଦ୍ଧାର ସଂପର୍କରେ ବିଭାଗୀୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଅଣପାରମ୍ପରିକ ଉତ୍ସରୁ ଅଧିକ ବିଦ୍ୟୁତ୍ ଶକ୍ତି ଉତ୍ପାଦନ, ମିନି ଜଳ ବିଦ୍ୟୁତ୍ ପ୍ରକଳ୍ପ, ହାତୀ କରିଡର ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସରକାରଙ୍କ ନିର୍ବାଚନୀ ଇସ୍ତାହାରରେ ଥିବା ପ୍ରତିଶ୍ରୁତିଗୁଡ଼ିକ ପୂରଣ ପାଇଁ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଶକ୍ତିମନ୍ତ୍ରୀ ନିର୍ଦେଶ ଦେଇଥିଲେ।
ସେହିପରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମଙ୍କ ସଶକ୍ତୀକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ପ୍ରମୁଖ ନିଜ ନିଜ ବିଭାଗ ସଂପର୍କରେ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/nv-1.jpg)