ରତ୍ନଭଣ୍ଡାର ଚାବି ହଜିବା ଘଟଣା : ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଦନ୍ତ କରିବେ, ୩ ମାସ ମଧ୍ୟରେ ରିପୋର୍ଟ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ। କେଉଁ ପରିସ୍ଥିତିରେ ଚାବି ହଜିଲା, ଏଥିପାଇଁ କିଏ ଦାୟୀ? ସେ ସମ୍ପର୍କରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅନୁଧ୍ୟାନ କରି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦେଶ ଦେଇଛନ୍ତି।

ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ସମେତ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା। ରତ୍ନ ଭଣ୍ଡାରରେ ରତ୍ନ ଅଛି ତ? ଏମିତି ଏକ ପ୍ରଶ୍ନ ଏବେ ସବୁ ମହଲକୁ ଘାରିଛି। ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ଏହି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ନିଜର କ୍ରୋଧ ଓ କ୍ଷୋଭ ସମ୍ଭରଣ କରିପାରିନଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ିଥିଲା। ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଭିତର ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବାକୁ ହାଇକୋର୍ଟ ଦେଇଥିବା ନିର୍ଦେଶ ପରେ ଚାବି ହଜିବା ଭଳି ଘଟଣା ପଦାକୁ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନ ଭଣ୍ଡାର ଖୋଲିବା ପାଇଁ ଚାବି ଦରାଣ୍ଡିବା ବେଳେ ଜଣା ପଡ଼ିଥିଲା ଯେ, ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ନାହିଁ। ନିୟମତଃ ଏହି ଚାବି ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଟ୍ରେଜେରିରେ ରହିବା କଥା। ମାତ୍ର ଗତ ଏପ୍ରିଲ୍‌ ୪ ତାରିଖରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଜଣାଇଥିଲେ ଯେ, ଏହି ଚାବି ଟ୍ରେଜେରିରେ ଜମା କରାଯାଇନାହିଁ। ବ୍ୟାପକ ତନାଘନା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରୁ ଯେଉଁ ଚାବି ପେନ୍ଥା ବାହାରିଥିଲା ସେଥିରେ ଭିତର ରତ୍ନ ଭଣ୍ଡାରର ଚାବି ନଥିଲା। ପରିଣାମ ହେଲା, ଚାବି ଭାଙ୍ଗି ବିପଦକୁ ଆମନ୍ତ୍ରଣ କରିବା ପରିବର୍ତେ ଶ୍ରୀମନ୍ଦିର ପ୍ରଶାସନ ଗତ ଏପ୍ରିଲ୍‌ ୪ ତାରିଖରେ ବାହାର ରତ୍ନଭଣ୍ଡାରରୁ ଯାଞ୍ଚ ସାରି ଫେରି ଆସିଥିଲେ। ମାତ୍ର ଭୁବନେଶ୍ୱରର ସ୍ୱତନ୍ତ୍ର ସର୍କିଟ୍‌ ହାଉସ୍‌ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏନେଇ ହୋଇଥିବା ତମ୍ବି ତୋଫାନ ସରକାରଙ୍କୁ ଅକଳରେ ପକାଇ ଦେଇଥିଲା।

‘କୁଆଡ଼େ ଗଲା ଚାବି?’ ଶୀର୍ଷକରେ ‘ସମ୍ବାଦ’ ପ୍ରଥମ ପୃଷ୍ଠାରେ ଏପ୍ରିଲ୍‌ ୫ତାରିଖରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା। କିନ୍ତୁ କାହିଁକି କେଜାଣି, ଗଜପତି ମହାରାଜ ଏ ପ୍ରସଙ୍ଗରେ ମୁହଁ ଖୋଲିନଥିଲେ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଘଟଣା ଉପରୁ ପରଦା ହଟାଇନଥିଲେ। ଆଜିକୁ ଦୁଇ ମାସ ବିତିଯାଇଥିଲେ ହେଁ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା। ଅନ୍ୟପକ୍ଷରେ ସେଦିନ ହୋଇଥିବା ପରିଚାଳନା କମିଟି ବୈଠକରେ ଜିଲ୍ଲାପାଳ ଦର୍ଶାଇଥିଲେ ଯେ, ୧୯୭୦ ମସିହାରୁ ଆଜି ପର୍ଯ୍ୟନ୍ତ ଭିତର ଭଣ୍ଡାରର ଚାବି ଜମା କରାଯିବା କିମ୍ବା ପରବର୍ତୀ ସମୟରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଟ୍ରେଜେରିରୁ ଚାବି ଅଣାଯିବାର କୌଣସି ପ୍ରମାଣ ନାହିଁ। ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୧୯୬୨ ମସିହା ପରଠାରୁ ଟ୍ରେଜେରି ରିପୋର୍ଟ ସେ ସଂକ୍ରାନ୍ତରେ ନିରବ ରହିଛି। କୌତୂହଳର କଥା ହେଲା, ଏହା ପରେ ଥରେ ନୁହେଁ ବରଂ ୪ଥର ରତ୍ନ ଭଣ୍ଡାର ଖୋଲାଯାଇଛି। ୧୯୭୩ ମସିହାରେ ଶ୍ରୀଦେବୀଙ୍କ ସ୍ୱର୍ଣ୍ଣ ମୂର୍ତି ପାଇଁ ୪ଶହ ଗ୍ରାମ ସୁନା କଢ଼ା ଯାଇଥିଲା। ୧୯୭୮ ମସିହା ମେ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ରତ୍ନ ଭଣ୍ଡାର ଖୋଲା ରଖାଯାଇ ଅଳଙ୍କାରର ତାଲିକାଭୁକ୍ତ କରାଯାଇଥିଲା। ଅଶୀ ଦଶକ ଆରମ୍ଭରେ ଆଉ ଦୁଇ ଥର ଭଣ୍ଡାରଘର ଖୋଲାଯାଇଥିଲା ଏବଂ ସେତେବେଳେ ରତ୍ନ ଅଣାଯାଇ ମହାପ୍ରଭୁଙ୍କ ଅଳଙ୍କାରର ମରାମତି କରାଯାଇଥିଲା।

ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ରତ୍ନ ଭଣ୍ଡାରରେ ଯେଉଁ ୩ଟି ତାଲା ପଡ଼ିଛି ସେ ମଧ୍ୟରୁ ଗୋଟିକରେ ଜଉମୁଦ ଦିଆଯାଇଛି ଏବଂ ଅନ୍ୟ ଦୁଇଟି ବିନା ଜଉମୁଦରେ ପଡ଼ିଛି। ଯେଉଁ ସବୁ ଚାବି ଶ୍ରୀମନ୍ଦିର ପ୍ରଶାସନ ପାଇଥିଲା, ସେସବୁ ଏହି ତାଲାର ନୁହେଁ ଏକଥା ସମସ୍ତେ ଅନୁଭବ କରିଥିବା ପରିଚାଳନା କମିଟି ବୈଠକର ବିବରଣୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

ଏବେ ପ୍ରଶ୍ନ ଉଠୁଛି ରତ୍ନ ଭଣ୍ଡାରର ଚାବି କେଉଁ ପରିସ୍ଥିତିରେ ହଜିଲା? ଟ୍ରେଜେରିରୁ ଚାବି ଆଣିବା ପରେ ଚାରିଥର ଭିତର ଭଣ୍ଡାର ଖୋଲା ଯାଇଥିଲେ ହେଁ କାହିଁକି ତତ୍କାଳୀନ ଜିଲ୍ଲାପାଳମାନେ ଏହାକୁ ଟ୍ରେଜେରିରେ ଜମା କରିନଥିଲେ? ବାସ୍ତବତା ହେଲା ସଂପୃକ୍ତ ଅଧିକାରୀମାନେ ଯେହେତୁ ବର୍ତମାନ ଆଉ ନାହାନ୍ତି, ତେଣୁ ଏହା ଉପରୁ ରହସ୍ୟ ଉଠିବା ଏବେ କାଠିକର ପାଠ। ଏଭଳି ସ୍ଥଳେ ତଦନ୍ତ କମିସନ କିଭଳି ଏହି ରହସ୍ୟ ଉପରୁ ପରଦା ହଟାଇବେ ତାହା ଚ୍ୟାଲେଞ୍ଜ୍‌ର ବିଷୟ। କିନ୍ତୁ ଶ୍ରୀମନ୍ଦିର ଆଇନ୍‌ରେ ସ୍ପଷ୍ଟ ଭାବେ ଲେଖା ଅଛି, ପରିଚାଳନା କମିଟି କେଉଁଭଳି ଭାବରେ ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଅଳଙ୍କାରକୁ ଅଧିଗ୍ରହଣ କରିବ। ପ୍ରତି ୩ ବର୍ଷରେ ପରିଚାଳନା କମିଟି ପରିବର୍ତନ ହୋଇଥାଏ। ହେଲେ କେଉଁ ପରିସ୍ଥିତିରେ ଏହି ଆଇନର ଅନୁପାଳନ ପାଇଁ ପରିଚାଳନା କମିଟି ଆଗ୍ରହ ପ୍ରକାଶ କଲେ ନାହିଁ ତାହା କମିସନଙ୍କ ତଦନ୍ତ ପରିସରଭୁକ୍ତ ହେବ ବୋଲି ସୂଚନା ମିଳିଛି। କେବଳ ସେତିକି ନୁହେଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଏବେ ପ୍ରମୁଖ ସଚିବ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ପରିଚାଳନା କମିଟିର ଉପାଧ୍ୟକ୍ଷ ରହିଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବିମାନଙ୍କରେ ଥାଇ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସ୍ଥିତି ସମ୍ପର୍କରେ ଥରୁଟିଏ ସେମାନେ କାହିଁକି ଅନୁଧ୍ୟାନ ବା ସମୀକ୍ଷା କଲେ ନାହିଁ ସେନେଇ କମିସନ ତର୍ଜମା କରିପାରନ୍ତି। ସଂପୃକ୍ତ ପରିଚାଳନା କମିଟି ସଭ୍ୟ, ରତ୍ନଭଣ୍ଡାର ଖୋଲାଯିବା ସମୟର ଅଧିକାରୀ ଏବଂ ବିଭିନ୍ନ ସମୟରେ ରହି ଆସିଥିବା ପ୍ରଶାସକମାନଙ୍କୁ ତଦନ୍ତ କମିସନ ପଚରାଉଚରା କରିପାରନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର