ପତିଆରା ପାଇଁ ମୁହାଁମୁହିଁ : ନୀତି ଆୟୋଗ ବୈଠକକୁ ଯିବେନି ନବୀନ

ବିବାଦରେ ଆକାଂକ୍ଷା ଓ ଆୟୁଷ୍ମାନ, ଓଡ଼ିଶାକୁ ଅନେକ ରାଜ୍ୟଙ୍କ ଭିତିରି ସମର୍ଥନ

ଭୁବନେଶ୍ୱର : ଆସନ୍ତା ୧୭ ତାରିଖ ଦିନ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୋଗର ଚତୁର୍ଥ ସର୍ବୋଚ୍ଚ କ୍ଷମତା ସଂପନ୍ନ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ବୈଠକରେ କେନ୍ଦ୍ର ସରକାର ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକ୍ରମ ଓ ୨୦୨୨ ସୁଦ୍ଧା କୃଷକଙ୍କ ରୋଜଗାର ଦ୍ୱିଗୁଣିତ କରିବା ସଂପର୍କରେ ମୁଖ୍ୟତଃ ଆଲୋଚନା କରିପାରନ୍ତି। କେବଳ ସେତିକି ନୁହେଁ, ଜାତୀୟ ପୋଷଣ ମିସନ, ମିସନ ଇନ୍ଦ୍ରଧନୁଷ୍‌, ଆକାଂକ୍ଷା ଜିଲ୍ଲାର ବିକାଶ ଓ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାଳନ ଆଦି ସଂପର୍କରେ ମଧ୍ୟ ଏହି ବୈଠକରେ ଚର୍ଚ୍ଚା ହୋଇପାରେ। ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଛି।

ହେଲେ ମିଳିଥିବା ସୂଚନା ଅନୁସାରେ, ଏଥର ନୀତି ଆୟୋଗ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବାର ସମ୍ଭାବନା ଅଧିକ। କାହିଁକି ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେବେ ନାହିଁ, ସେ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି କାରଣ ସଂପର୍କରେ ସୂଚନା ଦିଆଯାଇନାହିଁ। କିନ୍ତୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଉଥିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ବିଶେଷଜ୍ଞଙ୍କ ଯୁକ୍ତି ହେଉଛି, ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ତାଙ୍କର ଲୋକପ୍ରିୟତା ବୃଦ୍ଧି ଦିଗରେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ସେହିଭଳି ଅଣବିଜେପି ରାଜ୍ୟମାନେ ମଧ୍ୟ ସେମାନଙ୍କର ପତିଆରା ବୃଦ୍ଧି ଲାଗି ଉଦ୍ୟମ କରୁଛନ୍ତି। ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଖିବୁଜା କାର୍ଯ୍ୟକ୍ରମ ଘୋଷଣା ବିବାଦ ସୃଷ୍ଟି କରିବା ସ୍ୱାଭାବିକ। ତେବେ କେନ୍ଦ୍ର ସରକାର ଯେଉଁ ଦୁଇଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଏହି ବୈଠକରେ ଆଲୋଚନା କରିବାକୁ ଚାହୁଁଛନ୍ତି, ସେଥିରେ ଓଡ଼ିଶାର ଦୃଢ଼ ଆପତ୍ତି ରହିଛି। ପ୍ରଥମତଃ ଆୟୁଷ୍ମାନ ଯୋଜନାରେ ଥିବା ଚାରିଟି ମୁଖ୍ୟ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହାତକୁ ନେଇସାରିଲେଣି। ୬୦% ଅର୍ଥ ରାଜ୍ୟ ଦେବ ବୋଲି କେନ୍ଦ୍ର ସରକାର କହିଥିଲେ ଓ ଏହା ଏକ ବୀମା ଭିତ୍ତିକ କାର୍ଯ୍ୟକ୍ରମ ଥିଲା। ରାଜ୍ୟ ସରକାର ୭୦ଲକ୍ଷ ପରିବାର କଥା କହୁଥିବାବେଳେ କେନ୍ଦ୍ର ଏହାକୁ ଗ୍ରହଣ କରିନଥିଲେ। ସର୍ବୋପରି ଏହି ଯୋଜନା କେବେ ଆରମ୍ଭ କରିବେ ତାହା ଏଯାଏ କେନ୍ଦ୍ର ସ୍ଥିର କରିନାହିଁ। ଏପରି ପରିସ୍ଥିତିରେ ଓଡ଼ିଶା ବୀମା ବ୍ୟବସ୍ଥାରୁ ଦୂରେଇ ଯାଇ ସିଧାସଳଖ ଅର୍ଥ ଦେବାକୁ ନେଇଥିବା ନିଷ୍ପତ୍ତି ସ୍ପୃହଣୀୟ। ଅଗଷ୍ଟ ୧୫ ତାରିଖରୁ ଏହି ଯୋଜନା କାର୍ଯ୍ୟକାରିତା ସଂପର୍କରେ ସୂଚନା ଦେଇ ରାଜ୍ୟ ସରକାର ତାଙ୍କର ପ୍ରତିବଦ୍ଧତା ପ୍ରକଟ କରିସାରିଛନ୍ତି।

କାରଣ, ଏବେ ସୁଦ୍ଧା ୨୦ଟି ରାଜ୍ୟ କେନ୍ଦ୍ର ସରକାରଙ୍କ ସହିତ ଚୁକ୍ତିବଦ୍ଧ ହୋଇଛନ୍ତି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ ପ୍ରମୁଖ ଏଯାଏ ଏ କ୍ଷେତ୍ରରେ ଆଗ୍ରହ ଦେଖାଇନାହାନ୍ତି। ବରଂ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ଆଧାରରେ ନିଜସ୍ୱ ଯୋଜନା ପ୍ରସ୍ତୁତ ପାଇଁ ଅନ୍ୟ ରାଜ୍ୟମାନେ ଏବେ ଆଗ୍ରହ ଦେଖାଇଲେଣି ଓ ଓଡ଼ିଶା ସରକାରଙ୍କ ସହିତ ଯୋଗାଯୋଗ ଆରମ୍ଭ କରିଥିବା ସୂଚନା ମିଳିଛି।

ସେହିପରି କେନ୍ଦ୍ର ସରକାର ଚାଷୀର ଆୟ ଦୁଇଗୁଣ କରିବା ଲାଗି ଯେଉଁ ସଂକଳ୍ପ ନେଉଛନ୍ତି, ତାହାକୁ ନେଇ ମଧ୍ୟ ଏକ ସ୍ପଷ୍ଟ ଚିତ୍ର ରଖିନାହାନ୍ତି। ନିର୍ଦିଷ୍ଟ କେଉଁ ଉପାୟରେ କେନ୍ଦ୍ର ଏଭଳି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛି, ତାହା ଆଜି ବି ଅବୁଝା ରହିଛି। ଏମିତିରେ ବି ଚାଷୀକୁ ତାର ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା (ସର୍ବନିମ୍ନ ସହାୟକ ମୂଲ୍ୟ) ଦେବା ଲାଗି କେନ୍ଦ୍ରର ନିଷ୍ପତ୍ତିର ରୂପରେଖ ସ୍ଥିର ହୋଇନାହିଁ।

ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ମନମାନିକୁ ଓଡ଼ିଶା ବିରୋଧ କରିବା ଛଳରେ ମୁଖ୍ୟମନ୍ତ୍ରୀ ଏହି ବୈଠକକୁ ବର୍ଜନ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଏ ସଂପର୍କରେ କେନ୍ଦ୍ରକୁ ରାଜ୍ୟ ସରକାର ବାରମ୍ବାର ଅବଗତ କରିଛନ୍ତି, ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଚିଠି ଲେଖିଛନ୍ତି। ହେଲେ କୌଣସି ସକାରାତ୍ମକ ଉତ୍ତର ମିଳିନାହିଁ।

ସବୁଠାରୁ ବଡ଼ କଥା ହେଉଛି, ନୀତି ଆୟୋଗର କେତୋଟି ପଦକ୍ଷେପ ଏବେ କେନ୍ଦ୍ର- ରାଜ୍ୟ ସଂପର୍କ ମଧ୍ୟରେ ବିବାଦର ମଞ୍ଜି ବୁଣିଲାଣି। ରାଜ୍ୟ ସରକାରଙ୍କ କ୍ଷମତାରେ ଧୀରେ ଧୀରେ ଆୟୋଗ ହସ୍ତକ୍ଷେପ କରିବା ଆରମ୍ଭ କଲାଣି। ନିକଟରେ ନୀତି ଆୟୋଗ ରାଜ୍ୟ ସରକାରଙ୍କୁ ଲେଖିଥିବା ଏକ ଚିଠି ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ଆୟୋଗ ଏଥିରେ ପରାମର୍ଶ ଦେଇଛି, ପଛୁଆ ଜିଲ୍ଲାମାନଙ୍କରେ ଦକ୍ଷ ଅଫିସରମାନଙ୍କୁ ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବା ଦରକାର। କେବଳ ସେତିକି ନୁହେଁ, ସେମାନଙ୍କୁ ଏକ ନିର୍ଧାରିତ ସମୟ ପର୍ଯ୍ୟନ୍ତ ସଂପୃକ୍ତ ଜିଲ୍ଲାରେ ରଖାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ପ୍ରସଙ୍ଗ ଉପରେ ଆୟୋଗ ପକ୍ଷରୁ ରାଜ୍ୟ ସରକାରମାନଙ୍କର ମତାମତ ଚାହିଁଛି। ସମ୍ଭବତଃ, ଓଡ଼ିଶା ସରକାର ଏହା ଉପରେ କଠୋର ଆଭିମୁଖ୍ୟ ପୋଷଣ କରିପାରନ୍ତି। ଆସନ୍ତା ୧୭ ତାରିଖ ଦିନ ଆକାଂକ୍ଷା ଜିଲ୍ଲାର ବିକାଶ ସଂପର୍କରେ ଆଲୋଚନାବେଳେ ଆୟୋଗ ଓ କେନ୍ଦ୍ର ଏହା ଉପରେ ଅଧିକ ମତ ରଖିପାରନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ଆକାଂକ୍ଷା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବା ଲାଗି ପ୍ରଭାରୀମାନଙ୍କୁ ପଠାଇଥିଲେ। ଏହି ପ୍ରଭାରୀ ଅଧିକାରୀମାନେ ଜିଲ୍ଲା ଗସ୍ତ କରି ତାଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ସଂପୃକ୍ତ ଜିଲ୍ଲାମାନଙ୍କରେ ବହୁ ପଦ ପଦବି ଖାଲି ପଡିଥିବା ସଂପର୍କରେ ସେମାନେ ସୂଚାଇଛନ୍ତି। ସେହିପରି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବାରମ୍ବାର ବଦଳି କରାଯାଉଥିବା ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି।

ଏହାକୁ ବିଚାରକୁ ନେଇ ଆୟୋଗ ଆକାଂକ୍ଷା ଜିଲ୍ଲାରେ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦେବା ସହିତ ଜିଲ୍ଲାପାଳଙ୍କ ଦୀର୍ଘକାଳୀନ ନିଯୁକ୍ତି ଉପରେ ଜୋର ଦେଇଛନ୍ତି। ଜିଲ୍ଲାରେ ଥିବା ଖାଲି ପଦବିକୁ ପୂରଣ କରିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ ସହିତ ତାହାକୁ ନିର୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟକାରୀ କରି ଜଣାଇବା ଲାଗି ସୁପାରିସ କରିଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆକାଂକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟ ସରକାର ଏହାକୁ ବିରୋଧ କରିଥିଲେ। ସେତେବେଳେ ସରକାର କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ନେଇ ଆଶଙ୍କା କରିଥିଲେ। ଏବେ ତାହା ବାସ୍ତବ ରୂପ ନେଇଛି। ଅନ୍ୟ ସବୁ ରାଜ୍ୟ ନୀତି ଆୟୋଗର ଏଭଳି ଆଭିମୁଖ୍ୟ ଉପରେ ନିର୍ଦିଷ୍ଟ କି ପଦକ୍ଷେପ ନେବେ, ତାହା ୧୭ ତାରିଖ ବୈଠକ ପରେ ଜଣାପଡିବ। ମାତ୍ର ଜିଲ୍ଲାସ୍ତରରେ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଏଭଳି ହସ୍ତକ୍ଷେପ କରିବା ସଂଘୀୟ ବ୍ୟବସ୍ଥାର ବିରୋଧୀ। ଜିଲ୍ଲା ପ୍ରଶାସନର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର। କେନ୍ଦ୍ର ସରକାର ଏ କ୍ଷେତ୍ରରେ ହସ୍ତକ୍ଷେପ କରିବା ଆଦୌ ଗ୍ରହଣୀୟ ନୁହେଁ।

ଦେଶର ୧୧୫ଟି ପଛୁଆ ଜିଲ୍ଲାର ବିକାଶକୁ ତ୍ୱରାନ୍ଵିତ କରିବାପାଇଁ କେନ୍ଦ୍ର ସରକାର ଆକାଂକ୍ଷା ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ସାମିଲ କରାଯାଇଛି। କେନ୍ଦ୍ର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରିପାରେ ବୋଲି ଓଡ଼ିଶା ପୂର୍ବରୁ ଆଶଙ୍କା ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର